ମନୋହରପୁର, ଡିପ୍‌ ସାଇଡ୍‌ ମନୋହରପୁର କୋଇଲା ଖଣି ପାଇଁ ଜନଶୁଣାଣି

ଭୁବନେଶ୍ବର: ମନୋହରପୁର କୋଇଲା ଖଣିର ବାର୍ଷିକ କ୍ଷମତାକୁ ୮ ନିୟୁତ ଟନ୍‌ରୁ ବଢ଼ାଇ ୧୬ ନିୟୁତ ଟନ୍ କରିବା ଓ ମନୋହରପୁର ଓ ଡିପ୍‌ସାଇଡ୍‌ ମନୋରପୁର ଖଣିକୁ ଓଡ଼ିଶା କୋଲ୍‌ ଆଣ୍ଡ୍ ପାୱାର ଲିମିଟେଡ୍‌ (ଓପିସିଏଲ୍‌)ର ସମନ୍ବିତ ପ୍ରକଳ୍ପ କରିବା ଲାଗି ଚଳିତ ମାସ ୨୩ ତାରିଖରେ ଜନ ଶୁଣାଣି ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ କର୍ତ୍ତୃପକ୍ଷ, ଝାରସୁଗୁଡ଼ାର ଆଞ୍ଚଳିକ ଅଧିକାରୀ ଏଚ୍‌ ଏନ୍ ନାୟକଙ୍କ ଉପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଶୁଣାଣି ହୋଇଥିଲା। ବୈଠକରେ ଉପ ଜିଲ୍ଲାପାଳ (ସୁନ୍ଦରଗଡ଼ ସଦର) ଅଭିମନ୍ୟୁ ବେହେରା, ଏସ୍‌ଡିପିଓ ମଧୁସିକ୍ତା ମିଶ୍ର, ଅତିରିକ୍ତ ତହସିଲଦାର ହେମଗିର, ଏସ୍‌ପିସିବିର କର୍ମକର୍ତ୍ତା ଓ ଓସିପିଏଳ୍‌ର ଅଧିକାରୀ ଯୋଗ ଦେଇଥିଲେ।

କେନ୍ଦ୍ର ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ୨୦୨୦ ସେପ୍ଟେମ୍ବର ୧୪ରେ ପ୍ରକାଶ କରିଥିବା ଗାଇଡ୍‌ଲାଇନ୍ ଓ କୋଭିଡ୍‌-୧୯ କଟକଣାକୁ ପାଳନ କରି ଏହି ଜନ ଶୁଣାଣି ଆୟୋଜନ କରାଯାଇଥିଲା। ଓପିସିଏଲ୍ ତରଫରୁ ଅତିରିକ୍ତ ସାଧାରଣ ପ୍ରବନ୍ଧକ (ଖଣି ଓ ବୈଷୟିକ ସଂଯୋଜନା) ନିହାର ରଞ୍ଜନ ଶତପଥୀ ପ୍ରକଳ୍ପର ଇଆଇଏ/ଇଏମ୍‌ପି ରିପୋର୍ଟର ସମୀକ୍ଷା ଓ ସାରାଂଶ ପାଠ କରିଥିଲେ। ପ୍ରକଳ୍ପ ପ୍ରଭାବିତ ଗ୍ରାମରୁ ଆସିଥିବା ଲୋକମାନେ ବାୟୁ ପ୍ରଦୂଷଣ, ଜମି ଅଧିଗ୍ରହଣ, ପୁନର୍ବାସ ଓ ଥଇଥାନ ପ୍ୟାକେଜ୍, ଆଞ୍ଚଳିକ ନିଯୁକ୍ତି ଜନିତ ସମସ୍ୟା ଓ ସନ୍ଦେହ ଉପସ୍ଥାପନା କରିଥିଲେ। କିଛି ଅଂଶଗ୍ରହଣକାରୀ ଲିଖିତ ଭାବେ ସେମାନଙ୍କ ମତାମତ ଅତିରିକ୍ତ ଜିଲ୍ଲାପାଳ ଓ ଆଞ୍ଚଳିକ ଅଧିକାରୀଙ୍କୁ ଜଣାଇଥିଲେ। ଗ୍ରାମବାସୀ, ଅତିରିକ୍ତ ଜିଲ୍ଲାପାଳ ଓ ଆଞ୍ଚଳିକ ଅଧିକାରୀଙ୍କ ଦ୍ବାରା ଉପସ୍ଥାପନ କରାଯାଇଥିବା ସମସ୍ତ ବିଷୟର ଉତ୍ତର ଓସିପିଏଲ୍‌ର କର୍ମକର୍ତ୍ତା ଇଏମ୍‌ପି ପାଇଁ ନିଆଯାଇଥିବା ଲଘୁକରଣ ଉପାୟକୁ ପ୍ରତିପାଦନ କରି ଉପସ୍ଥାପନା କରିଥିଲେ। ଜନଶୁଶାଣି ସଫଳ ହୋଇଥିବା ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର