ଏମ୍‌ଇଏଆଇ ସଭାପତି ହେଲେ ସଂଜୟ ପଟ୍ଟନାୟକ

ଭୁବନେଶ୍ବର: ଟାଟା ସ୍ପଞ୍ଜ ଆଇରନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ (ଏମଡି) ସଂଜୟ ପଟ୍ଟନାୟକ ସର୍ବ ଭାରତୀୟ ମାଇନିଂ ଇଞ୍ଜିନିୟର୍ସ ଆସୋସିଏସନ୍‌ (ଏମ୍‌ଇଏଆଇ)ର ନୂଆ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ନିକଟରେ ଭୁବନେଶ୍ବରଠାରେ ଅନୁଷ୍ଠିତ ସଂଘର ୪୬ତମ ବାର୍ଷିକ ସାଧାରଣ ପରିଷଦ ବୈଠକରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ପଦ ପାଇଁ ନିର୍ବାଚିତ କରାଯାଇଛି। ଶ୍ରୀ ପଟ୍ଟନାୟକ ଏହି ସଂଘର ସଭାପତି ଭାବେ ୨୦୧୯-୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ଭାରତରେ ଖଣି ଏବଂ ଖଣିଜ ‌‌କ୍ଷେତ୍ର‌ରେ କାର୍ଯ୍ୟରତ କର୍ମଚାରୀମାନଙ୍କର ପ୍ରତିନିଧିତ୍ବ ଏହି ସଂଘ କରିଆସୁଛି। ସମଗ୍ର ଦେଶରେ ଉକ୍ତ ସଂଘର ୨୬ଟି ଆଞ୍ଚଳିକ ଚାପ୍ଟର ରହିଛି ଯେଉଁଥିରେ ପ୍ରାୟ ୫ ହଜାରରୁ ଅଧିକ ସଦସ୍ୟ ରହିଛନ୍ତି। ମାଇନିଂ ଇଞ୍ଜିନିୟର, ଭୂତତ୍ତ୍ବବିତ୍, ଧାତବବିତ୍‌, ଭୂ-ବୈଜ୍ଞାନିକ, ପରିବେଶ ଇଞ୍ଜିନିୟର ଏବଂ ଅନ୍ୟମାନେ ଏହି ସଂଘର ସଦସ୍ୟ ରହିଛନ୍ତି। ହାଇଦ୍ରାବାଦଠାରେ ସଂଘର ମୁଖ୍ୟ କାର୍ଯ୍ୟାଳୟ ରହିଛି। ଅନ୍ତର୍ଜାତୀୟ ସ୍ତରରେ ଏମଇଏଆଇର ବୁଝାମଣା ଏସଏମଇ-ଆମେରିକା, ଅଷ୍ଟ୍ରେଲିଆନ୍ ଆଇଏମଏମ, ଦକ୍ଷିଣ ଆଫ୍ରିକା ଆଇଏମଏମ ଭଳି ସଂସ୍ଥା ସହିତ ରହିଛି। ଖଣି କ୍ଷେତ୍ରର ପେସାଦାରମାନଙ୍କୁ ନେଇ ଗଠିତ ଏହି ସଂଘ ସରକାରଙ୍କୁ ନୀତି ଏବଂ ପ୍ରଯୁକ୍ତି ସଂକ୍ରାନ୍ତ ଗୁରୁତ୍ବପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥାଏ। ତେଣୁ ଶ୍ରୀ ପଟ୍ଟନାୟକଙ୍କ ନେତୃତ୍ବରେ ଏମଇଏଆଇ ଦେଶର ଖଣି ନୀତି ପ୍ରଣୟନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି ସଦସ୍ୟମାନେ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର