ଦେଶ ଛାଡ଼ିବେ ଅନେକ ଧନୀ, ଉଚ୍ଚ ମଧ୍ୟବିତ୍ତ ବି ଚାହୁଛନ୍ତି

ପ୍ରାଇଭେଟ୍ ଜେଟ୍‌ ଭଡ଼ାରେ ଆଣୁଛନ୍ତି

ନୂଆଦିଲ୍ଲୀ: ଭାରତରେ ଦେଖାଦେଇଥିବା କରୋନା ସଂକ୍ରମଣର ଦ୍ବିତୀୟ ଲହର କେତେ ଦିନ ରହିବ ତାହାକୁ ନେଇ କୌଣସି ସଠିକ୍ ଆକଳନ କରାଯାଇପାରୁନଥିବାରୁ ଦେଶର ଧନୀ ବ୍ୟକ୍ତିମାନେ ବେଶ ଚିନ୍ତିତ ‌ହୋଇପଡ଼ିଛନ୍ତି। ନିଜର ଓ ନିଜ ପରିବାର ବର୍ଗଙ୍କ ସୁରକ୍ଷା ଲାଗି ସେମାନେ ଏବେଠାରୁ ବିଭିନ୍ନ ବିକଳ୍ପ ଉପରେ ଚିନ୍ତା କରୁଛନ୍ତି। ସେଥିରେ ଶୀର୍ଷ ସ୍ଥାନରେ ରହିଛି ଦେଶ ଛାଡ଼ି ଅନ୍ୟ ଦେଶକୁ ପଳାୟନ କରିବା। କେବଳ ବିପୁଳ ସମ୍ପତ୍ତିର ମାଲିକ ଥିବା ଧନୀ ବ୍ୟକ୍ତି ନୁହନ୍ତି ଯେଉଁମାନେ ବିଦେଶ ଯିବାକୁ ସକ୍ଷମ ସେମାନେ ମଧ୍ୟ ଭାରତ ଛାଡ଼ି ଚାଲିଯିବାକୁ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଇମିଗ୍ରେସନ ସୁବିଧା ପ୍ରଦାନ କରୁଥିବା ବିଶେଷଜ୍ଞମାନଙ୍କ ପାଖ‌ରେ ଅନେକ ଭାରତୀୟଙ୍କ ଆବେଦନ ଆସି ପହଞ୍ଚିଛି। ସୁସ୍ଥକର ପରିବେଶ ଓ ଜୀବନଶୈଳୀ ପ୍ରଦାନ କରୁଥିବା ଦେଶ ସେମାନଙ୍କ ତାଲିକାର ପ୍ରଥମ ସ୍ଥାନରେ ରହିଛି।

ଅନେକ ପେସାଦାର ବ୍ୟକ୍ତି, ଉଦ୍ୟୋଗପତି, ବ୍ୟବସାୟ ପ୍ରତିଷ୍ଠାତା ଓ ଧନୀ ପରିବାର ଭାରତ ଛାଡ଼ିବାକୁ ଯୋଜନା ପ୍ରସ୍ତୁତ କରିଛନ୍ତି। ସେମାନେ ବ୍ରିଟେନ୍, କାନାଡା, ପର୍ତୁଗାଲ, ସାଇପ୍ରସ୍‌, ମାଲ୍‌ଟା, ଅଷ୍ଟ୍ରେଲିଆ ଏବଂ ଆମେରିକା ଭଳି ଦେଶରେ ବସବାସ କରିବାକୁ ଚାହୁଛନ୍ତି। ଜେଟ୍‌ ସେଟ୍‌ ଗୋର ସିଇଓ କନିକା ‌ତେକ୍ରିୱାଲ୍ କହିଛନ୍ତି ଯେ କେବଳ ଅତି ଧନୀମାନେ ଦେଶ ଛାଡ଼ିବାକୁ ଚାହୁଛନ୍ତି କହିବା ଭୁଲ ହେବ। ଉଚ୍ଚ ମଧ୍ୟବିତ୍ତ ବର୍ଗର ଲୋକମାନେ ମଧ୍ୟ ଦେଶ ଛାଡ଼ି ଯିବ‌ା ଲାଗି ରହିଥିବା ବିଭିନ୍ନ ସମ୍ଭାବନା ବିଷୟରେ ଜାଣିବାକୁ ଚାହୁଛନ୍ତି। କିଛି ବ୍ୟକ୍ତି ନିଜର ସାରା ଜୀବନର ସଞ୍ଚୟ ରାଶିକୁ ମଧ୍ୟ ଏଥିପାଇଁ ବ୍ୟବହାର କରିବାକୁ ପ୍ରସ୍ତୁତ ଅଛନ୍ତି।

ଅନ୍ୟ କିଛି ବ୍ୟକ୍ତି ଦୁଇ ତିନି ବର୍ଷର ଦରମାକୁ ବ୍ୟବହାର କରି ଭାରତ ଛାଡ଼ି ଅନ୍ୟତ୍ର ପଳାଇବାକୁ ଚାହୁଛନ୍ତି। ଜେଟ୍‌ ସେଟ୍‌ ‌ଗୋରେ ପ୍ରାଇଭେଟ୍‌ ଜେଟ୍‌ ବୁକିଙ୍ଗ୍‌ ୯୦୦% ବଢ଼ିଛି। ସେଥିରୁ ୭୦-୮୦% ବୁକିଂ ଉଚ୍ଚ ମଧ୍ୟବିତ୍ତ ବର୍ଗର ଲୋକମାନେ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ମାଳଦୀପ ଯାତ୍ରା କରି ସେଠାରେ ୧୪ ଦିନ ସଙ୍ଗରୋଧରେ ରହିବା ପରେ ସେଠାରୁ ନିଜ ପସନ୍ଦର ଦେଶକୁ ଯାଉଛନ୍ତି। ଭାରତରୁ ମାଳଦୀପ ଯାତ୍ରା କରିବା ଲାଗି ଏକ ୮ ସିଟ୍ ବିଶିଷ୍ଟ ପ୍ରାଇଭେଟ୍ ଜେଟ୍‌ ଭଡ଼ାରେ ଆଣିବା ଲାଗି ଗ୍ରାହକମାନେ ୧୮,୦୦୦ରୁ ୨୦ ହଜାର ଡଲାର ଦେଉଛନ୍ତି। ଦୁବାଇ ଯିବା ପାଇଁ ୩୧,୦୦୦ ଡଲାର ଭଡ଼ା ଲାଗୁଛି।

ସମ୍ବନ୍ଧିତ ଖବର