ଭୁବନେଶ୍ବର: ରାଜ୍ୟ ଅତିଥି ଭବନରେ କେନ୍ଦ୍ର ଶକ୍ତି, ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିଛନ୍ତି। ଏଥି ସହିତ ଦିନରେ ସେ ଶକ୍ତି କ୍ଷେତ୍ରର ଏକ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ। ପୁନର୍ବିକଶିତ ବିତରଣ କ୍ଷେତ୍ର ଯୋଜନା (ଆରଡିଏସ୍ଏସ୍)ର ପରବର୍ତ୍ତୀ ପର୍ଯ୍ୟାୟରେ ଓଡ଼ିଶାକୁ ସାମିଲ କରିବା ସମ୍ପର୍କରେ ଉପଯୁକ୍ତ ଭାବେ ବିବେଚନା କରାଯିବ ବୋଲି ସେ କହିଥିଲେ। ଏଥିସହିତ ଶକ୍ତି ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁଯାୟୀ ଏନ୍ଏଲ୍ସି ଇଣ୍ଡିଆର ତଲାବିରା ତାପଜ ବିଦ୍ୟୁତ୍ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟରୁ ଓଡ଼ିଶାକୁ ପର୍ଯ୍ୟାପ୍ତ ବିଦ୍ୟୁତ୍ ମିଳିବ। ଶ୍ରୀ ଖଟ୍ଟର ଶକ୍ତି କ୍ଷେତ୍ରର ବିସ୍ତୃତ ସମୀକ୍ଷା ବୈଠକରେ ଯୋଗଦେଇ ଏହି ଆଶ୍ୱାସନା ଦେଇଛନ୍ତି।
ସମୀକ୍ଷା ବୈଠକରେ ଫ୍ଲାଏ ଆସ୍ର ଉପଯୋଗ, କ୍ଷମତା ବୃଦ୍ଧି, ସଞ୍ଚାରଣ ଭିତ୍ତିଭୂମି ଏବଂ ବିଦ୍ୟୁତ୍ ଆବଣ୍ଟନ ଭଳି ପ୍ରମୁଖ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। ଫ୍ଲାଏ ଆସ୍ ଉପଯୋଗ ଲକ୍ଷ୍ୟ ପ୍ରାପ୍ତି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ଫ୍ଲାଏ ଆସ୍ ପରିବହନ ପାଇଁ ପର୍ଯ୍ୟାପ୍ତ ରେଳ ରେକ୍ ବ୍ୟବସ୍ଥା ସମେତ ଏହି ପ୍ରସଙ୍ଗର ସମାଧାନ ନିମନ୍ତେ କୋଇଲା, ପରିବେଶ ଏବଂ ରେଳ ମନ୍ତ୍ରଣାଳୟ ସହିତ ଏକ ମିଳିତ ବୈଠକ ଡକାଯିବ। ରାଜ୍ୟ ସରକାର ବୈଠକରେ ସୂଚନା ଦେଇଥିଲେ ଯେ, ଓଡ଼ିଶାରେ ବର୍ତ୍ତମାନ ୨୦ ଗିଗାୱାଟ କୋଇଲାଭିତ୍ତିକ ତାପଜ ବିଦ୍ୟୁତ୍ ଉତ୍ପାଦନ କ୍ଷମତା ରହିଛି ଏବଂ ୧୦ ଗିଗାୱାଟ ଅତିରିକ୍ତ କ୍ଷମତା ବିକାଶ ପାଇଁ ଯୋଜନା କରାଯାଇଛି। ଏହା ଆସନ୍ତା ୫ରୁ ୬ ବର୍ଷ ମଧ୍ୟରେ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି।
କେନ୍ଦ୍ର ମନ୍ତ୍ରୀ ଓଡ଼ିଶାରେ ଅଧିକ ପିଟ୍ହେଡ୍ ତାପଜ ବିଦ୍ୟୁତ୍ ପ୍ଲାଣ୍ଟ୍ର ବିକାଶକୁ ପ୍ରୋତ୍ସାହିତ କରିଥିଲେ, ଯେଉଁଥିରେ ଅନ୍ୟ ରାଜ୍ୟର ବିଦ୍ୟୁତ୍ ଉତ୍ପାଦନ କମ୍ପାନି ସହିତ ମିଳିତ ଉଦ୍ୟୋଗ ସାମିଲ ରହିଛି। ସଞ୍ଚାରଣ କ୍ଷେତ୍ରରେ ଓଡ଼ିଶାର ରାଜ୍ୟବ୍ୟାପୀ ଯୋଜନା ରଣନୀତି ସହିତ ଭୁବନେଶ୍ୱର ଓ କଟକ ଭଳି ସହରକୁ ବିଦ୍ୟୁତ୍ ଯୋଗାଣ ସୁଦୃଢ଼ କରିବା ଲାଗି ନିକଟରେ ହୋଇଥିବା ଅଗ୍ରଗତି ସମ୍ପର୍କରେ ବୈଠକରେ ସୂଚନା ଦିଆଯାଇଥିଲା। ରାଇଟ୍ ଅଫ୍ ୱେ (ଆରଓଡବ୍ଲ୍ୟୁ) ସମସ୍ୟାର ସମାଧାନ ପାଇଁ ଓଡ଼ିଶା ପାୱାର ଟ୍ରାନ୍ସମିସନ୍ କର୍ପୋରେସନ୍ ଲିମିଟେଡ୍ (ଓପିଟିସିଏଲ୍) ଦ୍ୱାରା ନିଆଯାଇଥିବା ପଦକ୍ଷେପ ବିଷୟରେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ, ଓଡ଼ିଶାର ରାଜ୍ୟବ୍ୟାପୀ ସଞ୍ଚାରଣ ନେଟୱର୍କ ଅଧୀନରେ ଗ୍ରିନ୍ ଏନର୍ଜି କରିଡର ପ୍ରତିଷ୍ଠା ପ୍ରସ୍ତାବକୁ ୩୧ ମାର୍ଚ୍ଚ, ୨୦୨୫ ପରେ ନୂତନ ଏବଂ ଅକ୍ଷୟ ଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଗ୍ରହଣ କରାଯିବ। ବୈଠକରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ସମେତ ଶକ୍ତି ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ।