ବଢୁଛି ଇ-କମର୍ସରେ ଠକାମି; ମେସୋରୁ ଡ୍ରୋନ୍‌ କ୍ୟାମେରା ମଗାଇ ପ୍ୟାକେଟ୍‌ରୁ ଆଳୁ ପାଇଲେ ଗ୍ରାହକ

ମୁମ୍ବାଇ: ଆମାଜନ୍‌ ଓ ଫ୍ଲିପ୍‌କାର୍ଟ ପରେ ଏବେ ଟାର୍ଗେଟ ପାଲଟିଛି ଇ-କମର୍ସ ସାଇଟ୍‌ ମେସୋ। ଅନ୍‌ଲାଇନ୍‌ ସପିଂ ସାଇଟ୍‌ ମେସୋରୁ ଜଣେ ଗ୍ରାହକ ଏକ ଡ୍ରୋନ୍‌ କ୍ୟାମେରା ବରାଦ କରିଥିବା ବେଳେ ତାଙ୍କ ପ୍ୟାକେଟ୍‌ରୁ ବାହାରିଛି ଆଳୁ। ମେସୋରୁ କ୍ୟାମେରା ବରାଦ ଦେଇଥିବା ବ୍ୟକ୍ତି ଜଣକ ଡେଲିଭରି ବୟ ଦେବା ପରେ ପ୍ୟାକେଟ୍‌ଟିକୁ ଖୋଲିବା ଆଗରୁ ତାଙ୍କ ମୋବାଇଲ୍‌ କ୍ୟାମେରାରେ ରେକର୍ଡ କରିଥିଲେ। ରେକର୍ଡ ହୋଇଥିବା ଭିଡିଓରେ ସ୍ପଷ୍ଟ ଦେଖିବାକୁ ମିଳିଛି ଯେ ପ୍ୟାକେଟ୍‌ ଭିତରୁ ୧ କିଲୋ ଆଳୁ ବାହାରୁଛି।

ବରାଦ ଦେଇଥିବା ଗ୍ରାହକ ଜଣକ ହେଉଛନ୍ତି ନାଳଦାସ୍ଥିତ ପରୱାଲପୁରର ଚେତନ କୁମାର। ସେ ରେକର୍ଡ କରିଥିବା ଭିଡିଓଟିକୁ ‘ଅନ୍‌ସିନ୍‌ ଇଣ୍ଡିଆ’ ନାମକ ଟ୍ବିଟର୍‌ ହ୍ୟାଣ୍ଡେଲ୍‌ରେ ସେୟାର କରାଯାଇଛି।

ଡେଲିଭରି ବୟ ଜଣକ ଆଣିିଥିବା ପ୍ୟାକେଟ୍‌କୁ ଖୋଲିବା ପାଇଁ କୁମାର କହୁଥିବାର ଭିଡିଓରେ ଦେଖିବାକୁ ମିଳିଛି। ଦୁହେଁ ମିଶି ପ୍ୟାକେଟ୍‌ଟିକୁ ଖୋଲିବା ପରେ ସେଥିରୁ ଆଳୁ ବାହାରୁଥିବାରୁ ସେମାନେ ଚକିତ ହୋଇଯାଇଥିଲେ।

ଡେଲିଭରି ଏଜେଣ୍ଟ୍‌କୁ ସ୍ଥାନୀୟ ଲୋକ ଘେରିଯିବା ପରେ ସେ ସ୍ବୀକାର କରିଥିଲେ ଯେ ମେସୋ ଏଭଳି ଧୋ‌କା ଗ୍ରାହକଙ୍କ ସହ କରି ଆସୁଛି, ଏହା ପ୍ରଥମ ଥର ନୁହେଁ।

ଏ ନେଇ ପୁଲିସ୍‌ରେ ଏକ ମାମଲା ବି ରୁଜୁ ହୋଇଛି। ଗ୍ରାହକମାନଙ୍କୁ ଇ-କମର୍ସ ସାଇଟ୍‌ଗୁଡ଼ିକ ଠକିବା କିଛି ନୂଆ କଥା ନୁହେଁ। ପୂର୍ବରୁ ବି ଏପରି ଅନେକ ଗ୍ରାହକ ଠକାମୀର ଶିକାର ହୋଇଛନ୍ତି। ଗତକାଲି ଫ୍ଲିପ୍‌କାର୍ଟରୁ ଜଣେ ଗ୍ରାହକ ଲାପ୍‌ଟପ୍‌ ବଦଳରେ ଡିଟର୍‌ଜେଣ୍ଟ୍‌ ପାଉଡର୍‌ ପାଇବା ଖବର ଆମେ ପ୍ରକାଶ କରିଥିଲୁ।

ସମ୍ବନ୍ଧିତ ଖବର