ଭୁବନେଶ୍ବର: ଚାରି ଲେନ୍ ବିଶିଷ୍ଟ ୬୩୭.୭୨ କିଲୋମିଟରର ବିଜୁ ଏକ୍ସପ୍ରେସ୍ ୱେ କାର୍ଯ୍ୟକାରିତାରେ ହୋଇଥିବା ଅନେକ ତ୍ରୁଟି ବିଚ୍ୟୁତିକୁ ଧରିଛନ୍ତି ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ। ଉତ୍ତର-ଦକ୍ଷିଣ କରିଡର୍ ବା ବିଜୁ ଏକ୍ସପ୍ରେସ୍‌ ୱେ ଲାଗି ସରକାର ଆବଶ୍ୟକ ଯୋଜନା ପ୍ରସ୍ତୁତ କରିନଥିଲେ। ବିଭିନ୍ନ ଯୋଜନା ମାଧ୍ୟମରେ କାମକୁ ଖଣ୍ଡ ଖଣ୍ଡ କରି କରାଯାଇଥିଲା। ଏହି କାରଣରୁ ରାସ୍ତା ଓ ସେତୁର ଆଲାଇନ୍‌ମେଣ୍ଟ ଓ ଜମି ଅଧିଗ୍ରହଣ ଇତ୍ୟାଦିରେ ସମସ୍ୟା ଦେଖାଦେଇଥିଲା।

Advertisment

ପରାମର୍ଶଦାତାଙ୍କ ସୁପାରିସ ବିଚାରକୁ ନନେଇ ରାଉରକେଲା-ସମ୍ବଲପୁର ରାସ୍ତା ପ୍ରକଳ୍ପକୁ ଇପିସି ମୋଡ୍‌ରେ ପ୍ରଦାନ କରିବା ପରିବର୍ତ୍ତେ ଭାୟାବିଲିଟି ଗ୍ୟାପ୍ ଫଣ୍ଡ (ଭିଜିଏଫ୍) ସହିତ ପିପିପି ମୋଡ୍‌ରେ ରାଜ୍ୟ ସରକାର ପ୍ରଦାନ କରିଥିଲେ। ଏହି ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ ତ୍ରୁଟିପୂର୍ଣ୍ଣ ଥିଲା। ସେହିଭଳି ଆହୁରି ଅନେକ ତ୍ରୁଟି ପାଇଁ କନ୍‌ସେସନେୟାର୍‌ଙ୍କୁ ଭିଜିଏଫ୍ ବାବଦରେ ଅତିରିକ୍ତ ୧୩୪.୬୭ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ରାଉରକେଲା-ସମ୍ବଲପୁର ପିପିପି ପ୍ରକଳ୍ପରେ ୯୧୮.୪୧ କୋଟି ଟଙ୍କାର ମୂଲ୍ୟ ହ୍ରାସକୁ ଆଧାର କରି ରିହାତି ଅବଧିକୁ ଆନୁପାତିକ ଭାବରେ ୧୬ ବର୍ଷକୁ ହ୍ରାସ କରାଯିବା ଉଚିତ୍ ଥିଲା। ଅଟକଳରେ ବୃଦ୍ଧି ଏବଂ ଛଅ ବର୍ଷର ରିହାତି ଅବଧି ବୃଦ୍ଧି ଯୋଗୁଁ କନ୍‌‌‌ସେସନେୟାର ଚୁକ୍ତିନାମା ଅନୁଯାୟୀ ୨୩୨୨.୧୯ କୋଟି ଟଙ୍କାର ନିଟ୍ ଲାଭ ସହ କନ୍‌ନ୍ସେସନେୟାର ଜନସାଧାରଣଙ୍କ ଠାରୁ ୪୮୭୬.୩୮ କୋଟି ଟଙ୍କାର ରାଜସ୍ବ ସଂଗ୍ରହ କରିବେ ବୋଲି ସିଏଜି କହିଛନ୍ତି। ସିନାପାଲି-ଧରମଗଡ଼ ରାସ୍ତାର ୧୬ରୁ ୨୪ କିମି ପର୍ଯ୍ୟନ୍ତ ରାସ୍ତାକୁ ଦୁଇ ଲେନ୍‌ରେ ସଂପ୍ରସାରଣ ଓ ସୁଦୃଢ଼ୀକରଣ କାର୍ଯ୍ୟକୁ ଠିକ୍ ଭାବରେ ଯୋଜନା କରାଯାଇନଥିଲା। ତେଣୁ, ରୂପାନ୍ତର କରିବା ସମୟରେ ରାସ୍ତାଟି ଆଲାଇନ୍ ହୋଇପାରିଲା ନାହିଁ। ଯାହାଫଳରେ ବ୍ୟୟ କରାଯାଇଥିବା ୨୧.୯୧ କୋଟି ଟଙ୍କାର କୌଣସି ଲାଭ ମିଳିନଥିଲା। ସରଧାପାଲି ଗ୍ରାମରେ ଏକ ସର୍ଭିସ୍ ରୋଡ୍ ନିର୍ମାଣ ପାଇଁ ଜମିର ତ୍ରୁଟିପୂର୍ଣ ଚିହ୍ନଟ ଯୋଗୁଁ ବରଗଡ଼ର ତତ୍କାଳୀନ ଅଧିକ୍ଷଣ ଯନ୍ତ୍ରୀ ଲିଭିଭୂମି ପାଇଁ ୧.୧୩ କୋଟି ଟଙ୍କା ଅନିୟମିତ ଭାବେ ପ୍ରଦାନ କରିଥିଲେ। 

ଘାଟିପଡ଼ା ଠାରୁ ଆମପାଣି ପର୍ଯ୍ୟନ୍ତ ରାସ୍ତାର ୧୧ଟି ରାସ୍ତା କାର୍ଯ୍ୟରେ କ୍ରସ୍‌ ଡ୍ରେନେଜ୍‌ର ଉଚ୍ଚତା ବୃଦ୍ଧି ହେତୁ ଅତିରିକ୍ତ ୧୯.୮୫ ଲକ୍ଷ ଘନ ମିଟର ମାଟି ବ୍ୟବହୃତ ହୋଇଥିଲା। ଏହା ଡିପିଆର୍‌ରେ ଥିବା ପରିମାଣଠୁ ଅଲଗା ଥିଲା ଏବଂ ସେଥିପାଇଁ ୨୫.୯୯ କୋଟି ଟଙ୍କା ଅଯଥା ଖର୍ଚ୍ଚ ହୋଇଥିଲା। ଖରାପ କାମ ହୋଇଥିବାରୁ ରାସ୍ତା ତିଆରି ହେବାର ତିନି ବର୍ଷ ଭିତରେ ରାଉରକେଲା-ସମ୍ବଲପୁର ରାସ୍ତାରେ ଅନେକ ପ୍ୟା‌ଚ୍‌, ଫାଟ ଓ ଖାଲ ଦେଖିବାକୁ ମିଳିଥିଲା।