ଆସୁଛି ମାରୁତି ସ୍ୱିଫ୍ଟର ନୂଆ ଅବତାର

ନୂଆଦିଲ୍ଲୀ: ଆସନ୍ତା ମାସରେ ଏଠାରେ ଅନୁଷ୍ଠିତ ହେବାକୁଥିବା ଅଟୋ ଏକ୍ସପୋରେ ମାରୁତି-ସୁଜୁକୀ ସ୍ୱିଫ୍ଟର ନୂଆ ମଡେଲ ଲଞ୍ଚ୍‌ କରିବ । ଏବେଠାରୁ ଏହାର ବୁକିଂ ଆରମ୍ଭ ହୋଇଛି । ଗତ ୨୦୦୫ରେ ଲଞ୍ଚ ହେବା ପରଠାରୁ ସ୍ୱିଫ୍ଟର ଏହି ନୂଆ ମଡେଲରେ କେତେକ ମୌଳିକ ପରିବର୍ତ୍ତନ ଆସିବାର ସମ୍ଭାବନା ରହିଛି । ଅଟୋ ଏକ୍ସପୋ ଫେବ୍ରୁଆରୀ ୭ରୁ ୧୪ ତାରିଖ ପର୍ଯ୍ୟନ୍ତ ଚାଲିବ ।

ଏହି ନୂଆ ମଡେଲଟି ଉଭୟ ପେଟ୍ରୋଲ ଓ ଡିଜେଲ ମଡେଲରେ ଉପଲବ୍ଧ ହେବ ଓ ମୋଟ ୬ଟି କଲର ଓ ୧୨ଟି ଭାରିଆଣ୍ଟରେ ଉପଲବ୍ଧ ହେବ । କେତେକ ମଡେଲରେ ଅଟୋମ୍ୟାଟିକ୍‌ ଗିଅର ସିଫ୍ଟ ବ୍ୟବସ୍ଥା ରହିବ । ଏହି ନୂଆ ସ୍ୱିଫ୍ଟ ମଡେଲଟି ବଜାରରେ ହୋଣ୍ଡା ବ୍ରିଓ, ହ୍ୟୁଣ୍ଡାଇ ଆଇ୧୦, ଟୟୋଟା ଇଟିଅସ୍‌ ଲିଭା ଓ ଫକ୍ସଓ୍ଵାଗେନ ପୋଲୋ ସହ ପ୍ରତିଦ୍ୱନ୍ଦିତା କରିବ । ଏହି ମଡଲଗୁଡ଼ିକ ଡୁଆଲ ଏୟାରବ୍ୟାଗ ସହିତ ସମସ୍ତ ଅତ୍ୟାଧୁନିକ ସୁରକ୍ଷା ବ୍ୟବସ୍ଥା ସହ ଆସୁଛି । ଗ୍ରାହକମାନେ ମାତ୍ର ୧୧୦୦୦ ଦେଇ ଏହି ନୂଆ କାରକୁ ବୁକ୍‌ କରିପାରିବେ ।

ତେବେ ଏହି କାରର ମୂଲ୍ୟ କେତେ ରହିଛି ସେ ସଂପର୍କରେ କମ୍ପାନି ପକ୍ଷରୁ ଘୋଷଣା କରାଯାଇନାହିଁ । ଏହାର ମୂଲ୍ୟ ସଂପର୍କରେ ଅଟୋ ଏକ୍ସପୋରେ ଘୋଷଣା କରାଯିବ ।

୨୦୦୫ରେ ପ୍ରଥମ ଥର ପାଇଁ ଲଞ୍ଚ୍‌ ହୋଇଥିବା ସ୍ୱିଫ୍ଟ ମାରୁତିର ଏକ ସବୁଠୁ ସଫଳ ମଡେଲ ମଧ୍ୟରେ ଗୋଟିଏ । ଗତ ଡିସେମ୍ବର ସୁଦ୍ଧା କେବଳ ଭାରତରେ ୧.୭ ନିୟୁତ ସ୍ୱିଫ୍ଟ ବିକ୍ରି ହୋଇଛି ।

ସମ୍ବନ୍ଧିତ ଖବର