କୋଲକାତା: ନବୀନ ଜିନ୍ଦଲଙ୍କ ସଂସ୍ଥା ଜିନ୍ଦଲ ଷ୍ଟିଲ୍ ଆଣ୍ଡ୍‌ ପାୱାର ଲିମିଟେଡ୍‌ (ଜେଏସ୍‌ପିଏଲ୍‌) ୪୧୦ କୋଟି ଟଙ୍କାରେ ମନେଟ୍‌ ପାୱାରକୁ କିଣିଛି। ଅନୁଗୁଳ ଜିଲ୍ଲାରେ ମନେଟ୍‌ ପାଓ୍‌ବାରର ଏକ ୧୦୫୦ ମେଗାୱାଟ୍‌ର ନିର୍ମାଣାଧୀନ ପାୱାର ପ୍ଲାଣ୍ଟ୍‌ ରହିଛି। ଋଣ ପରିଶୋଧ କରିବାରେ ବିଫଳ ହୋଇଥିବା ମନେଟ୍ ପାୱାର ବିରୋଧରେ ଆଇଡିଏଫ୍‌ସି ବ୍ୟାଙ୍କ ପକ୍ଷରୁ ୨୦୧୮ରେ କର୍ପୋରେଟ୍‌ ଇନ୍‌ସଲ୍‌ଭେନ୍ସି ପ୍ରକ୍ରିୟା ଆରମ୍ଭ କରାଯାଇଥିଲା। କଂପାନିକୁ ବନ୍ଦ କରିବା ଲାଗି ୨୦୧୯ରେ ନ୍ୟାସନାଲ୍ କଂପାନି ଲ’ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି) ନିର୍ଦେଶ ଦେଇଥିଲେ।

Advertisment

ମନେଟ୍ ଉପରେ ୩,୮୧୯ କୋଟି ଟଙ୍କାର ଋଣ ବକେୟା ଥିଲା। ମନେଟ୍‌ର ପାୱାର ପ୍ଲାଣ୍ଟ୍‌କୁ ଜେଏସ୍‌ପିଏଲ୍‌ ନିଜସ୍ବ କାର୍ଯ୍ୟରେ ବ୍ୟବହାର କରିବ। ସେଥିରେ ୨୦-୨୫% କମ୍ କୋଇଲା ବ୍ୟବହାର ହେବ। ମନେଟ୍‌ର ପାୱାର ପ୍ଲାଣ୍ଟ୍‌ ଜେଏସ୍‌ପିଏଲ୍‌ ଲାଗି ବେଶ ଆକର୍ଷଣୀୟ ସ୍ଥାନରେ ରହିଛି। କାରଣ ଅନୁଗୁଳରେ ଥିବା ଜେଏସ୍‌ପିଏଲ୍‌ର କାରଖାନା ଏବଂ ଉତ୍କଳ ସି, ବି୧ ଓ ବି୨ କୋଇଲା ଖଣି ପାଖାପାଖି ଅଞ୍ଚଳରେ ଏହି ପାୱାର ପ୍ଲାଣ୍ଟ୍‌ ରହିଛି। ଜେଏସ୍‌ପିଏଲ୍‌ ଏହାର ଅନୁଗୁଳ କାରଖାନାର କ୍ଷମତାକୁ ୨୫.୨ ନିୟୁତ ଟନ୍‌କୁ ବଢ଼ାଇବା ଲାଗି ଯୋଜନା ରଖିଛି। ଏହି ପ୍ରସ୍ତାବକୁ ଗତବର୍ଷ ଓଡ଼ିଶା ସରକାର ମଞ୍ଜୁର କରିଥିଲେ। ବର୍ତ୍ତମାନ ଏହାର ଅନୁଗୁଳ କାରଖାନା କ୍ଷମତା ୬ ନିୟୁତ ଟନ୍ ରହିଛି।