ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଦାୟିତ୍ୱ ନେବା ପରେ ଷ୍ଟକ ବଜାରରେ ଉତ୍ସାହ, ସେନସେକ୍ସ ୬୨୯ ପଏଣ୍ଟ ବୃଦ୍ଧି

ମୁମ୍ବାଇ : ଓଡ଼ିଶା ଅଧିକାରୀ ଶକ୍ତିକାନ୍ତ ଦାସ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ ହେବା ପରେ ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଗତ କିଛି ସପ୍ତାହ ଧରି ଚାଲିଆସିଥିବା ଶୀତଳଯୁଦ୍ଧର ଅବସାନ ହୋଇ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ସ୍ଥିରତା ଆସିବାର ସମ୍ଭାବନା ରହିଛି । ଏହାର ସକାରାତ୍ମକ ପ୍ରଭାବ ଆଜି ଷ୍ଟକ ବଜାର ଉପରେ ପଡିଛି । ଶକ୍ତିକାନ୍ତ ଦାସ ଆଜି ଦାୟିତ୍ୱ ଗ୍ରହଣ କରିବା ପରେ ଷ୍ଟକ ବଜାରରେ ଉତ୍ସାହ ଦେଖାଦେଇଛି । ବମ୍ବେ ଷ୍ଟକ ଏକ୍ସଚେଞ୍ଜର ସୂଚକାଙ୍କ ସେନସେକ୍ସ ଆଜି ୬୨୯ ପଏଣ୍ଟ ବୃଦ୍ଧି ପାଇ ୩୫୭୭୯ ପଏଣ୍ଟରେ ବନ୍ଦ ହୋଇଛି । ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ନିଫଟୀ ୧୮୮ପଏଣ୍ଟ ବୃଦ୍ଧି ସହ ୧୦୭୩୭ ପଏଣ୍ଟରେ ବନ୍ଦ ହୋଇଛି ।

 

ସୂଚନାଯୋଗ୍ୟ ଯେ ପୂର୍ବତନ କେନ୍ଦ୍ର ଅର୍ଥନୈତିକ ବ୍ୟାପାର ସଚିବ ତଥା ଅର୍ଥ ଆୟୋଗର ସଦସ୍ୟ ଥିବା ବରିଷ୍ଠ ଆଇଏଏସ ଅଧିକାରୀ ଶକ୍ତିକାନ୍ତ ଦାସଙ୍କୁ ସରକାର ଗତକାଲି  ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ନିଯୁକ୍ତ କରିଥିଲେ । ତାଙ୍କ କାର୍ଯ୍ୟକାଳ ୩ ବର୍ଷ ପାଇଁ ରହିବ । ଗତକାଲି ଉର୍ଜିତ ପଟେଲ ଇସ୍ତଫାଦେବା ପରେ ଏହି ପଦବୀ ଖାଲି ରହିଥିଲା । ବିମୁଦ୍ରାୟନକୁ କାର୍ଯ୍ୟକାରୀ କରିବା ଓ ଦେଶରେ ଜିଏସଟି ଲାଗୁ କରିବା କ୍ଷେତ୍ରରେ ଶ୍ରୀ ଦାସ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ  ।

 

ସମ୍ବନ୍ଧିତ ଖବର