ନୂଆଦିଲ୍ଲୀ: ମାରୁତି ସୁଜୁକି ଇଣ୍ଡିଆ ଆସନ୍ତାବର୍ଷ ଜାନୁଆରିରୁ କାର ମୂଲ୍ୟ ବୃଦ୍ଧି ଯୋଜନା କରିଛି। ନିର୍ମାଣରେ ବ୍ୟବହୃତ ବିଭିନ୍ନ ସାମଗ୍ରୀର ଦରବୃଦ୍ଧି ସହିତ ଅନ୍ୟାନ୍ୟ କାରଣରୁ କମ୍ପାନି କାର୍ ଦାମ୍ ବଢ଼ାଇବ ବୋଲି ଷ୍ଟକ ଏକ୍ସଚେଞ୍ଜକୁ ସୂଚନା ଦେଇଛି। ବିଭିନ୍ନ ମଡେଲର ମୂଲ୍ୟବୃଦ୍ଧି ଭିନ୍ନ ଭିନ୍ନ ରହିବ। ନଭେମ୍ବରରେ କମ୍ପାନିର ଗାଡ଼ି ବିକ୍ରିରେ ୧୪ ପ୍ରତିଶତ ବୃଦ୍ଧି ଘଟିଛି। ମୋଟ ବିକ୍ରି ମଧ୍ୟରୁ ଘରୋଇ ବଜାରରେ ୧,୩୫,୦୫୫ ୟୁନିଟ୍, ଅନ୍ୟ ଓଇଏମଙ୍କୁ ୪୨୫୧ ୟୁନିଟ ବିକ୍ରି ହୋଇଥିବାବେଳେ ବିଦେଶକୁ ୧୯,୭୩୮ ୟୁନିଟ ରପ୍ତାନି ହୋଇଛି।
ଗତବର୍ଷ ନଭେମ୍ବରରେ କମ୍ପାନି ୧,୩୯,୧୮୪ ୟୁନିଟ ଗାଡ଼ି ବିକିଥିବାବେଳେ ଚଳିତବର୍ଷ ନଭେମ୍ବରରେ ଏହା ୧,୫୯,୦୪୪ ୟୁନିଟରେ ପହଞ୍ଚିଛି। ଦେଶ ଭିତରେ କମ୍ପାନିର କାର ବିକ୍ରିରେ ୧୮ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଅଲ୍ଟ୍ରୋ ଏବଂ ଏସ-ପ୍ରେସ ଭଳି ଛୋଟ କାରର ବିକ୍ରି ୧୮,୨୫୧ ୟୁନିଟ, କମ୍ପାକ୍ଟ ବର୍ଗରେ ସ୍ବିଫ୍ଟ, ସେଲେରିଓ, ଇଗ୍ନିସ, ବାଲେନୋ ଏବଂ ଡିଜାୟାରର ବିକ୍ରି ୭୨,୮୪୪ ୟୁନିଟକୁ , ମିଡସାଇଜ ସେଦାନ ସିଆଜ ବିକ୍ରି ୧୫୫୪ ୟୁନିଟକୁ, ୟୁଟିଲିଟି ବର୍ଗରେ ଭିଟାରା ବ୍ରିଜା, ଏସ୍-କ୍ରସ ଓ ଏର୍ଟିଗାର ବିକ୍ରି ୩୨,୫୬୩ ୟୁନିଟକୁ ବୃଦ୍ଧି ପାଇଛି। ଦେଶରେ କମ୍ପାନିର କାର ଉତ୍ପାଦନ ବଢ଼ିଥିଲେ ମଧ୍ୟ ଇଲେକ୍ଟ୍ରୋନିକ ଉପକରଣ ଅଭାବ ଉତ୍ପାଦନକୁ ଅଳ୍ପ କିଛିମାତ୍ରାରେ ପ୍ରଭାବିତ କରିଛି।