ଆଇଟି କମ୍ପାନିରେ ଛଟେଇ : ଆତଙ୍କରେ ଭାରତୀୟ ପେସାଦାର

ନୂଆଦିଲ୍ଲୀ : ବିଶ୍ବର ବଡ଼ ବଡ଼ ଟେକନଲୋଜୀ କମ୍ପାନମାନେ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରୁଥିବାରୁ ବିଦେଶରେ କାମ କରୁଥିବା ଭାରତୀୟ ପ୍ରଫେସନାଲମାନେ ଆତଙ୍କିତ ହୋଇଯାଇଛନ୍ତି । ଏକ ଅନିଶ୍ଚିତ ଭବିଷ୍ୟତକୁ ନେଇ ସେମାନେ ଚିନ୍ତିତ ହୋଇପଡ଼ିଛନ୍ତି ।

ଯେଉଁ ପେସାଦାରମାନେ ଆମେରିକାରେ ସ୍ଥାୟୀ ବାସିନ୍ଦା ଓ ସ୍ଥାୟୀ ଓ୍ବାର୍କ ପରମିଟ ହାସଲ କରିନେଇଛନ୍ତି, ସେମାନଙ୍କ ପାଇଁ ଆଉ ଏକ ଚାକିରି ଖୋଜିବା ବିଶେଷ ସମସ୍ୟା ହେବ ନାହିଁ । କିନ୍ତୁ ଯେଉଁମାନେ ଏଚ୧ ଭିସା ଓ ଅନ୍ୟାନ୍ୟ ଓ୍ବାର୍କ ଭିସା ନେଇ ସେଠାରେ କାମ କରୁଛନ୍ତି ସେମାନଙ୍କ ପାଇଁ ସମସ୍ୟା ବଢିଯାଇଛି । ସେମାନଙ୍କୁ ଆଉ ଏକ ଚାକିରି ଖୋଜିବା ସମସ୍ୟା ହୋଇପାରେ ଓ ଚାକିରି ନ ମିଳିଲେ ଭାରତ ଫେରିବାକୁ ପଡ଼ିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି ।

ସୂଚନାଯୋଗ୍ୟ ଯେ, ଟେକନଲୋଜୀ ଶିଳ୍ପରେ ଏବେ ବ୍ୟାପକ ଛଟେଇ ଚାଲିଛି । ପ୍ରଥମେ ଟ୍ବିଟର, ତାପରେ ମେଟା ଓ ଆମାଜନ ପରେ ଏବେ ଗୁଗୁଲ ମଧ୍ୟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ବଜାରରେ ମାନ୍ଦାବସ୍ଥା ଓ ଖର୍ଚ୍ଚ କାଟ ଲକ୍ଷ୍ୟରେ କମ୍ପାନିମାନେ ଛଟେଇ କରୁଛନ୍ତି ବୋଲି ବିଶେଷଜ୍ଞମାନେ କହିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁସାରେ ଆର୍ଥକ ମାନ୍ଦାବସ୍ଥା କାରଣରୁ ଗତ କିଛି ମାସ ମଧ୍ୟରେ ବିଶ୍ବବ୍ୟାପୀ ପ୍ରାୟ ୮୫୦ଟି କମ୍ପାନି ମୋଟ ୧,୩୬,୯୮୯ ଜଣ କର୍ମଚାରୀଙ୍କୁ ଛଟେଇ କରିସାରିଲେଣି ।

ସମ୍ବନ୍ଧିତ ଖବର