ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆରେ ମନୋରଞ୍ଜନ ଦାଶଙ୍କୁ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି। ନିକଟରେ ଭାରତୀୟ ରିଜର୍ଭ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା (ଇଡି) ଭାବେ ନିଯୁକ୍ତି ପାଇଥିବା ଚାରୁଲତା କରଙ୍କ ସ୍ଥାନରେ ସେ କାର୍ଯ୍ୟ କରିବେ। ଶ୍ରୀ ଦାଶ ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କର ରିସ୍କ ମନିଟରିଂ ବିଭାଗର ମୁଖ୍ୟ ମହାପ୍ରବନ୍ଧକ ଇନ୍‌ଚାର୍ଜ ଭାବେ କାର୍ଯ୍ୟ କରୁଛନ୍ତି। ଏହା ପୂର୍ବରୁ ସେ ରିଜର୍ଭ ବ୍ୟାଙ୍କ-ଗୌହାଟୀର ଆଞ୍ଚଳିକ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ।

Advertisment

୧୯୯୦ରେ ଗ୍ରେଡ୍‌ ‘ବି’ ଅଫିସର ଭାବେ ଶ୍ରୀ ଦାଶ ରିଜର୍ଭ ବ୍ୟାଙ୍କରେ ଯୋଗ ଦେଇଥିଲେ। ସେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ (ଓୟୁଏଟି)ରୁ ପାଠପଢ଼ିଛନ୍ତି। ସେ ଆଇଆଇବିଏଫ୍‌ର ଜଣେ ସାର୍ଟିଫାଏଡ୍ ଆସୋସିଏଟ୍‌। ଦୀର୍ଘ ତିନି ଦଶନ୍ଧି ଧରି ଶ୍ରୀ ଦାଶ ରିଜର୍ଭ ବ୍ୟାଙ୍କରେ ନିୟାମକ ଓ ନିରୀକ୍ଷଣ, ବ୍ୟାଙ୍କିଙ୍ଗ, ସାର୍ବଜନୀନ ଋଣ ପରିଚାଳନା‌, ମୁଦ୍ରା ପରିଚାଳନା ଆଦି ବିଭାଗରେ ମୁମ୍ବାଇ, କୋଲକାତା ଓ ହାଇଦ୍ରାବାଦରେ କାମ କରିଛନ୍ତି।