ଭୁବନେଶ୍ବର: ଖଣି ଖନନ ଓ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ନିଜର ଭିଟାମାଟିଠାରୁ ଆରମ୍ଭ କରି ସବୁକିଛି ଦେଉଛନ୍ତି। ରାଜ୍ୟ ଏବଂ ଦେଶର ବିକାଶରେ ଏହି ଅଞ୍ଚଳଗୁଡ଼ିକ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇ ଆସୁଛନ୍ତି। କିନ୍ତୁ ସେସବୁ ଅଞ୍ଚଳର ବିକାଶ ଦିଗହରା ହୋଇପଡ଼ିଛି। ସିଏସ୍ଆର୍ (କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧ) ଅଧୀନରେ ପାରିପାର୍ଶ୍ବିକ ବିକାଶ ପାଇଁ ହଜାରହଜାର କୋଟି ଟଙ୍କା ବ୍ୟୟ ହେଉଥିବା କୁହାଯାଉଥିଲେ ମଧ୍ୟ ଅଞ୍ଚଳବାସୀଙ୍କର ସେପରି ଉନ୍ନତି ହୋଇପାରିନାହିଁ। ଯେଉଁ ଅଞ୍ଚଳବାସୀଙ୍କର ଅବଦାନରେ ଖଣିଖାଦାନ ଓ ଶିଳ୍ପାନୁଷ୍ଠାନ ସମୃଦ୍ଧ ହେଉଛି ସେହି ଅଞ୍ଚଳରେ ଏବେ ବି ଦାଦନଶ୍ରମିକ, ବାଲ୍ୟବିବାହ, ଅପପୁଷ୍ଟି ଭଳି ସଙ୍ଗିନ୍ ସ୍ଥିତି ଦୂର ହୋଇପାରୁ ନାହିଁ। ସେହିପରି ପାନୀୟଜଳ ଅଭାବ, ପରିବେଶ ଅବକ୍ଷୟ, ଦୁର୍ବଳ ସ୍ବାସ୍ଥ୍ୟ ଓ ଶିକ୍ଷା ବ୍ୟବସ୍ଥା ମଧ୍ୟରେ ଅଞ୍ଚଳବାସୀ ଗତି କରୁଛନ୍ତି।
କମ୍ପାନି ଗୁଡ଼ିକ ସିଏସ୍ଆର୍ ବାବଦରେ ଲୋକଙ୍କ ବିକାଶ ପାଇଁ ହଜାରହଜାର କୋଟି ଟଙ୍କା ବ୍ୟୟ କରୁଥିବା ପ୍ରଚାର କରୁଛନ୍ତି। ରାଜ୍ୟରେ ଶତାଧିକ ଖଣି ଓ ଶିଳ୍ପାନୁଷ୍ଠାନ ଥିବା ସତ୍ତ୍ବେ ମାତ୍ର ୨୩ଟି ସଂସ୍ଥା ସିଏସ୍ଆର୍ ବାବଦରେ ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ ଯଥାକ୍ରମେ ୪୭୬କୋଟି ୩୬ଲକ୍ଷ ୩୧ହଜାର ଓ ୧୩୭କୋଟି ୪୫ଲକ୍ଷ ୯୧ହଜାର ଟଙ୍କା ମାତ୍ର ବ୍ୟୟ କରିଛନ୍ତି। ଏହି ୨ବର୍ଷରେ ମୋଟ୍ ୬୧୩କୋଟି ୮୨ଲକ୍ଷ ୨୨ହଜାର ଟଙ୍କା ୧୩ଟି ବିଭାଗରେ ବ୍ୟୟ ହୋଇଛି ବୋଲି ଶିଳ୍ପମନ୍ତ୍ରୀ ବିଧାନସଭା ପ୍ରଶ୍ନୋତ୍ତର ସମୟରେ କହିଛନ୍ତି। ଖଣିଖାଦାନ ଓ ଶିଳ୍ପାଞ୍ଚଳଗୁଡ଼ିକ ବିଶେଷ କରି ଆଦିବାସୀ ଓ ଅନଗ୍ରସର ଅଞ୍ଚଳରେ ଥିବାରୁ ସିଏସ୍ଆର୍ ଅର୍ଥର ସଦ୍ବିନିଯୋଗର ବହୁଗୁରୁତ୍ବ ରହିଛି। କିନ୍ତୁ ତୃଣମୂଳରେ ସେପରି ଦେଖିବାକୁ ମିଳୁନାହିଁ।
ଇସ୍ପାତ ରାଜଧାନୀ କୁହାଯାଉଥିବା ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ୧୩ଟି ବୃହତ୍ ଇସ୍ପାତ କାରଖାନା, ୩ଟି ସିମେଣ୍ଟ କାରଖାନା ଓ ନିକଟରେ ଥିବା କାଳିଆପାଣି କ୍ରୋମ ଉପତ୍ୟକାରେ ୧୦ଟି କ୍ରୋମାଇଟ୍ ଖଣି ରହିଛି। ଖଣିଖାଦାନ ସହିତ ଶିଳ୍ପାଞ୍ଚଳ ଥିବା କାରଣରୁ ପ୍ରଦୂଷଣରେ ଲୋକମାନେ କଲବଲ ହେଉଛନ୍ତି। ଏହି ଇସ୍ପାତ ରାଜଧାନୀରୁ ମାତ୍ର ୨ଟି ଶିଳ୍ପାନୁଷ୍ଠାନ ସିଏସ୍ଆର୍ରେ ଅର୍ଥ ବ୍ୟୟ କରିଥିବା ମନ୍ତ୍ରୀଙ୍କ ତଥ୍ୟରେ ଦର୍ଶାଯାଇଛି। ଅନ୍ୟ ଶିଳ୍ପାନୁଷ୍ଠାନର ନାମ ନାହିଁ। ଯାଜପୁର ଭଳି ପଡ଼ୋଶୀ ଜିଲ୍ଲାକେନ୍ଦୁଝର, ଅନୁଗୁଳ, ଢେଙ୍କାନାଳର ଖଣିଖାଦାନ ଓ ଶିଳ୍ପାଞ୍ଚଳରେ ଦୀପତଳ ଅନ୍ଧାର ଭଳି ଅନଗ୍ରସରତାକୁ ଆଜି ପର୍ଯ୍ୟନ୍ତ ଦୂର କରାଯାଇପାରିନାହିଁ। ସିଏସ୍ଆର୍ ବାବଦରେ ଅଧିକ ଅର୍ଥ ଖର୍ଚ୍ଚ କରିବା ସହିତ ସେହି ରାଶିର ଯେଭଳି ଉପଯୁକ୍ତ ବିନିଯୋଗ ହେବ ତାହା ଉପରେ ଗୁରୁତ୍ବ ପ୍ରଦାନ କରିବାକୁ ବିଶେଷଜ୍ଞମାନେ ମତ ଦେଇଛନ୍ତି।