ମୋଦୀଙ୍କୁ ମନମୋହନଙ୍କ ପ୍ରଶ୍ନ

ନୂଆଦିଲ୍ଲୀ: ଏନ୍‌ଡିଏ ସରକାରଙ୍କ ବିଫଳତା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିଛନ୍ତି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ମୋଦୀଙ୍କୁ ସେ କେତେକ ପ୍ରଶ୍ନ କରିଛନ୍ତି। ୨୦୧୪ ନିର୍ବାଚନ ବେଳର ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପଚାରିଛନ୍ତି। କୃଷି ସଙ୍କଟ ଠାରୁ ଆରମ୍ଭ କରି ଅର୍ଥନୀତିରେ ସମସ୍ୟା, କଳାଧନ, ବିମୁଦ୍ରୀକରଣ ଓ ଜିଏସ୍‌ଟି ଆଦି ବିଷୟରେ ମୋଦୀଙ୍କୁ ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ନେତା କପିଲ ଶିବଲ୍‌ଙ୍କ ପୁସ୍ତକ ‘ସେଡ୍‌ସ୍‌ ଅଫ୍‌ ଟ୍ରୁଥ୍‌: ଏ ଜର୍ଣ୍ଣି ଡିରେଲଡ୍‌’କୁ ଉନ୍ମୋଚନ କରିବା ଅବସରରେ ସେ କହିଲେ, କୃଷି ସଙ୍କଟକୁ ସରକାର ଠିକ୍‌ ଭାବେ ମୁକାବିଲା କରିପାରିନାହାନ୍ତି। ଦେଶର ରାଜଧାନୀ ଓ ରାଜ୍ୟ ରାଜଧାନୀରେ ବିକ୍ଷୋଭ ପ୍ରଦର୍ଶନ କରିବା ବେଳେ କୃଷକଙ୍କ ମୃତ୍ୟୁ ହେଉଛି। ସେମାନଙ୍କ ଉତ୍ପାଦିତ ସାମଗ୍ରୀର ଉଚିତ ମୂଲ୍ୟ ପ୍ରଦାନ କରିବାରେ ସରକାର ବିଫଳ ହୋଇଛନ୍ତି ବୋଲି ମନମୋହନ କହିଛନ୍ତି। ଦେଶରେ ବହୁ ସଂଖ୍ୟାରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ନେଇ ସରକାର ଯେଉଁ ତଥ୍ୟ ଜାରି କରିଛନ୍ତି ତାହାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ପ୍ରତିଶ୍ରୁତି ଦିଆଯାଇଥିବା ୨ କୋଟି ନିଯୁକ୍ତି ପାଇବାକୁ ଉତ୍ସୁକତାର ସହିତ ଆମ ଯୁବ ସମାଜ ଚାହି ରହିଛନ୍ତି। ମାତ୍ର ବିଗତ ୪ ବର୍ଷ ଭିତରେ ନିଯୁକ୍ତି ସୃଷ୍ଟି ହାର ହ୍ରାସ ପାଇବାରେ ଲାଗିଛି। ବଡ଼ ଧରଣର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଥିବା ନେଇ ସରକାର ଯେଉଁ ତଥ୍ୟ ଜାରି କରିଛନ୍ତି ତାହାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି ବୋଲି ମନମୋହନ କହିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସରେ ୮.୨% ଅଭିବୃଦ୍ଧି ହୋଇଥିବା ତଥ୍ୟ ଜାରି ହେବାର କିଛି ଦିନ ପରେ ମନମୋହନ ସିଂହ ମୁହଁ ଖୋଲିଛନ୍ତି।

୨୦୧୪ର ପ୍ରତିଶ୍ରୁତି ଗଲା କୁଆଡ଼େ?
ବିଦେଶରୁ କଳାଧନ ଆଣିଲ କି?
୨ କୋଟି ଲୋକଙ୍କୁ ନିଯୁକ୍ତି ଦେଇଛ କି?
ମେକ୍‌ ଇନ୍‌ ଇଣ୍ଡିଆ ପ୍ରଭାବ କେବେ ଦେଖିବାକୁ ମିଳିବ?

ସେ କହିଲେ ଶିଳ୍ପ ଉତ୍ପାଦନ ଓ ରପ୍ତାନି ସ୍ଥିର ରହିଛି। ମେକ୍‌ ଇନ୍‌ ଇଣ୍ଡିଆ ଓ ଷ୍ଟାଣ୍ଡ୍‌ଅପ୍‌ ଇଣ୍ଡିଆର ଏପର୍ଯ୍ୟନ୍ତ କୌଣସି ପ୍ରଭାବ ଦେଖିବାକୁ ମିଳିନାହିଁ। ବିମୁଦ୍ରୀକରଣ ଓ ଜିଏସ୍‌ଟିର ଲାଭ କ୍ଷୁଦ୍ର ସଂସ୍ଥାଗୁଡ଼ିକ ପାଖରେ ପହଞ୍ଚିନି। ବିଦେଶରୁ କଳାଧନ ଫେରାଇ ଆଣିବାରେ ମଧ୍ୟ ମୋଦୀ ସରକାର କିଛି ଠୋସ୍‌ ପଦକ୍ଷେପ ଗ୍ରହଣ କରିନାହାନ୍ତି ବୋଲି ମନମୋହନ କହିଛନ୍ତି। ମହିଳା, ଦଳିତ ଓ ସଂଖ୍ୟାଲଘୁମାନେ ଏକ ଅସୁରକ୍ଷିତ ପରିବେଶରେ ଜୀବନ ଅତିବାହିତ କରୁଛନ୍ତି। ଏକ ଗଣତାନ୍ତ୍ରିକ ଦଳ ଓ ଗଣତାନ୍ତ୍ରିକ ରାଜନୀତିର ମୂଲ୍ୟବୋଧକୁ ସୁରକ୍ଷା ପ୍ରଦାନ କରିବା କଥା ମୋଦୀ ସରକାର ଯାହା କହିଥିଲେ ତାହାକୁ ଧୀରେ ଧୀରେ ନ୍ୟୁନ କରିବାରେ ଲାଗିଛନ୍ତି। ବିଗତ ଚାରି ବର୍ଷ ଭିତରେ ପଡ଼ୋଶୀଙ୍କ ସହିତ ସମ୍ପର୍କ ଖରାପ ହୋଇଛି। ବିଜ୍ଞାନ ଓ ପ୍ରଯୁକ୍ତିର ଅଭିନବ ବ୍ୟବହାର କ୍ଷେତ୍ରରେ ମଧ୍ୟ ସରକାର ବିଫଳ ହୋଇଥିବା ସେ କହିଛନ୍ତି। ଏହି ଅବସରରେ ଶ୍ରୀ ଶିବଲ୍‌ ମଧ୍ୟ ମୋଦୀଙ୍କୁ ସମାଲୋଚନା କରିବାକୁ ଭୁଲିନାହାନ୍ତି। ବିମୁଦ୍ରୀକରଣ ବିଷୟରେ ସେ କହିଛନ୍ତି ଯେ, ଯଦି ଅନ୍ୟ କୌଣସି ଦେଶ ହୋଇଥାନ୍ତା ତେବେ ମୋଦୀଙ୍କୁ ଇସ୍ତଫା ଦେବାକୁ ପଡ଼ିଥାନ୍ତା।

ସମ୍ବନ୍ଧିତ ଖବର