ମାସ୍କ ଓ ସାନିଟାଇଜର୍‌ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷିତ; ଗଚ୍ଛିତ ରଖିବା ପରିମାଣ ଏବଂ ମୂଲ୍ୟ ଧାର୍ଯ୍ୟ କରି ପାରନ୍ତି ସରକାର

ନୂଆଦିଲ୍ଲୀ: ଶୁକ୍ରବାର ଦିନ ସରକାର ମାସ୍କ ଏବଂ ହ୍ୟାଣ୍ଡ୍‌ ସାନିଟାଇଜର୍‌କୁ ଜୁନ୍‌ ୩୦ ତାରିଖଯାଏଁ ଅତ୍ୟାବଶ୍ୟକ ସାମଗ୍ରୀ ଶ୍ରେଣୀଭୁକ୍ତ କରିଛନ୍ତି। ମାସ୍କ ଓ ସାନିଟାଇଜର୍‌ ଯେମିତି କଳାବଜାର ନ ହୁଏ, କିଂବା କେହି ଯେମିତି ଏସବୁ ବେଆଇନ ଭାବେ ଗଚ୍ଛିତ କରି ନ ରଖେ, ସେଥିପ୍ରତି ଦୃଷ୍ଟି ଦେବାକୁ ‘ଫାର୍ମାସ୍ୟୁଟିକାଲ୍‌ ପ୍ରାଇସିଙ୍ଗ୍‌ ରେଗୁଲେଟର୍‌’ ରାଜ୍ୟ ସରକାରମାନଙ୍କୁ ନିର୍ଦେଶ ଦେଇଛି।

କରୋନାଭାଇରସ୍‌ ସଂକ୍ରମଣର ପ୍ରତିଷେଧକ ଭାବେ ମାସ୍କ ଓ ହ୍ୟାଣ୍ଡ୍‌ ସାନିଟାଇଜର୍‌ ବ୍ୟବହାର କରାଯାଉଛି। ଏ ସାମଗ୍ରୀ ଦୁଇଟିର ଚାହିଦା ବଢୁଥିବାରୁ ଏହା ବଜାରରୁ ଅତି ଅଳ୍ପ ସମୟ ମଧ୍ୟରେ ଶେଷ ହୋଇଯାଉଛି।

ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଘୋଷଣା କରାଯିବା ପରେ ମୁଦ୍ରିତ ମୂଲ୍ୟ ଠାରୁ ଏଗୁଡ଼ିକୁ କୌଣସି ବ୍ୟବସାୟୀ ଅଧିକ ମୂଲ୍ୟରେ ବିକ୍ରୟ କରି ପାରିବେ ନାହିଁ। ଏହାଛଡ଼ା ଏଗୁଡ଼ିକୁ ବେଆଇନ ଭାବେ ଗଚ୍ଛିତ କରି ମଧ୍ୟ ରଖି ହେବ ନାହିଁ।

Image Source: Times of India

କମ୍ପାନିମାନେ ଏ ଦୁଇଟି ସାମଗ୍ରୀର ମୁଦ୍ରିତ ମୂଲ୍ୟ ବଢ଼ାଇ ଦେଉଥିବା କଥା ରିପୋର୍ଟ ମଧ୍ୟ ଆସିଛି। ତେଣୁ ‘ଏସେନ୍‌ସିଆଲ୍‌ କମୋଡିଟିଜ୍‌ ଆକ୍ଟ୍‌’ ବଳରେ ରାଜ୍ୟ ସରକାର ଏହାର ମୂଲ୍ୟ ନିର୍ଦ୍ଧାରଣ କରିପାରିବେ।

ଏକ ବିବୃତିରେ ଖାଉଟି ବ୍ୟାପାର ମନ୍ତ୍ରାଳୟ କହିଛି ଯେ ଅଧିକାଂଶ ବିକ୍ରେତାଙ୍କ ପାଖରେ ହ୍ୟାଣ୍ଡ୍‌ ସାନିଟାଇଜର୍‌ ମିଳୁନାହିଁ। ଯଦିବା ବହୁ କଷ୍ଟରେ ମିଳୁଛି, ତା’ର ମୂଲ୍ୟ ଆକାଶଛୁଆଁ। ଚାହିଦା ବଢ଼ି ଚାଲିଥିବାରୁ ଦୁଇ ସପ୍ତାହ ହେବ ଏ ଦୁଇଟି ସାମଗ୍ରୀର ଦର ମାତ୍ରାଧିକ ବଢ଼ିଯାଇଛି।

ସମ୍ବନ୍ଧିତ ଖବର