ଷ୍ଟାର୍ଟଅପ୍‌ରେ ବ୍ୟାପକ ଛଟେଇ, ୨୩ ହଜାର କର୍ମଚାରୀ ଚାକିରି ହରାଇଲେଣି

ନୂଆଦିଲ୍ଲୀ : ଆର୍ଥିକ ମାନ୍ଦାବସ୍ଥା ଆଶଙ୍କାରେ ବିଶ୍ବରେ କମ୍ପାନିଗୁଡ଼ିକ ବହୁସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରୁଛନ୍ତି। ଏଥିରୁ ଭାରତର ଷ୍ଟାର୍ଟଅପ୍‌ କମ୍ପାନିଗୁଡ଼ିକ ବାଦ୍‌ ପଡ଼ିନାହାନ୍ତି। ଅତିକମ୍‌ରେ ୮୨ଟି ଷ୍ଟାର୍ଟଅପ୍ କମ୍ପାନି ୨୩ ହଜାରରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଏହି ଛଟେଇ ତାଲିକା ଦିନକୁ ଦିନ ଲମ୍ବିବାରେ ଲାଗିଛି। ଇଙ୍କ୪୨ର ରିପୋର୍ଟ ଅନୁଯାୟୀ, ୧୯ଟି ଶିକ୍ଷାକ୍ଷେତ୍ରର ଷ୍ଟାର୍ଟଅପ୍ ଆଜିସୁଦ୍ଧା ୮୪୬୦ ଜଣ କର୍ମଚାରୀଙ୍କୁ ବିଦା କରିଛନ୍ତି। ସେମାନଙ୍କ ମଧ୍ୟରେ ୪ଟି ୟୁନିକର୍ଣ୍ଣ ଅଛନ୍ତି।

ଯେଉଁସବୁ ଷ୍ଟାର୍ଟଅପ୍ କମ୍ପାନି କର୍ମଚାରୀ ଛଟେଇ କରିଛନ୍ତି ସେମାନଙ୍କ ମଧ୍ୟରେ ବାଇଜୁସ୍‌, ଓଲା, ଓୟୋ, ମେଶୋ, ଏମପିଏଲ, ଲାଇଭସ୍ପେସ, ଇନୋଭେକର, ଉଡ଼ାନ, ଅନଏକାଡେମି ଏବଂ ବେଦାନ୍ତୁ ଆଦି ରହିଛନ୍ତି। ହୋମ୍ ଇଣ୍ଟେରିଅର ଏବଂ ରେନୋଭେସନ କ୍ଷେତ୍ରର କମ୍ପାନି ଲାଇଭସ୍ପେସ ନିକଟରେ ଅତିକମରେ ୧୦୦ କର୍ମଚାରୀଙ୍କୁ ଛଟେଇ କରିଛି। ଖର୍ଚ୍ଚକାଟ ପଦକ୍ଷେପ ଭାବେ କମ୍ପାନି ଏଭଳି ପଦକ୍ଷେପ ନେଇଛି। କିଛିଦିନ ତଳେ ଅନଲାଇନ୍ ଷ୍ଟୋରକୁ ସଫ୍ଟ‌ୱେର ସେବା ଯୋଗାଇ ଦେଉଥିବା ‌‌‘ଦୁକାନ’ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୩୦ ପ୍ରତିଶତ ଅର୍ଥାତ ୬୦ ଜଣଙ୍କୁ ବିଦା କରିଛି। ଗତ ୬ ମାସ ମଧ୍ୟରେ କମ୍ପାନିର ଏହା ଦ୍ବିତୀୟ ଛଟେଇ।

ସେହିଭଳି ସ୍ବାସ୍ଥ୍ୟସେବା କ୍ଷେତ୍ରର ୟୁନିକର୍ଣ୍ଣ ପ୍ରିଷ୍ଟିନ କେୟାର ଏହାର ବିଭିନ୍ନ ବିଭାଗରେ ୩୫୦ କର୍ମଚାରୀ ଛଟେଇ କରିଛି। ଏହାଦ୍ବାରା ସେଲ୍ସ, ଟେକ୍ନୋଲୋଜି ଏବଂ ପ୍ରଡକ୍ଟ ବିଭାଗରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ପ୍ରଭାବିତ ହୋଇଛନ୍ତି। ଅନଲାଇନରେ ଉଚ୍ଚଶିକ୍ଷା ପ୍ରଦାନ କରୁଥିବା କମ୍ପାନି ଅପଗ୍ରାଡ୍‌ ଏହାର ସହାୟକ କମ୍ପାନି କ୍ୟାମ୍ପସରେ ପାଖାପାଖି ୩୦ ପ୍ରତିଶତ କର୍ମଚାରୀ ବିଦା କରିଛି।

ଗତମାସରେ ଗ୍ଲୋବାଲ ଡେଲିଭରି ମ୍ୟାନେଜମେଣ୍ଟ କମ୍ପାନି ଫାରଆଇ ୯୦ କର୍ମଚାରୀଙ୍କୁ ଛଟେଇ କରିଛି। ଗତ ୮ ମାସ ମଧ୍ୟରେ ଏହା ଥିଲା କମ୍ପାନିର ଦ୍ବିତୀୟ ଛଟେଇ ପଦ‌କ୍ଷେପ। ଜାନୁଆରିରୁ ଷ୍ଟାର୍ଟଅପ୍ କମ୍ପାନିଙ୍କ ଛଟେଇ ବଢ଼ିବାରେ ଲାଗିଛି। ସେୟାରଚାର୍ଟ (ମୋହଲା ଟେକ ପ୍ରାଇଭେଟ ଲିମିଟେଡ) ଅନିଶ୍ଚିତ ବଜାର ସ୍ଥିତି କାରଣରୁ ଏହାର ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୦ ପ୍ରତିଶତ କର୍ମଚାରୀଙ୍କୁ ଚାକିରିରୁ ବାହାର କରିଥିଲା। ଏହାଦ୍ବାରା ପ୍ରାୟ ୫୦୦ କର୍ମଚାରୀ ପ୍ରଭାବିତ ହୋଇଥିଲେ। କେବଳ ଷ୍ଟାର୍ଟଅପ୍ ନୁହନ୍ତି, ମେଟା, ଆଲ‌ଫାବେଟ, ଆମାଜନ, ଆସେଞ୍ଚର ଭଳି ବଡ଼ ବଡ଼ ଆଇଟି କମ୍ପାନି ମଧ୍ୟ ହଜାର ହଜାର ସଂଖ୍ୟାରେ କର୍ମଚାରୀ ଛଟେଇ ଘୋଷଣା କରିଛନ୍ତି। ଛଟେଇ ଯୋଗୁ କର୍ମଚାରୀଙ୍କ ସମସ୍ୟା ବଢ଼ିଯାଇଛି।

ସମ୍ବନ୍ଧିତ ଖବର