ଭୁବନେଶ୍ବର: ରାଜ୍ୟରେ ଲଘୁଖଣିଜ ସମ୍ପଦ ବ୍ୟାପକ ଲୁଟ୍ ହେଉଥିବା ନେଇ ଦୀର୍ଘ ଦିନରୁ ବାରମ୍ବାର ଅଭିଯୋଗ ହୋଇଆସୁଛି। ଲଘୁଖଣିଜ ସମ୍ପଦ ବାଲି, ଗୋଡ଼ି, ପଥର ପ୍ରଭୃତି ବେଆଇନ୍ ଚାଲାଣକୁ ନେଇ ବାଲେଶ୍ବର, ମୟୂରଭଞ୍ଜ, ଯାଜପୁର, ଖୋର୍ଦ୍ଧା, ଗଞ୍ଜାମ ଇଦ୍ୟାଦି ଜିଲ୍ଲାରେ ବିଭିନ୍ନ ସମୟରେ ଆଇନ୍‌ଶୃଙ୍ଖଳା ସୃଷ୍ଟି‌ ହୋଇଥିବାର ଦେଖିବାକୁ ମିଳୁଛି। ଚୋରା ଲଘୁଖଣିଜ ସମ୍ପଦ ଘରୋଇ କାମରେ ବ୍ୟାପକ ବ୍ୟବହାର‌ ହେଉଥିବା ବେଳେ ସରକାରୀ ପ୍ରକଳ୍ପରେ ମଧ୍ୟ ବ୍ୟବହାର ହେଉଥିବାର ଅଭିଯୋଗ ‌ହୋଇଆସୁଥିଲା। ସିଏଜି ରିପୋର୍ଟରେ ତାହା ଧରାପଡ଼ିଛି। ୨୦୧୫-୨୦୨୨ ମଧ୍ୟରେ  ୪୬୨୪.୫୮କୋଟି ଟଙ୍କାର ଚୋରା ଲଘୁ ଖଣିଜ ସମ୍ପଦ ବେଆଇନ ଭାବରେ ସରକାରୀ ପ୍ରକଳ୍ପରେ ବିନିଯୋଗ ହୋଇଛି।

Advertisment

ଏହି ବାବଦରେ ୮୬୪.୪୫କୋଟି ଟଙ୍କାର ରାଜସ୍ବ ସରକାର ହରାଇଛନ୍ତି। ସିଏଜି ରିପୋର୍ଟରେ ଦର୍ଶାଯାଇଛି ଯେ ରାଜ୍ୟରେ ୨୦୧୫ରୁ ୨୦୨୨ ମଧ୍ୟରେ ସରକାରୀ ପ୍ରକଳ୍ପରେ ବ୍ୟବହୃତ ୪୬୨୪.୫୮ କୋଟି ଟଙ୍କାର ଲଘୁଖଣିଜ ସମ୍ପଦର ରୟାଲଟି ଉପରେ ୮୮୫.୭୦କୋଟି ଟଙ୍କା ଅତିରିକ୍ତ ଦେୟ, ଡିଏମ୍ଏଫ୍ ଓ ଇଏମଏଫ୍ ଆଦାୟ କରାଯିବାର ଥିଲା। ଏଥି ମଧ୍ୟରୁ ୧୪ଟି ଜିଲ୍ଲାରେ ସରକାରୀ ପ୍ରକଳ୍ପ ନିର୍ମାଣ ଦାୟିତ୍ବରେ ଥିବା ଅଧିକାରୀ ୩୯୯.୯୧କୋଟି ଟଙ୍କା ରାଜସ୍ବ ଆଦାୟ ବଦଳରେ ମାତ୍ର ୨୧.୨୫କୋଟି ଟଙ୍କା ଆଦାୟ କରିଥିଲେ। ଅବଶିଷ୍ଟ ୧୬ଟି ଜିଲ୍ଲାର ସମ୍ପୃକ୍ତ ଅଧିକାରୀ ଅତିରିକ୍ତ ଦେୟ ଆଦାୟ କରିନଥିଲେ। ସରକାରୀ ପ୍ରକଳ୍ପଗୁଡ଼ିକର ଠିକାଦାରଙ୍କ ରୟାଲଟି ଉପରେ ୪୮୫.୭୯କୋଟି ଟଙ୍କାର ଡିଏମଏଫ୍ ଓ  ଇଏମ୍‌ଏଫ ଆଦାୟ କରିବାର ଥିଲା। ଫଳରେ  ସରକାରଙ୍କ ତହବିଲରୁ ୮୬୪.୪୫କୋଟି ଟଙ୍କା ରାଜସ୍ବ କ୍ଷତି ହେଲା। ସିଏଜି ତାଙ୍କ ରିପୋର୍ଟରେ ସ୍ପଷ୍ଟ ଭାବରେ ଦର୍ଶାଇଛି ଯେ ୪୬୨୪.୫୮ କୋଟି ଟଙ୍କାର ବେଆଇନ୍ ଲଘୁ ଖଣିଜ ସମ୍ପଦ ସରକାରୀ ପ୍ରଳକ୍ପରେ ଅଧିକାରୀଙ୍କ ଜାଣତରେ ବ୍ୟବହାର ହୋଇଛି। ସିଏଜି ତାଙ୍କ ରିପୋର୍ଟରେ ଚୋରା ଲଘୁ ଖଣିଜ ସମ୍ପଦର ବେଆଇନ କାରବାର ରୋକିବା ପାଇଁ ପ୍ରସ୍ତାବ ପ୍ରଦାନ କରିଛନ୍ତି। ଲଘୁ ଖଣିଜ ସମ୍ପଦ ପରିଚାଳନାରେ ଥିବା ନୀତିନିୟମକୁ କଡ଼ାକଡି ଭାବରେ ପାଳନ କରିବାକୁ ସିଏଜି ତାଙ୍କ ରିପୋର୍ଟରେ ପରାମର୍ଶ ଦେଇଛନ୍ତି।