ଦେଶ ଆଗରେ ବଡ଼ ଆର୍ଥିକ ସଂକଟ, ମୁକାବିଲା ପାଇଁ ୩-ସୁତ୍ରୀ ପ୍ରସ୍ତାବ ରଖିଲେ ମନମୋହନ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଭାରତୀୟ ଅର୍ଥନୀତି ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି । ଏହା ଯୋଗୁଁ ଦେଶରେ ଏକ ଲମ୍ବା ସମୟ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇପାରେ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ । ଏହାର ମୁକାବିଲା କରିବାକୁ ସେ ମୋଦୀ ସରକାରଙ୍କୁ ୩-ସୁତ୍ରୀ ପ୍ରସ୍ତାବ ଦେଇଛନ୍ତି ।

ବିବିସିକୁ ଏକ ସାକ୍ଷାତକାର ଦେଇ ସେ କହିଛନ୍ତି ଯେ ବର୍ତ୍ତମାନ ଦେଶରେ କରୋନା ମହାମାରୀ ଯୋଗୁଁ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି । ସମଗ୍ର ବିଶ୍ୱର ଅର୍ଥନୀତିକୁ ଗୁରୁତର କ୍ଷତି ପହଞ୍ଚାଇଛି ଏହି ମହାମାରୀ । ଏହାଯୋଗୁଁ ଅର୍ଥନୀତି ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେବ ଓ ଏହା ଦୀର୍ଘ ସମୟ ଧରି ଚାଲିବ । ମାନବ ସମାଜ ବିଶେଷକରି ଗରିବଙ୍କ ଉପରେ ଏହାର ବଡ଼ ପ୍ରଭାବ ପଡ଼ିବ । ଏଣୁ ଏହି ଆର୍ଥିକ ସଂକଟକୁ ସରକାର କେବଳ ଅର୍ଥନୈତିକ ତଥ୍ୟ, ମଡେଲ ଦୃଷ୍ଟିକୋଣରୁ ନ ଦେଖି ମାନବୀୟ ଓ ସାମାଜିକ ଦୃଷ୍ଟିକୋଣରୁ ଦେଖିବା ଆବଶ୍ୟକ । ଏହାର ମୁକାବିଲା ପାଇଁ ମୋଦୀ ସରକାର ଜରୁରୀକାଳୀନ ଭିତ୍ତିରେ ୩ଟି ପଦକ୍ଷେପ ତୁରନ୍ତ ନେବା ଆବଶ୍ୟକ । ପ୍ରଥମଟି ହେଉଛି ଲୋକମାନଙ୍କୁ ସିଧାସଳଖ ଅର୍ଥ ପ୍ରେରଣ କରି ସେମାନଙ୍କ ଜୀବିକା ଓ ବ୍ୟୟଶକ୍ତିକୁ ବଞ୍ଚାଇ ରଖିବା ଆବଶ୍ୟକ, ଦ୍ୱିତୀୟରେ ବ୍ୟବସାୟଗୁଡ଼ିକୁ ସୁଲଭ ମୂଲ୍ୟରେ ପାଣ୍ଠି ଯୋଗାଇବା ଓ ତୃତୀୟରେ ଆର୍ଥିକ ସଂସ୍ଥାଗୁଡ଼ିକୁ ଅଧିକ ସ୍ୱାୟତ୍ତତା ପ୍ରଦାନ କରି ସେମାନଙ୍କୁ ସୁଦୃଢ କରାଯାଉ ।

ସମ୍ବନ୍ଧିତ ଖବର