ଅର୍ଥନୀତିରେ ସୁଧାର ପାଇଁ ମନମୋହନଙ୍କ ମନ୍ତ୍ର, ଲୋକଙ୍କ ହାତରେ ଟଙ୍କା ଦିଅ

ବ୍ୟବସାୟୀଙ୍କ ପାଣ୍ଠି କଥା ବୁଝ, ଦେଶର ସୀମା, ଜୀବନଜୀବିକାର ସୁରକ୍ଷା ପାଇଁ ଋଣ କର

ନୂଆଦିଲ୍ଲୀ: କରୋନା ମହାମାରୀୁ ସଙ୍କଟ ଯେତେ ଲମ୍ବା ହେବାରେ ଲାଗିଛି ଦେଶ ପ୍ରତି ଆର୍ଥିକ ମାନ୍ଦାବସ୍ଥାର ବିପଦ ସେତେ ଅଧିକ ଘନେଇ ଆସୁଛି। ଦେଶରେ ନିଶ୍ଚିତ ମାନ୍ଦାବସ୍ଥା ଦେଖାଦେବ। ସେଥିରୁ ଅର୍ଥନୀତିକୁ ବାହାର କରି ସୁଧାର ଆଡ଼କୁ ନେବାକୁ ହେଲେ ସରକାରଙ୍କୁ ଏବେଠାରୁ କେତେକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମ‌ନମୋହନ ସିଂହ କହିଛନ୍ତି। ସେ ସରକାରଙ୍କୁ କେତେକ ପରାମର୍ଶ ଦେଇଛନ୍ତି। ଲୋକମାନଙ୍କ ଜୀବିକାକୁ ସୁରକ୍ଷିତ ରଖିବା ପାଇଁ ସରକାରଙ୍କୁ ପଦକ୍ଷେପ ନେବାକୁ ପଡ଼ିବ। ନିତିଦିନିଆ ଖର୍ଚ ପାଇଁ ଲୋକଙ୍କ ହାତରେ ସିଧାସଳଖ ଟଙ୍କା ପହଞ୍ଚାଇବା ଲାଗି ସେ ପରାମର୍ଶ ଦେଇଛନ୍ତି। ବିବିସି ସହ ବାର୍ତାଳାପରେ ସେ କହିଛନ୍ତି, ବର୍ତ୍ତମାନ ଅର୍ଥନୀତିରେ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି ତାହାର ପ୍ରମୁଖ କାରଣ ହେଉଛି ମା‌ନବୀୟ ସଙ୍କଟ। ଅର୍ଥନୀତିର ସଂଖ୍ୟା ଓ ପଦ୍ଧତି ଦୃଷ୍ଟିରେ ନୁହେଁ, ସମାଜର ଭାବାବେଗ ଦୃଷ୍ଟିରେ ଏହି ସଙ୍କଟକୁ ଦେଖିବା ଲାଗି ସେ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। ସଂସ୍ଥାଗତ ସ୍ବାଧୀନତା ଓ ପ୍ରକ୍ରିୟା ଜରିଆରେ ଆର୍ଥିକ‌ କ୍ଷେତ୍ରରେ ସୁଧାର ଆଣିବା ଲାଗି ପଦକ୍ଷେପ ନେବାକୁ ସେ କହିଛନ୍ତି।

ଦେଶରେ କରୋନା ସଂକ୍ରମଣ ବୃଦ୍ଧିର ଧାରା ଜାରି ରହିଥିବା ବେଳେ ଭାରତର ଅଭିବୃଦ୍ଧି ଋଣାତ୍ମକ (ନେଗେଟିଭ) ହେବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି। ଏଭଳି ଏକ ସମୟରେ ଅର୍ଥନୀତିରେ ସୁଧାର ଆଣିବା ଲାଗି ମନମୋହନ ଦେଇଥିବା ପରାମର୍ଶଗୁଡ଼ିକ ଗୁରୁତ୍ବ ବହନ କରୁଛି। ବ୍ୟାବସାୟିକ ସଂସ୍ଥାଗୁଡ଼ିକ ପୁଞ୍ଜି ଓ ଋଣକୁ ନେଇ ଯେଉଁ ସମସ୍ୟା ଦେଇ ଗତି କରୁଛନ୍ତି ତାହାର ସମାଧାନ ଲାଗି ଋଣ ହେଉଛି ଏକମାତ୍ର ବାଟ ବୋଲି ସେ କହିଛନ୍ତି। ଅଧିକ ଋଣ କରିବା ଅପରିହାର୍ଯ୍ୟ। ସାମରିକ, ସ୍ବାସ୍ଥ୍ୟ ଓ ଅର୍ଥନୈତିକ ଆହ୍ବାନର ମୁକାବିଲା ଲାଗି ଯଦି ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଆଉ ୧୦ ପ୍ରତିଶତ ଅର୍ଥ ଖର୍ଚ୍ଚ ଦରକାର ହେବ ତେବେ ତାହା ଆମକୁ ଖର୍ଚ୍ଚ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଋଣ ଠାରୁ ଦୂରେଇ ରହିଲେ ଚଳିବ ନାହିଁ। ଯଦି ଋଣ ଦ୍ବାରା ଦେଶର ସୀମା, ଲୋକମାନଙ୍କ ଜୀବନ ରକ୍ଷା ହୋଇପାରିବ ଏବଂ ଲୋକଙ୍କ ଜୀବିକା ଫେରିପାରିବ ତେବେ ଆମକୁ ଋଣ କରିବାକୁ ପଡ଼ିବ ବୋଲି ମନମୋହନ କହିଛନ୍ତି।

ବ୍ୟୟ ଭାର ସମ୍ଭାଳିବା ଲାଗି ଅଧିକ ଟଙ୍କା ଛପାଇବାକୁ ନୋବେଲ ପୁରସ୍କାର ବିଜେତା ଅର୍ଥନୀତିଜ୍ଞ ଅଭିଜିତ ବାନାର୍ଜୀ ଅତୀତରେ ପରାମର୍ଶ ଦେଇଥିଲେ। ସେ ସମ୍ପର୍କରେ ମନମୋହନ କହିଛନ୍ତି ଏହା ଦରକାର ପଡ଼ିପାରେ। କିନ୍ତୁ ତାହାକୁ ଚୂଡ଼ାନ୍ତ ପଦକ୍ଷେପ ଭାବେ ଗ୍ରହଣ କରିବା ଦରକାର। ବଜାରରେ ଯଦି ଅଧିକ ମାତ୍ରାରେ ଅର୍ଥରାଶି ରହିବ ତେବେ ମୁଦ୍ରାସ୍ଫୀତି ହାର ବଢ଼ିବାର ଆଶଙ୍କା ରହିଛି। ବିକଶିତ ଦେଶଗୁଡ଼ିକ ପାଇଁ ତାହାର ଆଉ କୌଣସି ପ୍ରାସଙ୍ଗିକତା ନାହିଁ। ମାତ୍ର ଭାରତ ଭଳି ଦେଶରେ ଯଦି ଅଧିକ ମାତ୍ରାରେ ଟଙ୍କା ଛପାଯିବ ତେବେ ତାହା ମୁଦ୍ରାର ବିନିମୟ ମୂଲ୍ୟ ଓ ବାଣିଜ୍ୟକୁ ପ୍ରଭାବିତ କରିବ ଏବଂ ମୁଦ୍ରାସ୍ଫୀତି ବୃଦ୍ଧିର ମଧ୍ୟ କାରଣ ହେବ ବୋଲି ସେ କହିଛନ୍ତି। ବିଶ୍ବ ସହିତ ଭାରତର ସମ୍ପର୍କ ଏକ ଚିନ୍ତାର କାରଣ। ଯଦି ବିଶ୍ବ ଅର୍ଥନୀତିରେ କିଛି ଘଟଣା ଘଟିବ ତାହାର ପ୍ରଭାବ ଭାରତୀୟ ଅର୍ଥନୀତି ଉପରେ ପଡ଼ିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର