ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ବିଜ୍‌ନେସ୍ ଶ୍ରେଣୀରେ ଯାତ୍ରା କରୁଥିବା ଜଣେ ମହିଳାଙ୍କ ଉପରେ ଜଣେ ମଦ୍ୟପ ସହଯାତ୍ରୀ ପରିସ୍ରା କରିବା କଥା ଆପଣ ଜାଣିଥିବେ ନିଶ୍ଚୟ। ମହିଳା ଜଣକ ଏ ବିଷୟରେ ଜଣାଇବା ପରେ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉକ୍ତ ଯାତ୍ରୀଙ୍କ ଉପରେ ୩୦ ଦିନ ଯାତ୍ରା କଟକଣା ବି ଲଗାଇଛନ୍ତି।

Advertisment

ତେବେ ସେ ଯାତ୍ରୀଙ୍କ ପରିଚୟ ‌ଏବେ ସୁଦ୍ଧ‌ା ମିଳିଯାଇଛି। ଜାଣିବାକୁ ମିିଳିଛି ଯେ ଯାତ୍ରୀ ଜଣକ ହେଉଛନ୍ତି ମୁମ୍ବାଇର ବାସିନ୍ଦ‌ା। ତାଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ ବୋଲି ପୁଲିସ୍‌ ସୂଚନା ଦେଇଛି।

ବୁଧବାର ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ଦିଲ୍ଳୀ ପୁଲିସ୍‌ ଏକ ଟିମ୍‌ ଗଠନ କରିଛି। ସେ ଗତବର୍ଷ ନଭେମ୍ବର ମାସ ୨୬ ତାରିଖରେ ନ୍ୟୁୟର୍କରୁ ଦିଲ୍ଳୀ ଯାତ୍ରା କରୁଥିବା ବେଳେ ଏପରି କାଣ୍ଡ ଘଟାଇଥିଲେ।

ତେବେ ସାଧାରଣ ଯାତ୍ରୀ ଓ ବିଶେଷତଃ ମହିଳା ଯାତ୍ରୀଙ୍କ ସୁରକ୍ଷା ପ୍ରତି ବିମାନ ସଂସ୍ଥା ଆଦୌ ସଚେତନ ନାହାନ୍ତି ବୋଲି ମହିଳା ଜଣକ ନିଜର ତିକ୍ତ ଅନୁଭୂତି ବର୍ଣ୍ଣନା କରି କହିବା ପରେ ପୁଲିସ୍‌ ତା’ର ତତ୍ପରତା ପ୍ରକାଶ କରିଛି।

ବିମାନ ଭିତରେ ମଦ୍ୟପ ଜଣକ ସମସ୍ତଙ୍କ ଆଗରେ ପ୍ୟାଣ୍ଟ ଖୋଲି ସହଯାତ୍ରୀ ମହିଳାଙ୍କ ଉପରେ ପରିସ୍ରା କରିଥିବା ଅଭିଯୋଗ ଆଣି ମହିଳା ଜଣକ ବିମାନ କର୍ମଚାରୀ ନା ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ କେହି ବି କିଛି ପଦକ୍ଷେପ ନେଲେ ନାହିଁ ବୋଲି କହିଥିଲେ। ଏହାପରେ ମହିଳା ଜଣକ ବାଧ୍ୟ ହୋଇ ଏୟାର ଇଣ୍ଡିଆର ମାଲିକ ଟାଟା ଗ୍ରୁପ୍ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ୍‌ଙ୍କ ପାଖକୁ ଚିଠି ଲେଖି ନିଜର ତିକ୍ତ ଅଭିଜ୍ଞତା ବିଷୟରେ ଜଣାଇବା ପରେ ଏହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି।