ବହୁ ପଞ୍ଚାୟତରେ ନାହିଁ ସ୍ଥାୟୀ ବ୍ୟାଙ୍କ ଶାଖା

ଉଦ୍‌ବେଗ ପ୍ରକାଶ କଲେ ରାଜ୍ୟ ଅର୍ଥମନ୍ତ୍ରୀ, ତୁରନ୍ତ ପଦକ୍ଷେପ ନେବାକୁ ବ୍ୟାଙ୍କଗୁଡ଼ିକୁ କହିଲେ

ଭୁବନେଶ୍ବର : କୋଭିଡ୍‌ ମହାମାରୀର ପ୍ରଭାବ ହ୍ରାସ ପାଉଥିବ‌ା ବେଳେ ଦୁଇ ବର୍ଷର ବ୍ୟବଧାନରେ ପ୍ରଥମ ଥର ଲାଗି ପ୍ରତ୍ୟକ୍ଷ ଭାବେ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍‌ଏଲ୍‌ବିସି) ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟର ଦୁଇ ତୃତୀୟାଂଶ ଗ୍ରାମ ପଞ୍ଚାୟତରେ ସ୍ଥାୟୀ ବ୍ୟାଙ୍କ ଶାଖା ନଥିବାରୁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବୈଠକରେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ବ୍ୟାଙ୍କ ଶାଖାର ଅଭାବ ଯୋଗୁଁ ରାଜ୍ୟରେ ଆର୍ଥିକ ଅନ୍ତଭୁର୍କ୍ତୀକରଣ ବାଧାପ୍ରାପ୍ତ ହୋଇଥିବା ସେ କହିଛନ୍ତି। ସରକାରୀ ବ୍ୟାଙ୍କଗୁଡ଼ିକର ନଗଦ ଜମା ଅନୁପାତ ହ୍ରାସ ପାଇବା ଚିନ୍ତାର ବିଷୟ ହୋଇଥିବା ବେଳେ ଏଥିରେ ଉନ୍ନତି ଆଣିବା ଉପରେ ଗୁରୁତ୍ବ ଦେବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପୂଜାରୀ କହିଛନ୍ତି। ଏମ୍ଏସ୍‌ଏମ୍ଇ ଓ ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଗୁଡ଼ିକୁ ଋଣ ଦେବାରେ ବ୍ୟାଙ୍କଗୁଡ଼ିକ ଯେଉଁ ଲକ୍ଷ୍ୟ ହାସଲ କରିଛନ୍ତି ତାହା ବେଶ ଉତ୍ସାହଜନକ। ତେବେ ବର୍ତ୍ତମାନ ରାଜ୍ୟ ଆର୍ଥିକ ଅଭିବୃଦ୍ଧି ଆଡ଼କୁ ଅଗ୍ରସର ହେଉଥିବାରୁ ସାମାଜିକ ଭିତ୍ତିଭୂମିର ପ୍ରତିଟି କ୍ଷେତ୍ର ଲାଗି ବ୍ୟାଙ୍କଗୁଡ଼ିକ ଋଣ ପ୍ରଦାନ କରିବାକୁ ଆଗେଇ ଆସିବା ଦରକାର ବୋଲି ଶ୍ରୀ ପୂଜାରୀ ୧୬୪ତମ ଏସ୍‌ଏଲ୍‌ବିସି ବୈଠକରେ କହିଛନ୍ତି।

ଗ୍ରାମାଞ୍ଚଳରେ ବ୍ୟାଙ୍କ ସେବାକୁ ତ୍ବରାନ୍ବିତ କରିବା ଲାଗି ପ୍ରତି ପାଞ୍ଚ କିଲୋମିଟର ବ୍ୟବଧାନରେ ବ୍ୟାଙ୍କିଙ୍ଗ୍‌ ପଏଣ୍ଟ୍‌ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ବ ଦେବାକୁ ଏହି ଅବସରରେ କେନ୍ଦ୍ର ଆର୍ଥିକ ସେବା ବିଭାଗର ସଚିବ ଦେବାଶିଷ ପଣ୍ଡା ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ସେଥିରେ ଏସ୍‌ଏଚ୍‌ଜି ଓ ବ୍ୟାଙ୍କ ପ୍ରତିନିଧିମାନେ ମିଳିତ ଭାବେ କାର୍ଯ୍ୟ କରିପାରିବେ। ଡିଜିଟାଲ୍ ବ୍ୟାଙ୍କିଙ୍ଗ୍‌କୁ ସବୁ ସ୍ଥାନରେ ପହଞ୍ଚାଇବା ଲାଗି ଉଦ୍ୟମ କରିବାକୁ ସେ କହିଛନ୍ତି। ଋଣ ଜମା ଅନୁପାତରେ ହେଉଥିବା ହ୍ରାସକୁ ନେଇ ବୈଠକରେ ଉନ୍ନୟନ କମିସନର ପ୍ରଦୀପ ଜେନା ଉଦ୍‌ବେଗ ପ୍ରକାଶ କରିଛନ୍ତି। ବଳରାମ ଯୋଜନା, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ହିତାଧିକାରୀ, ଅଣ ଧାନ କୃଷି, କୃଷିର ବିବିଧକରଣ ଓ ଉଦ୍ୟାନ କୃଷି ପାଇଁ ଚାଷୀମାନଙ୍କୁ ଋଣ ଦେବାକୁ ବିଭାଗୀୟ ସଚିବମାନେ ବ୍ୟାଙ୍କଗୁଡ଼ିକୁ କହିଥିଲେ। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଲାଗି ଋଣ ପାଇଁ ଆବେଦନ କରୁଥିବା ଚାଷୀଙ୍କ ତଥ୍ୟ ବିଭାଗୀୟ ନୋଡାଲ୍‌ ଅଧିକାରୀମାନଙ୍କୁ ଦେବା ଲାଗି ବ୍ୟାଙ୍କଗୁଡ଼ିକୁ କୁହାଯାଇଛି।

ଚଳିତ ବର୍ଷ ଲାଗି ଯେଉଁ ୧,୧୦,୦୦୦ କୋଟି ଟଙ୍କାର ବାର୍ଷିକ ଋଣ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ତାହାକୁ ହାସଲ କରିବା ଲାଗି ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଲ ଦେବ ବ୍ୟାଙ୍କଗୁଡ଼ିକୁ କହିଛନ୍ତି। ରାଜ୍ୟରେ ନଗଦ ଜମା ଅନୁପାତ ୬୧.୬୧ ପ୍ରତିଶତ ରହିଥିବା ବେଳେ ତାହାକୁ ୬୫-୭୦% ପର୍ଯ୍ୟନ୍ତ ବଢ଼ାଇବା ଲାଗି କାର୍ଯ୍ୟ କରିବାକୁ ସେ କହିଛନ୍ତି। କୃଷି, ଏମ୍ଏସ୍‌ଏମ୍ଇ ଓ ଏସ୍‌ଏଚ୍‌ଜି ଭଳି ଗୁରୁତ୍ବପୂର୍ଣ୍ଣ କ୍ଷେତ୍ରକୁ ଋଣ ଦେବାରେ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା ବ୍ୟାଙ୍କ ଶାଖାକୁ ମୁଖ୍ୟମନ୍ତ୍ରୀ ପୁରସ୍କାର ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଏସ୍‌ଏଚ୍‌ଜିଙ୍କୁ ଦିଆଯାଉଥିବା ଋଣ ପରିମାଣ ୩ ଲକ୍ଷ ଟଙ୍କାକୁ ବଢ଼ାଇବା ଲାଗି ସେ ବ୍ୟାଙ୍କଗୁଡ଼ିକୁ ପରାମର୍ଶ ଦେଇଛନ୍ତି।

ଏହି ଅବସରରେ ଏସ୍‌ଏଲ୍‌ବିସିର ଅଧ୍ୟକ୍ଷ ତଥା ୟୁକୋ ବ୍ୟାଙ୍କର ଏମ୍‌ଡି ଏ କେ ଗୋୟଲ୍, ରିଜର୍ଭ ବ୍ୟାଙ୍କର ଆଞ୍ଚଳିକ ନିର୍ଦେଶକ ଏଚ୍‌ ଏନ୍ ପଣ୍ଡା, ନାବାର୍ଡର ସିଜିଏମ୍ ସି ଉଦୟଭାସ୍କର, ଏସ୍‌ବିଆଇର ସିଜିଏମ୍‌ ବିଦ୍ୟା କ୍ରି‌ଷ୍ଣନ, ଏସ୍‌ଏଲ୍‌ବିସି ଆବାହକ ଅରୂପାନନ୍ଦ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର