ମୁମ୍ବାଇ : ଟାଟା ଗ୍ରୁପ୍ ମାଲିକାନାରେ ଥିବା ଏୟାର ଇଣ୍ଡିଆର ପାଇଲଟ୍, ଫ୍ଲାଇଟ୍ ଷ୍ଟାଫ୍ ଏବଂ କ୍ୟାବିନ୍ କ୍ରୁଙ୍କ ୟୁନିଫର୍ମକୁ ପ୍ରଖ୍ୟାତ ଫ୍ୟାସନ୍ ଡିଜାଇନର ମନୀଷ ମାଲହୋତ୍ରା ଡିଜାଇନ୍ କରିବେ। ଆଜି ଏୟାର ଇଣ୍ଡିଆ ଏ ନେଇ ଏକ ଆନୁଷ୍ଠାନିକ ଘୋଷଣା କରିଛି ଓ  ମନୀଷ ମାଲହୋତ୍ରାଙ୍କ ଭଳି ଜଣେ ସେଲିବ୍ରିଟି ଡିଜାଇନର୍  ଏୟାରଲାଇନ୍ସ କର୍ମଚାରୀଙ୍କ ୟୁନିଫର୍ମ ଡିଜାଇନ୍ କରିବେ ବୋଲି ଖୁସି ବ୍ୟକ୍ତ କରିଛି  ।

Advertisment

ଆଜି ଏୟାର ଇଣ୍ଡିଆ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର)ରେ ଏକ ପୋଷ୍ଟ ମାଧ୍ୟମରେ ଏହି ଘୋଷଣା କରିଛି । “ପ୍ରସିଦ୍ଧ ଫ୍ୟାଶନ ଡିଜାଇନରଙ୍କ ସହ ଆମର ଭାଗିଦାରୀ ଘୋଷଣା କରି ଖୁସି ଲାଗୁଛି । ମନୀଷ ମାଲହୋତ୍ରା ଆମର କ୍ୟାବିନ୍ କ୍ରୁ, ପାଇଲଟ୍ ଏବଂ ଅନ୍ୟ ସହକର୍ମୀଙ୍କ ପାଇଁ ନୂଆ ୟୁନିଫର୍ମ ଡିଜାଇନ୍ କରିବାକୁ ଯାଉଛନ୍ତି। ଆଗାମୀ ସମୟ ବେଶ ଉତ୍ସାହଜନକ ହେବ, କାରଣ ମନୀଷ ଆମ କର୍ମଚାରୀମାନଙ୍କୁ ଏକ ନୂଆ ଲୁକ୍ ଦେବାକୁ ଯାଉଛନ୍ତି- ଫ୍ୟାସନ ଉଡ଼ାଣ ନେଇଛି ।“

କିଛି ଦିନ ତଳେ ଏକ ରିପୋର୍ଟ ଆସିଥିଲା ଯେ ଦୀର୍ଘ ୬ ଦଶନ୍ଧି ପରେ ଏୟାର ଇଣ୍ଡିଆ ଏହାର ଏୟାରଲାଇନ୍ସ ପାଇଁ ୟୁନିଫର୍ମ ପରିବର୍ତ୍ତନ କରିବାକୁ ଯାଉଛି । ଏବେ ଏୟାର ଇଣ୍ଡିଆରେ ମହିଳା ଏୟାର ହୋଷ୍ଟେସ୍ ଶାଢ଼ି ଓ ପୁରୁଷ କ୍ୟାବିନ୍ କ୍ରୁ ସୁଟ୍ ପିନ୍ଧିଛନ୍ତି। ଏବେ ଏଥିରେ ପରିବର୍ତ୍ତନ ଦେଖିବାକୁ ମିଳିବ ।