ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଜୁଲାଇ ୫ରେ ୨୦୧୯-୨୦ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ କରିବେ। କେନ୍ଦ୍ର ସରକାରଙ୍କ ବଜେଟ୍ ଉପସ୍ଥାପନ କରିବାରେ ନିର୍ମଳା ହେବେ ଦ୍ବିତୀୟ ମହିଳା। ପୂର୍ବରୁ ୧୯୭୦-୭୧ରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଅର୍ଥମନ୍ତ୍ରୀ ଭୂମିକା ନିର୍ବାହ କରି ବଜେଟ୍ ଉପସ୍ଥାପନ କରିଥିଲେ। ଏଠାରେ ବଜେଟ୍ର ଇତିହାସକୁ ନେଇ କେତେକ ରୋଚକ ତଥ୍ୟ ଉପସ୍ଥାପନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦେଶର ପ୍ରଥମ ଅର୍ଥମନ୍ତ୍ରୀ ଆର୍କେ ଷଣ୍ମୁଖମ୍ ଚେଟି ୧୯୪୭ ନଭେମ୍ବର ୨୬ରେ ସ୍ବାଧୀନ ଭାରତର ପ୍ରଥମ ଅନ୍ତରୀଣ ବା କାମଚଳା ବଜେଟ୍ ଉପସ୍ଥାପନ କରିଥିଲେ। ଅର୍ଥମନ୍ତ୍ରୀ ଭାବେ ମୋରାରଜୀ ଦେଶାଇ ସର୍ବାଧିକ ୧୦ ଥର ବଜେଟ୍ ଉପସ୍ଥାପନ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦମ୍ବରମ ୯ ଥର ଓ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରୁଥିବା ସମୟରେ ୮ ଥର ବଜେଟ୍ ଉପସ୍ଥାପନ କରିଥିଲେ।ବଜେଟ୍ ଉପସ୍ଥାପନ ହେବାର ୧୦ ଦିନ ପୂର୍ବରୁ ହାଲୁଆ ଉତ୍ସବ ଅନୁଷ୍ଠିତ ହୋଇଥାଏ। ସେହିଦିନଠାରୁ ବଜେଟ୍ କାଗଜପତ୍ର ଛପା ଆରମ୍ଭ ହୁଏ। ଏହି ଉତ୍ସବରେ ଅର୍ଥ ମନ୍ତ୍ରଣାଳୟରେ ହାଲୁଆ ବଣ୍ଟନ କରାଯାଇଥାଏ।
୧୯୬୫-୬୬ ବଜେଟ୍ରେ ପ୍ରଥମ ଥର ପାଇଁ କଳାଧନ ଘୋଷଣା କରିବା ସ୍କିମ୍ ବିଷୟରେ ପ୍ର୍ରସ୍ତାବ ରଖାଯାଇଥିଲା।
୧୯୯୭-୯୮ରେ ପି ଚିଦମ୍ବରମ୍ ଉପସ୍ଥାପନ କରିଥିବା ବଜେଟ୍କୁ ସ୍ବପ୍ନର ବଜେଟ୍ କୁହାଯାଏ। ସେହି ବଜେଟ୍ରେ ଚିଦମ୍ବରମ ଆୟକର ଓ କର୍ପୋରେଟ ଟିକସ କମ୍ କରିଥିଲେ ଓ ଅନେକ ସଂସ୍କାରମୂଳକ ପଦକ୍ଷେପ ଘୋଷଣା କରିଥିଲେ।
୧୯୯୯ ବଜେଟ୍କୁ ଦିନ ୧୧ଟାରେ ଉପସ୍ଥାପନ କରି ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ଦୀର୍ଘ ଦିନରୁ ପ୍ରଚଳିତ ଥିବା ଏକ ପରମ୍ପରା ଭାଙ୍ଗିଥିଲେ। ଏହା ପୂର୍ବରୁ ସନ୍ଧ୍ୟା ୫ଟାରେ ବଜେଟ୍ ଉପସ୍ଥାପନ କରାଯାଉଥିଲା।
ଦେଶର ସବୁଠୁ ଲମ୍ବା ବଜେଟ୍କୁ ୧୯୯୧ରେ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଉଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଉପସ୍ଥାପନ କରିଥିଲେ।
୧୯୭୩-୭୪ରେ ପୂର୍ବତନ ଅର୍ଥମନ୍ତ୍ରୀ ଯଶୋବନ୍ତରାଓ ବି ଚହ୍ବାନ ଉପସ୍ଥାପନ କରିଥିବା ବଜେଟ୍କୁ ‘କଳା ବଜେଟ୍’ କୁହାଯାଏ।
୯୨ ବର୍ଷ ପରେ ୨୦୧୬ରେ ସାଧାରଣ ବଜେଟ୍ ସହିତ ରେଳ ବଜେଟ୍କୁ ମିଶାଇ ଦିଆଯାଇଥିଲା। ଏହା ପୂର୍ବରୁ ଏକ ପୃଥକ ରେଳ ବଜେଟ୍ ଉପସ୍ଥାପନ କରାଯାଉଥିଲା। ସାଧାରଣତଃ ଫେବ୍ରୁଆରି ମାସର ଶେଷ ଦିନରେ ବଜେଟ୍ ଉପସ୍ଥାପନ କରାଯାଏ। ୨୦୧୭ରେ ସେହି ପରମ୍ପରା ଭାଙ୍ଗିଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ଫେବ୍ରୁଆରି ୧ ତାରିଖରେ ବଜେଟ୍ ଉପସ୍ଥାପନ କରିଥିଲେ।