ନୂଆଦିଲ୍ଲୀ: ଆଜିକାଲି ଆମ ଦେଶରେ ରାସ୍ତାକଡ଼ିଆ ଖାଦ୍ୟ ବା ଷ୍ଟ୍ରିଟ୍ଫୁଡ୍ର ଚାହିଦା ଢେର୍ ଅଧିକ ବଢ଼ିଯାଇଛି। ପୂର୍ବରୁ ଚା’, ଗୁପଚୁପ୍ ପରି ଖାଦ୍ୟ ଓ ପାନୀୟ ରାସ୍ତାକଡ଼ରେ ମିଳୁଥିବା ବେଳେ ଆଜିକାଲି ପ୍ରାୟ ସମସ୍ତ ଖାଦ୍ୟ ହାତ ପାହାନ୍ତାରେ ଉପଲବ୍ଧ ହେଉଛି।
ଫୁଡ୍ ଭ୍ୟାନ୍ରେ ଖାଦ୍ୟ ବିକ୍ରି ବି ଆଜିକାଲି ପ୍ରାୟତଃ ସାଧାରଣ କଥା। ନିକଟରେ ଜଣେ ବ୍ୟକ୍ତି ତାଙ୍କ କାରକୁ ଫୁଡ୍ ଭ୍ୟାନ୍ ବନାଇ ଚର୍ଚ୍ଚାର ପରିସର ଭିତରକୁ ଆସିଛନ୍ତି।
ଦିଲ୍ଳୀର ଏହି ବ୍ୟକ୍ତି ଜଣକ ଏକ ନୂଆ କାର୍ କିଣି ତାହାକୁ ‘ମୋବାଇଲ୍ ଢାବା’ର ରୂପ ଦେଇଛନ୍ତି। ଆଜ୍ଞା ହଁ, ଆପଣ ଠିକ୍ ଶୁଣିଛନ୍ତି। ବ୍ୟକ୍ତି ଜଣକ ତାଙ୍କ ପତ୍ନୀଙ୍କ ଦ୍ବାରା ପ୍ରସ୍ତୁତ ଖାଦ୍ୟକୁ କାର୍ରେ ଆଣି ବିକ୍ରି କରିବା ଆରମ୍ଭ କରିଛନ୍ତି। ଆଉ ଏହା ମଧ୍ୟ ଗ୍ରହଣୀୟ ହୋଇଛି।
ସେ ଗ୍ରାହକଙ୍କୁ ବିଭିନ୍ନ ପ୍ରକାରର ଘରୋଇ ଖାଦ୍ୟ ଖାଇବାର ସୁବିଧା ଯୋଗାଇ ଦେବାରୁ ଚାରିଆଡ଼େ ଏବେ ଚର୍ଚ୍ଚା ପାଲଟିଛନ୍ତି। ଏହି ଅଭିନବ ଉଦ୍ୟମକୁ ଖାଦ୍ୟ ପ୍ରେମୀ ପସନ୍ଦ କରୁଥିବା ବେଳେ ଏହାର ଏକ ଇନ୍ଷ୍ଟାଗ୍ରାମ୍ ଭିଡିଓ ଖୁବ୍ ଜୋର୍ରେ ଭାଇରାଲ୍ ହୋଇଛି। ଭିଡିଓକୁ ଦେଖି ଲୋକ ଖୁବ୍ ପ୍ରଶଂସା କରୁଛନ୍ତି।
ତାଙ୍କ ଗାଡ଼ିରେ ମସାଲା ଚିକେନରୁ ନେଇ ବାସମତି ଚାଉଳର ଭାତ, ଶାହି ପନିର୍ ଏବଂ ତାୱା ରୋଟି ଆଦି ମିଳୁଛି। ବିକ୍ରେତା ନିଜ ଢାବାକୁ ନେଇ ଗର୍ବ କରିବା ସହ ଖାଦ୍ୟ ବିକ୍ରି କରୁଥିବାରୁ ଆଦୌ ଲଜ୍ଜିତ ନୁହଁନ୍ତି ବୋଲି ପ୍ରକାଶ କରିଛନ୍ତି। ଏହି ଭିଡିଓ ଦେଖିବା ପରେ ହଜାର ହଜାର ଲୋକ କମେଣ୍ଟ୍ରେ ଖାଦ୍ୟ ବିକ୍ରେତାଙ୍କୁ ପ୍ରଶଂସା କରିଛନ୍ତି।