ନୂଆଦିଲ୍ଲୀ: ଲୋକମାନଙ୍କ କାର୍‌ ସ୍ବପ୍ନ ପୂରଣ କରୁଥିବା ଦେଶର ବଡ଼ ଗାଡ଼ି କମ୍ପାନି ମାରୁତି ସୁଜୁକି ଆଗାମୀ ଦିନରେ ସେମାନଙ୍କୁ ଆକାଶରେ ଉଡ଼ିବାର ଅନୁଭୂତି ପ୍ରଦାନ କରିବ। କମ୍ପାନି ଇଲେକ୍ଟ୍ରିକ୍ ଉଡ଼ନ୍ତା ଯାନ ତିଆରି କରିବା ଉପରେ ବିଚାର କରୁଛି। ତାହାକୁ କୁହାଯାଉଛି ଏୟାରକପ୍ଟର୍। ଡ୍ରୋନ୍‌ଠାରୁ ତାହା ବଡ଼ ଏବଂ ହେଲିକପ୍ଟରଠାରୁ ଛୋଟ ରହିବ। ସେଥିରେ ପାଇଲଟ୍‌ଙ୍କ ସମେତ ତିନି ଜଣ ଯାତ୍ରା କରିପାରିବେ। ସବୁଠୁ ବଡ଼ କଥା ହେଉଛି କୋଠାଗୁଡ଼ିକର ଛାତରୁ ତାହା ଉଡ଼ାଣ ଓ ସେଥିରେ ଅବତରଣ କରିପାରିବ। ଏହାର ଓଜନ ୧.୪ ଟନ୍ ମଧ୍ୟରେ ରହିବ, ଯାହା ହେଲିକପ୍ଟର ଓଜନର ଅଧାଠାରୁ କମ୍। ବିଦ୍ୟୁତରେ ତାହା ଚାଲିବାକୁ ଥିବାରୁ ଏହାକୁ ତିଆରି କରିବା ଲାଗି ବହୁତ କମ୍ ପାର୍ଟସ୍‌ ଲାଗିବ।

Advertisment

ପ୍ରାରମ୍ଭିକ ପର୍ଯ୍ୟାୟରେ କମ୍ପାନି ଜାପାନରେ ଏୟାରକପ୍ଟର ପ୍ରଚଳନ କରିବ। ତା’ ପରେ ଆମେରିକା ଓ ଭାରତ ବଜାରକୁ ତାହା ସମ୍ପ୍ରସାରଣ କରିବ। ଭାରତରେ କମ୍ପାନି ଏୟାରକପ୍ଟରକୁ କେବଳ ବିକିବ ନାହିଁ, ବରଂ ଖର୍ଚ୍ଚ କମ୍ କରିବା ଲାଗି ‌ସେଗୁଡ଼ିକୁ ଦେଶ ଭିତରେ ଉତ୍ପାଦନ କରିବା ଉପରେ ମଧ୍ୟ ବିଚାର କରୁଛି। ଏହି ସ୍ବପ୍ନକୁ ବାସ୍ତବ‌ରେ ପରିଣତ କରିବା ଲାଗି କମ୍ପାନି ପକ୍ଷରୁ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ସହିତ ଆଲୋଚନା କରାଯାଉଛି। ଜାପାନରେ ୨୦୨୫ରେ ହେବାକୁ ଥିବା ଓସାକା ଏକ୍ସପୋରେ କମ୍ପାନି ଏହି ଏୟାରକପ୍ଟରକୁ ଉନ୍ମୋଚନ କରିବ।