ମାର୍ଚ୍ଚରେ ଜିଏସଟି ସଂଗ୍ରହ ୧ ଲକ୍ଷ ୬୦ ହଜାର କୋଟି ଟପିଲା

ନୂଆଦିଲ୍ଲୀ: ଦେଶର ଜିଏସଟି ରାଜସ୍ବ ସଂଗ୍ରହରେ ଅଭୁତପୂର୍ବ ଅଭିବୃଦ୍ଧି ପରିଲକ୍ଷିତ ହୋଇଛି । ମାର୍ଚ୍ଚ ୨୦୨୩ରେ ଦେଶର ଜିଏସଟି ଆଦାୟ ୧ ଲକ୍ଷ ୬୦ ହଜାର କୋଟିକୁ ବୃଦ୍ଧି ପାଇଛି । ଏହା ମାର୍ଚ୍ଚ ୨୦୨୨ ତୁଳନାରେ ୧୩ ପ୍ରତିଶତ ଅଧିକ । ଅର୍ଥ ମନ୍ତ୍ରଣାଳୟ ଶନିବାର ଏହି ସୂଚନା ଦେଇଛି ।

ମାର୍ଚ୍ଚର ଜିଏସଟି ରାଜସ୍ବ ଜିଏସଟି ଇତିହାସରେ ଦ୍ବିତୀୟ ସର୍ବାଧିକ ଆଦାୟ । ୨୦୨୨ ଏପ୍ରିଲ ମାସରେ ରେକର୍ଡ ୧ ଲକ୍ଷ ୬୭ ହଜାର କୋଟି ଟଙ୍କାର ଜିଏସଟି ରାଜସ୍ବ ଆଦାୟ କରାଯାଇଥିଲା । ମାର୍ଚ୍ଚରେ ମୋଟ ଜିଏସଟି ଆଦାୟ ମଧ୍ୟରେ ୨୯,୫୪୬ କୋଟି ଟଙ୍କାର ସିଜିଏସଟି, ୩୭,୩୧୪ କୋଟି ଟଙ୍କାର ଏସଜିଏସଟି ଏବଂ ରେକର୍ଡ ୮୨,୯୦୭ କୋଟି ଟଙ୍କାର ଆଇଜିଏସଟି (ସାମଗ୍ରୀ ଉପରେ ଆମଦାନୀରୁ ଆଦାୟ ହୋଇଥିବା ୪୨,୫୦୩ କୋଟି ଟଙ୍କା କୁ ମିଶାଇ) ଅନ୍ତର୍ଭୁକ୍ତ । ଏଥିରେ ୧୦,୩୫୫ କୋଟି ଟଙ୍କା ସେସ୍ ଅନ୍ତର୍ଭୁକ୍ତ, ଯେଉଁଥିରୁ ୯୬୦ କୋଟି ଟଙ୍କା ସାମଗ୍ରୀ ଆମଦାନୀରୁ ଆସିଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଗତ ମାର୍ଚ୍ଚ ମାସରେ ଓଡ଼ିଶାରେ ୪୭୪୯ କୋଟି ଟଙ୍କାର ଜିଏସଟି ଆଦାୟ ହୋଇଛି, ଯାହାକି ମାର୍ଚ୍ଚ ୨୦୨୨ରେ ୪୧୨୫ କୋଟି ଟଙ୍କା ଥିଲା ।

ସାମଗ୍ରୀକଭାବେ ୨୦୨୨-୨୩ ଆର୍ଥିକ ବର୍ଷରେ ଦେଶର ଜିଏସଟି ସଂଗ୍ରହ ନିୟମିତଭାବେ ବୃଦ୍ଧି ପାଇଚାଲିଛି । ଏହି ଆର୍ଥିକ ବର୍ଷର ସବୁ ମାସରେ ଜିଏସଟି ଆଦାୟ ହାରାହାରି ୧ ଲକ୍ଷ ୪୦ ହଜାର କୋଟି ଉପରେ ରହିଥିଲା ।

 

ସମ୍ବନ୍ଧିତ ଖବର