‘ମଣିପାଲ୍ ହସ୍ପିଟାଲ୍‌ସ’ ଖୋଲିବ ଅଙ୍କୋଲୋଜି ବ୍ଲକ୍: ଅଙ୍ଗ ପ୍ରତିରୋପଣ ସୁବିଧା ମିଳିବ

ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ପାର୍ଥ ଦାସ ଭାରତର ସର୍ବବୃହତ ହସ୍ପିଟାଲ୍‌ ଶୃଙ୍ଖଳା ହେବାକୁ ଯାଉଥିବା ‘ମଣିପାଲ୍ ହସ୍ପିଟାଲ୍‌ସ’ର ଚିଫ୍‌ ପିପୁଲ୍‌ ଅଫିସର ଭାବେ କାର୍ଯ୍ୟ କରୁଛନ୍ତି। ଆମ୍ରିର ରିବ୍ରାଣ୍ଡିଂ ସମ୍ପର୍କରେ ଘୋଷଣା କରିବା ଲାଗି ସେ ଭୁବନେଶ୍ବର ଆସିଛନ୍ତି। ହସ୍ପିଟାଲ୍‌ ସମ୍ପର୍କରେ ତାଙ୍କ ସହ ଆଲୋଚନାକୁ ଏଠାରେ ଉପସ୍ଥାପନ କରାଯାଇଛି

ଆମ୍ରିର କର୍ମଚାରୀଙ୍କ ଭବିଷ୍ୟତ କ’ଣ?
ଆମେ ଏହି ହସ୍ପିଟାଲ୍‌କୁ ଅଧିଗ୍ରହଣ କରିବା ବେଳକୁ ସେଥିରେ ଡାକ୍ତରଙ୍କୁ ବାଦ ଦେଲେ ୧୦୦୦ କର୍ମଚାରୀ କାର୍ଯ୍ୟ କରୁଥିଲେ। ସେଥିରୁ ୪୫% ନର୍ସିଂ, ୧୦% ମ୍ୟାନେଜମେଣ୍ଟ ଓ ଅନ୍ୟମାନେ ସହାୟକ କର୍ମଚାରୀ ଥିଲେ। ସମସ୍ତଙ୍କ ଚାକିରି ସୁରକ୍ଷିତ ଥିବା ବେଳେ ମଣିପାଲ୍‌ର ମାନଦଣ୍ଡ ଅନୁସାରେ ସେମାନଙ୍କୁ ଅଧିକ ସୁବିଧାସୁଯୋଗ ପ୍ରଦାନ କରାଯାଇଛି। ବହୁ କର୍ମଚାରୀଙ୍କ ବେତନରେ ୨୦-୨୫% ଭଳି ବୃଦ୍ଧି ଘଟିଛି। ସେମାନଙ୍କୁ ପିଏଫ୍‌ ସୁବିଧା ଦିଆଯାଉଛି। ବୋନସ୍‌, ପ୍ରୋତ୍ସାହନ ଆଦି ପ୍ରଦାନ କରାଯିବାର ଯୋଜନା ରହିଛି। ପୂର୍ବରୁ ହସ୍ପିଟାଲ୍‌ରେ ଆଉଟ୍‌ସୋର୍ସିଂ ଆଧାରରେ ଏକ ଫାର୍ମାସି ଚାଲୁଥିଲା। ମଣିପାଲ୍‌ ନିଜସ୍ବ ଫାର୍ମାସି କରି ସେଥିରେ ୩୦-୪୦ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିଛି।
ମଣିପାଲ୍‌ ହସ୍ପିଟାଲ୍‌ କିଭଳି ଭିନ୍ନ?
ମଣିପାଲ୍‌ ହସ୍ପିଟାଲ୍‌ସ ସର୍ବଦା ‌ମାନବ ସମ୍ବଳ, ଅଭ୍ୟାସ, ସଂସ୍କୃତିକୁ ଗୁରୁତ୍ବ ଦେଇଥାଏ। ଭୁବନେଶ୍ବରର ଏହି ହସ୍ପିଟାଲ୍‌ରେ କ୍ଲିନିକାଲ୍ ଉତ୍କର୍ଷ ଓ ନୈତିକ ଅଭ୍ୟାସ ଉପରେ ଗୁରୁତ୍ବ ଦିଆଯିବ। ଆମ୍ରି ଏକ ତୃତୀୟକ ହସ୍ପିଟାଲ୍ ଥିଲା। ଆମେ ତାହାକୁ ଏକ କ୍ବାର୍ଟନାରି ହସ୍ପିଟାଲ୍‌ରେ ପରିଣତ କରିବାକୁ ଯୋଜନା ରଖିଛୁ। ଆମ ନେଟ୍‌ୱର୍କରେ ଥିବା ଅନ୍ୟ ହସ୍ପିଟାଲ୍‌ରେ ଥିବା ବିଶେଷଜ୍ଞ ଡାକ୍ତରମାନେ ଭୁବନେଶ୍ବର ଆସି ଚିକିତ୍ସା ସୁବିଧା ପ୍ରଦାନ କରିବେ। ଫଳରେ ଓଡ଼ିଶାର ଲୋକମାନଙ୍କୁ ଆଉ ବାହାରକୁ ଯିବାକୁ ପଡ଼ିବ ନାହିଁ।
ହସ୍ପିଟାଲ୍‌ ସମ୍ପ୍ରସାରଣ କରିବା ଯୋଜନା ଅଛି କି?
ଆମେ ଏକ ଅଙ୍କୋଲୋଜି ବ୍ଲକ୍ ସ୍ଥାପନ କରିବୁ। ଖୁବ୍‌ଶୀଘ୍ର ତାହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ। ଏଥିରେ ୮୦-୧୦୦ କୋଟି ଟଙ୍କା ପର୍ଯ୍ୟନ୍ତ ନିବେଶ କରାଯିବ। ଆମେ ଭୁବନେଶ୍ବରକୁ ରେଡିଏସନ୍ ଅଙ୍କୋଲୋଜି ଆଣିବୁ। ଏହି ନୂଆ ବ୍ଲକ୍ ଏଭଳି ଏକ ପରିସର ହେବ ଯେଉଁଠାରେ ବ୍ୟାପକ କ୍ୟାନସର୍‌ ଚିକିତ୍ସା ସୁବିଧା ମିଳିବ। ଏଥିରେ ୧୦୦ଟି ଶଯ୍ୟା ରହିବ। ଉକ୍ତ ବ୍ଲକ୍ ସ୍ଥାପନ ହେବା ପରେ ହସ୍ପିଟାଲ୍‌ର ଶଯ୍ୟା ସଂଖ୍ୟା ୫୦୦କୁ ବୃଦ୍ଧି ପାଇବ। ବର୍ଷକ ଭିତରେ ନୂଆ ବ୍ଲକ୍ ପ୍ରସ୍ତୁତ ହୋଇଯିବ ବୋଲି ଆଶା କରୁଛୁ।
ଚିକିତ୍ସା କ୍ଷେତ୍ରରେ କ’ଣ ନୂଆ ସୁବିଧା ଆସିବ?
ଭୁବନେଶ୍ବର ହସ୍ପିଟାଲ୍‌ରେ ଅଙ୍ଗ ପ୍ରତିରୋପଣ ସୁବିଧା ଆରମ୍ଭ ହେବ। ମଣିପାଲ୍ ହସ୍ପିଟାଲ୍‌ସ ଗତବର୍ଷ ୧୦୮ଟି କିଡ୍‌ନି ପ୍ରତିରୋପଣ କରିଥିଲା। ଏଠାରେ ସେହି ସୁବିଧା ମିଳିବ। ଯକୃତ ପ୍ରତିରୋପଣ ଅନୁମତି ଲାଗି ଆବେଦନ କରାଯାଇଛି। ପରବର୍ତ୍ତୀ ସମୟରେ ହୃତ୍‌ପିଣ୍ଡ ପ୍ରତିରୋପଣ, ଷ୍ଟେମ୍ ସେଲ୍ ଓ ବୋନ୍ ମାରୋ ଆଦି ଚିକିତ୍ସା ସୁବିଧା ହସ୍ପିଟାଲ୍‌ରେ ଆରମ୍ଭ କରାଯିବ।
ଓଡ଼ିଶାରେ ସମ୍ପ୍ରସାରଣର କିଛି ଯୋଜନା ରହିଛି କି?
ଭୁବନେଶ୍ବର ବ୍ୟତୀତ ରାଜ୍ୟର ଅନ୍ୟ ପ୍ରମୁଖ ସହରଗୁଡ଼ିକରେ କର୍ପୋରେଟ୍ ହସ୍ପିଟାଲ୍‌ର ଅଭାବ ରହିଛି। ଆମେ ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା, ବାଲେଶ୍ବର ଆଦିରେ ଅଧିଗ୍ରହଣ ଜରିଆରେ ସମ୍ପ୍ରସାରଣ କରିବାର ସୁଯୋଗ ସନ୍ଧାନ କରିବୁ।
ଦେଶରେ ଆଉ କେତୋଟି ନୂଆ ହସ୍ପିଟାଲ୍‌ ଖୋଲିବ?
ବର୍ତ୍ତମାନ ମଣିପାଲ୍‌ର ଦେଶରେ ୩୩ଟି ହସ୍ପିଟାଲ୍ ରହିଛି। ମେଡିକାକୁ କିଣିବା ପରେ ସେଥିରେ ଆଉ ୪ଟି ହସ୍ପିଟାଲ୍ ଯୋଡ଼ିହେବ। ବାଙ୍ଗାଲୋରରେ ତିନି ହସ୍ପିଟାଲ୍‌ ନିର୍ମାଣ କରାଯାଉଛି। ରାୟପୁରରେ ୫୦୦ କୋଟି ଟଙ୍କା ନିବେଶରେ ଏକ ୩୫୦ ଶଯ୍ୟାର ହସ୍ପିଟାଲ୍ ତିଆରି ହେଉଛି। ସବୁ ହସ୍ପିଟାଲ୍‌କୁ ମିଶାଇଲେ କମ୍ପାନିର ଶଯ୍ୟା ସଂଖ୍ୟା ଚଳିତ ବର୍ଷ ଶେଷ ସୁଦ୍ଧା ୧୦,୫୦୦ରୁ ଅଧିକ ହୋଇଯିବ। ଏଥି ସହିତ ମଣିପାଲ୍‌ ଦେଶର ସବୁଠୁ ବଡ଼ ହସ୍ପିଟାଲ୍ ଶୃଙ୍ଖଳାରେ ପରିଣତ ହେବ।

ସମ୍ବନ୍ଧିତ ଖବର