ଆମ୍ରି ହସ୍ପିଟାଲ୍‌କୁ କିଣିବ ମଣିପାଲ୍ : ୨୪୦୦ କୋଟିର ଡିଲ୍

ଆମ୍ରିର ୪ ହସ୍ପିଟାଲ୍‌ରୁ ଭୁବନେଶ୍ବରରେ ଗୋଟିଏ

କୋଲକାତା : ଇମାମି ଗ୍ରୁପ୍ ଅଧୀନରେ ପରିଚାଳିତ ହେଉଥିବ‌ା ଆମ୍ରି ହସ୍ପିଟାଲ୍‌ସକୁ ୨୪୦୦ କୋଟି ଟଙ୍କାରେ କିଣିବ ମଣିପାଲ୍ ଗ୍ରୁପ୍। ଏହାକୁ ନେଇ ଉଭୟ ସଂସ୍ଥା ଭିତରେ ବହୁଦିନରୁ ମୁଲଚାଲ ଚାଲିଥିଲା। ଶେଷରେ ୨୪୦୦ କୋଟି ଟଙ୍କାରେ ଡିଲ୍ ଚୂଡ଼ାନ୍ତ ହୋଇଛି। ଆମ୍ରି ହସ୍ପିଟାଲ୍‌ର କୋଲକାତାରେ ତିନିଟି ଓ ଓଡ଼ିଶାର ଭୁବନେଶ୍ବରରେ ଗୋଟିଏ ହସ୍ପିଟାଲ୍ ରହିଛି। ବୁଝାମଣା ଅନୁସାରେ ପ୍ରଥମ କିସ୍ତିରେ ମଣିପାଲ ଗ୍ରୁପ୍ ୭୫ ପ୍ରତିଶତ ରାଶି ପ୍ରଦାନ କରିବ ଓ ଅବଶିଷ୍ଟ ରାଶି ବର୍ଷକ ପରେ ଦେବ।

ମଣିପାଲ ଗ୍ରୁପ୍ ପାଖରେ ୨୮ଟି ହସ୍ପିଟାଲ୍‌ରେ ୯୫୦୦ ଶଯ୍ୟା ରହିଛି। ଆମ୍ରିକୁ କିଣିବା ପରେ ତାହାର ଶଯ୍ୟା ସଂଖ୍ୟା ଆଉ ୧୨୦୦ ବଢ଼ିଯିବ ଏବଂ ତାହା ଭାରତର ସର୍ବବୃହତ ହସ୍ପିଟାଲ୍ ଶୃଙ୍ଖଳା ଭାବେ ଉଭା ହେବ। ଆମ୍ରି ହସ୍ପିଟାଲ୍‌ସରେ ଇମାମି ଗ୍ରୁପ୍‌ର ୯୮ ପ୍ରତିଶତ ଅଂଶଧନ ଥିବା ବେଳେ ଅବଶି‌ଷ୍ଟ ଅଂଶଧନ ପଶ୍ଚିମବଙ୍ଗ ସରକାରଙ୍କ ପାଖରେ ରହିଛି। ଆମ୍ରି ହସ୍ପିଟାଲ୍‌ ବିକ୍ରିକୁ ନେଇ ଇମାମି ଓ ମଣିପାଲ୍ ମଧ୍ୟରେ ୨୦୧୮ରୁ ମୁଲଚାଲ ଆରମ୍ଭ ହୋଇଥିଲା। ୧୮୦୦ କୋଟି ଟଙ୍କାରେ ଆମ୍ରିକୁ କିଣିବା ଲାଗି ମଣିପାଲ ରାଜି ମଧ୍ୟ ହୋଇଥିଲା। କିନ୍ତୁ ହଠାତ୍‌ ବୁଝାମଣାରୁ ଇମାମି ଓହରିଯାଇଥିଲା। ବାଧ୍ୟ ହୋଇ ମଣିପାଲ୍ ପକ୍ଷରୁ ଇମାମି ବିରୋଧରେ ମଧ୍ୟସ୍ଥତା ମାମଲା ରୁଜୁ କରାଯାଇଥିଲା। ଅନ୍ୟ କୌଣସି ସଂସ୍ଥାକୁ ଆମ୍ରିର ଅଂଶଧନ କିମ୍ବା ପରିଚାଳନା ଦାୟିତ୍ବ ହସ୍ତାନ୍ତର କରିବା ଉପରେ ରୋକ ଲଗାଇବା ଲାଗି ମଣିପାଲ ଗ୍ରୁପ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା। ଏବେ ବିକ୍ରିକୁ ନେଇ ଉଭୟ ପକ୍ଷ ରାଜି ହୋଇଥିବାରୁ ଇମାମି ବିରୋଧରେ ଦାଖଲ ହୋଇଥିବା ସବୁ ମାମଲାକୁ ପ୍ରତ୍ୟାହାର କରିନିଆଯାଇଛି। ତେବେ ଇତି ମଧ୍ୟରେ ଡିଲ୍ ମୂଲ୍ୟ ୩୩% ବୃଦ୍ଧି ପାଇଛି।

ତିନି ବର୍ଷ ମଧ୍ୟରେ ମଣିପାଲ୍ ଗ୍ରୁପ୍‌ର ଏହା ତୃତୀୟ ହସ୍ପିଟାଲ୍ ଅଧିଗ୍ରହଣ। ୨୦୨୦‌ରେ ଏହା ୨୧୦୦ କୋଟି ଟଙ୍କାରେ କଲମ୍ବିଆ ଏସିଆ ହସ୍ପିଟାଲ୍‌କୁ ଏବଂ ୨୦୨୧ ଜୁନ୍‌ରେ ବେଙ୍ଗାଲୁରୁର ବିକ୍ରମ ହସ୍ପିଟାଲ୍‌ସକୁ ୩୫୦ କୋଟି ଟଙ୍କାରେ କିଣିଥିଲା। କେରଳର କିମ୍‌ସ ହସ୍ପିଟାଲ୍‌ର ୭୦% ଅଂଶଧନ କିଣିବାକୁ ମଣିପାଲ୍ ଉଦ୍ୟମ କରୁଛି।

ସମ୍ବନ୍ଧିତ ଖବର