ସପ୍ତାହକୁ ୪.୩୫ ଲକ୍ଷ ଟଙ୍କାରେ ଚଳିବେ ମାଲ୍ୟା

ଲଣ୍ଡନ: ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ଲଣ୍ଡନ ସ୍ଥିତ ସମ୍ପତ୍ତିକୁ ଏକ କୋର୍ଟ ଅଚଳ କରିଦେଇଛି। ଏଥିସହିତ ତାଙ୍କ ସାପ୍ତାହିକ ଖର୍ଚର ସୀମା ମଧ୍ୟ ନିର୍ଧାରଣ କରିଦେଇଛି। ମାଲ୍ୟା ଏଣିକି ପ୍ରତି ସପ୍ତାହରେ ୬୭୦୦ ଡଲାର ବା ପ୍ରାୟ ୪ ଲକ୍ଷ ୩୫ ହଜାର ଟଙ୍କା ଖର୍ଚ କରିପାରିବେ। ଭାରତର ଏକ ଅଦାଲତର ନିଷ୍ପତ୍ତିକୁ ଗ୍ରହଣ କରିବା ସହିତ ଲଣ୍ଡନ୍‌ର ଏକ ଅଦାଲତ ଏପରି ନିର୍ଦେଶ ଦେଇଛି। ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମାଲ୍ୟାଙ୍କର ଲଣ୍ଡନ୍‌ରେ ଅତିକମ୍‌ରେ ୩ଟି ଘର ରହିଛି। ଏଥିସହିତ କାର୍‌ ଓ ଅନ୍ୟାନ୍ୟ ସମ୍ପତ୍ତି ମଧ୍ୟ ରହିଛି।

ଏଥିସହିତ ମାଲ୍ୟାଙ୍କ ପ୍ରତ୍ୟର୍ପଣ ମାମଲା ମଧ୍ୟ େଓ୍ଵଷ୍ଟମିନିଷ୍ଟର କୋର୍ଟରେ ଚାଲିଛି। ଉଲ୍ଲେଖଯୋଗ୍ୟ ଯେ, ଭାରତର ୧୭ଟି ବ୍ୟାଙ୍କର ୯୪୩୨ କୋଟି ଟଙ୍କା ମାଲ୍ୟା ପରିଶୋଧ ନକରି ଦୀର୍ଘଦିନ ହେଲା ଭାରତ ଛାଡ଼ି ଲଣ୍ଡନ୍‌ରେ ବାସ କରୁଛନ୍ତି। ଲଣ୍ଡନ୍‌ରେ ମାଲ୍ୟଙ୍କ ଠିକଣା ହେଲା ହେଡଫୋର୍ଡସାୟର। ୨୦୧୫ ମାର୍ଚରେ ସେ ଲେଡିବ୍ୟାଙ୍କ ଏଲ୍‌ଏଲ୍‌ପି ନାମକ ଏକ କମ୍ପାନିଠାରୁ ପ୍ରାୟ ୭୫ କୋଟି ଟଙ୍କାରେ କିଣିଥିଲେ। ଏତଦ୍‌ବ୍ୟତୀତ ଏହି ଘର ନିକଟରେ ମାଲ୍ୟ ପ୍ରାୟ ୧୩ କୋଟି ଟଙ୍କାରେ ଏକ ଲଜ୍‌ ମଧ୍ୟ କିଣିଛନ୍ତି। ଏହି ଦୁଇଟି ଯାକ କମ୍ପାନି ମାଲ୍ୟାଙ୍କ ଅଧୀନରେ ରହିଛି। ଏତଦ୍‌ବ୍ୟତୀତ ମାଲ୍ୟାଙ୍କ ମାଲିକାନାରେ ଥିବା ଏକ କମ୍ପାନି ୨୦୦୫ ମସିହାରେ କେନ୍ଦ୍ରୀୟ ଲଣ୍ଡନ୍‌ରେ ୫୫ ଲକ୍ଷ ପାଉଣ୍ଡ ବା ପ୍ରାୟ ୪୭.୮୫ କୋଟି ଟଙ୍କାରେ ଏକ ସମ୍ପତ୍ତି କିଣିଥିବା କୁହାଯାଉଛି। ମାଲ୍ୟାଙ୍କ ପ୍ରତ୍ୟପର୍ଣ ମାମଲାର ଶୁଣାଣି େଓ୍ଵଷ୍ଟମିନିଷ୍ଟର କୋର୍ଟରେ ଚାଲିଛି। ଗତ ୪ ତାରିଖରୁ ଏହି ଶୁଣାଣି ଆରମ୍ଭ ହୋଇଛି। ୧୪ ତାରିଖରେ ଶେଷ ଶୁଣାଣି ଥିବାବେଳେ ୨୪ରେ ରାୟ ପ୍ରକାଶ ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର