ଅଧାରେ ଅଟକିଗଲା:୧୧, ୨୧ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ: ବିମୁଦ୍ରୀକରଣ ପୂର୍ବରୁ ସରକାର ୧୧ ଟଙ୍କିଆ ଓ ୨୧ ଟଙ୍କିଆ ନୋଟ୍‌ ପ୍ରଚଳନ କରିବାକୁ ଚାହୁଁଥିଲେ। ଏଥିପାଇଁ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଆଲୋଚନା ମଧ୍ୟ ହୋଇଥିଲା। ମାତ୍ର ଭାରତୀୟ ରିଜର୍ଭ ବ୍ୟାଙ୍କ ଆପତ୍ତି ଉଠାଇବାରୁ ଯୋଜନା କାର୍ଯ୍ୟକାରୀ ହୋଇପାରିନଥିଲା। ଫଳରେ ୧୧ ଓ ୨୧ ଟଙ୍କିଆ ନୋଟ୍ ଆସୁ ଆସୁ ଅଧା ବାଟରେ ଅଟକିଯାଇଥିଲା। ଦି ପ୍ରିଣ୍ଟ୍‌ ନାମକ ୱେବସାଇଟ୍‌ରେ ଏ ସମ୍ପର୍କିତ ଏକ ଖବର ପ୍ରକାଶ ପାଇଛି।
ଲୋକମାନେ ବିଭିନ୍ନ ବିବାହ, ଧାର୍ମିକ କାର୍ଯ୍ୟ ଓ ଉତ୍ସବ ଆଦିରେ ୧୧ ଓ ୨୧ ଟଙ୍କା ଉପହାର ସୂତ୍ରରେ ପ୍ରଦାନ କରିଥାନ୍ତି। ସେହି ବର୍ଗର ନୋଟ୍‌ ଆବଶ୍ୟକତା ପୂରଣ କରିବା ପାଇଁ ସରକାର ଏହି ଦୁଇ ପ୍ରକାର ନୂଆ ନୋଟ୍ ଆଣିବାକୁ ଚାହୁଁଥିଲେ।
ରାଜୀବ ମହର୍ଷି ଅର୍ଥ ସଚିବ ଭାବେ କାର୍ଯ୍ୟ କରୁଥିବା ବେଳେ ଏନେଇ ଅର୍ଥ ମନ୍ତ୍ରଣାଳୟ ଓ ରିଜର୍ଭ ବ୍ୟାଙ୍କ ଭିତରେ ଆଲୋଚନା ହୋଇଥିଲା। କିନ୍ତୁ ରିଜର୍ଭ ବ୍ୟାଙ୍କ ସେଥିପ୍ରତି ବିଶେଷ ଆଗ୍ରହ ଦେଖାଇନଥିଲା। ସରକାର ମଧ୍ୟ ଏହା ଉପରେ ଅଧିକ ଜୋର ଦେବା ବଦଳରେ ବିମୁଦ୍ରୀକରଣ ଉପରେ ଧ୍ୟାନ ଦେଇଥିଲେ।
ସରକାରୀ କାର୍ଯ୍ୟରେ ସଂଶ୍ଳି‌ଷ୍ଟ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଏବିଷୟରେ କହିଛନ୍ତି ଯେ, ଆବଶ୍ୟକତା ଓ ଚାହିଦା ଅନୁଯାୟୀ ସରକାର ଓ ରିଜର୍ଭ ବ୍ୟାଙ୍କ ପରସ୍ପର ସହ କଥା ହୋଇ କେଉଁ ପ୍ରକାରର ନୋଟ୍‌ କେତେ ପରିମାଣର ଜାରି କରାଯିବ ସେହି ନିଷ୍ପତ୍ତି ଗ୍ରହଣ କରିଥାନ୍ତି। ବିଭିନ୍ନ ପ୍ରକାର ନୋଟ୍ ପ୍ରଚଳନ କରିବା ପାଇଁ ପ୍ରସ୍ତାବ ଆସିଥାଏ। କିନ୍ତୁ କେବଳ କାର୍ଯ୍ୟକାରୀ ହୋଇପାରୁଥିବା ପ୍ରସ୍ତାବଗୁଡ଼ିକ ଆଗକୁ ବଢ଼ିଥାଏ। ରିଜର୍ଭ ବ୍ୟାଙ୍କ ନିଜ ତରଫରୁ ଗବେଷଣା କରି କେଉଁ ପ୍ରକାର ନୋଟ୍ କେତେ ଦରକାର ତାହା ଜାଣିବାକୁ ପ୍ରୟାସ କରିଥାଏ। ସେହି ଅନୁସାରେ ନୋଟ୍ ଓ କଏନ୍‌ଗୁଡ଼ିକ ଛପା କିମ୍ବା ଉତ୍ପାଦନ ହୋଇଥାଏ। ଅନାବଶ୍ୟକ ହୋଇପଡ଼ୁଥିବା କଏନ୍‌ ଓ ନୋଟ୍‌ଗୁଡ଼ିକୁ ନିୟମିତ ବ୍ୟବଧାନରେ ପ୍ରତ୍ୟାହାର ମଧ୍ୟ କରାଯାଏ। ଅତୀତରେ ୫, ୧୦, ୨୦ ଓ ୨୫ ପଇସା କଏନ୍‌କୁ ବଜାରରୁ ପ୍ରତ୍ୟାହାର କରିନିଆଯାଇଛି। ସେହିପରି ୧୯୩୮ ଓ ୧୯୫୪ରେ ୧୦ ହଜାର ଟଙ୍କିଆ ନୋଟ୍‌କୁ ମଧ୍ୟ ପ୍ରତ୍ୟାହାର କରାଯାଇଥିଲା।
ଉଲ୍ଲେଖଯୋଗ୍ୟ, ବିମୁଦ୍ରୀକରଣ ପରେ ସରକାର ଅନେକ ନୂଆ ନୋଟ୍ ପ୍ରଚଳନ କରିଛନ୍ତି। ସେଗୁଡ଼ିକ ହେଉଛି ୨୦୦୦ ଟଙ୍କିଆ, ୨୦୦ ଟଙ୍କିଆ, ନୂଆ ରୂପରେ ୫୦୦ ଓ ୫୦ ଟଙ୍କିଆ ନୋଟ୍ ପ୍ରଚଳନ କରାଯାଇଛି। ଏବେ ସରକାର ଏଟିଏମ୍‌ରେ କିଭଳି ଅଧିକ ମାତ୍ରାରେ ଦୁଇ ଶହ ଟଙ୍କିଆ ମିଳିପାରିବ ସେ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ସେଥିପାଇଁ ଏଟିଏମ୍‌ଗୁଡ଼ିକୁ ରିକାଲିବ୍ରେଟ୍ କରାଯାଉଛି।

ସମ୍ବନ୍ଧିତ ଖବର