ଆସନ୍ତା ୧୦ ବର୍ଷରେ ପେଟ୍ରୋଲ ଗାଡ଼ି ଉତ୍ପାଦନ ବନ୍ଦ କରିବ ମାରୁତି ସୁଜୁକୀ

ନୂଆଦିଲ୍ଲୀ : ଦେଶର ବୃହତ୍ତମ ଯାତ୍ରୀବାହୀ କାର ନିର୍ମାଣକାରୀ କମ୍ପାନି ମାରୁତି ସୁଜୁକୀ ଆସନ୍ତା ୭ରୁ ୧୦ ବର୍ଷ ମଧ୍ୟରେ ପେଟ୍ରୋଲ ଗାଡ଼ି ନିର୍ମାଣ ସଂପୂର୍ଣ୍ଣ ବନ୍ଦ କରିବାକୁ ଘୋଷଣା କରିଛି । ପେଟ୍ରୋଲ ବଦଳରେ ହାଇବ୍ରିଡ୍, ଇଲେକ୍ଟ୍ରିକ, ସିଏନଜି ଗାଡ଼ି ନିର୍ମାଣ ପାଇଁ କମ୍ପାନି ଲକ୍ଷ୍ୟ ରଖିଛି ।

ପରିବେଶ ସୁରକ୍ଷା ( ଅଙ୍ଗାରକାମ୍ଳ ନିର୍ଗମନ ଲକ୍ଷ୍ୟ ) ହାସଲ ଓ ତୈଳ ଉପରେ ନିର୍ଭରଶୀଳତା କମାଇବା ଉପରେ ସରକାର ଗୁରୁତ୍ବ ଦେଉଥିବାରୁ ମାରୁତି ଏହି ଲକ୍ଷ୍ୟ ଧାର୍ଯ୍ୟ କରିଛି । କମ୍ପାନିର ମୁଖ୍ୟ ପ୍ରଯୁକ୍ତି ଅଧିକାରୀ ସିଭି.ରମଣ କହିଛନ୍ତି ଯେ ବିଭିନ୍ନ ପ୍ରକାରର ପରିବେଶ ଅନୁକୂଳ ଟେକନଲୋଜୀ ଉପରେ କମ୍ପାନିରେ କାମ ଆରମ୍ଭ ହୋଇଯାଇଛି । ଆସନ୍ତା ୧୦ ବର୍ଷ ମଧ୍ୟରେ ସବୁ ଗାଡ଼ି ବଦଳିଯାଇଥିବ । କମ୍ପାନିର କୌଣସି ପେଟ୍ରୋଲ ଗାଡ଼ି ନଥିବ । ତାବଦଳରେ ଥିବ ଇଲେକ୍ଟ୍ରିକ, ସିଏନଜି ବା ବାୟୋ ଫୁଏଲରେ ଚାଲୁଥିବା ଗାଡ଼ି ।

କମ୍ପାନି ଗତ ୨୦୨୦ ଏପ୍ରିଲ ମାସରେ ଡିଜେଲ କାର ଉତ୍ପାଦନ ସଂପୂର୍ଣଭାବେ ବନ୍ଦ କରିଦେଇଥିଲା ।

ଗତ ୨୦୧୯ରେ ମାରୁତି ସୁଜୁକୀ ଘୋଷଣା କରିଥିଲା ଯେ  ୨୦୨୦ ସୁଦ୍ଧା ନିଜର ଇଲେକଟ୍ରିକ୍‌ କାର ବଜାରକୁ ଛାଡ଼ିବ । ଟୟୋଟା ସହଯୋଗିତାରେ କମ୍ପାନି ଏହା କରିବ । କିନ୍ତୁ କମ୍ପାନି ଏପର୍ଯ୍ୟନ୍ତ କୌଣସି ଇଲେକ୍ଟ୍ରିକ ଗାଡ଼ି ବଜାରକୁ ଛାଡ଼ି ନାହିଁ । ୨୦୨୫ ପୂର୍ବରୁ ମାରୁତିର ଇଲେକ୍ଟ୍ରିକ କାର ବଜାରକୁ ଆସିବାର ସମ୍ଭାବନା ନାହିଁ ବୋଲି ରମଣ କହିଛନ୍ତି ।

ସମ୍ବନ୍ଧିତ ଖବର