ନୂଆଦିଲ୍ଲୀ: ଭାରତର ସବୁଠାରୁ ଧନୀ ବ୍ୟକ୍ତି ହେଉଛନ୍ତି ମୁକେଶ ଅମ୍ବାନୀ। ତେବେ ସେ ଦେଶର ସବୁଠାରୁ ଧନୀ ଷ୍ଟକ୍ ନିବେଶକ ନୁହନ୍ତି। ଷ୍ଟକ୍ ମାର୍କେଟରୁ ସବୁଠାରୁ ଅଧିକ ରୋଜଗାର କରିଥିବା ସେହି ଧନୀ ବ୍ୟକ୍ତି ଜଣକ ହେଉଛନ୍ତି ରାଧାକିଷନ୍ ଦମନୀ। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଅଛନ୍ତି ତାଙ୍କଠାରୁ କାମ ଶିଖିଥିବା ସ୍ବର୍ଗତଃ ରାକେଶ ଝୁନ୍ଝୁନ୍ୱାଲାଙ୍କ ପରିବାର।
ଇକୋନୋମିକ୍ ଟାଇମ୍ସ ଦ୍ୱାରା ପ୍ରସ୍ତୁତ ତାଲିକାରେ ହେମେନ୍ଦ୍ର କୋଠାରୀ, ଆକାଶ ବଶାଂଲୀ, ମୁକୁଲ ଅଗ୍ରୱାଲ, ଆଶିଷ ଧାୱନ ଏବଂ ନେମିଶ ଶାହା ମଧ୍ୟ ଅଛନ୍ତି। ଦମନୀଙ୍କ ଷ୍ଟକ ମାର୍କେଟ ପୋର୍ଟଫୋଲିଓ ୧.୫୯ ଲକ୍ଷ କୋଟି ଟଙ୍କା ହୋଇଥିବା ବେଳେ ତାଙ୍କର ମୋଟ ସଂପତ୍ତିର ମୂଲ୍ୟ ହେଉଛି ୨.୩ ଲକ୍ଷ କୋଟି ଟଙ୍କା।
ଦମନୀ ମୁମ୍ବାଇରେ ରହନ୍ତି। ୨୦୧୭ ମସିହା ମାର୍ଚ ମାସରେ ଦମନୀ ଆଭେନ୍ୟୁ ସୁପରମାର୍ଟ ପାଇଁ ତାଙ୍କ କମ୍ପାନି ଏକ ଆଇପିଓ ଆଣିବା ପରେ ସେ ରିଟେଲ୍ ସେକ୍ଟରରେ ଏକ ପ୍ରକାରର ରାଜା ହୋଇ ଯାଇଥିଲେ।
୨୦୨୨ ମସିହାରେ ସେ ମୁମ୍ବାଇରେ ଏକ ଷ୍ଟୋର ଖୋଲିଥିଲେ। ପରେ ତାହା ଦେଶରେ ସବୁଠାରୁ ବଡ ରିଟେଲ୍ ଚେନ୍ରେ ପରିଣତ ହୋଇଗଲା। ସେ ଆଲିବାଗରେ ରେଡିସନ୍ ବ୍ଲୁ ରିସୋର୍ଟର ମଧ୍ୟ ମାଲିକ ଅଟନ୍ତି।
ତାଙ୍କ ଭାଇ ଗୋପୀକିଷନ ମଧ୍ୟ ଜଣେ କୋଟିପତି । ୨୦୨୧ ମସିହାରେ, ସେମାନେ ୧୦୦ ମିଲିୟନ୍ ଡଲାର (୮୨୦ କୋଟି ଟଙ୍କା)ରେ ଏକ ଘର କିଣିଥିଲେ। ୨୦୨୩ ମସିହାରେ, ସେ ବିକାଶ ଓବରଏଙ୍କ ଦ୍ୱାରା ବିକଶିତ ଏକ ଗୃହ ପ୍ରକଳ୍ପରେ ମୁମ୍ବାଇରେ ୨୮ଟି ଆପାର୍ଟମେଣ୍ଟ କିଣିଥିଲେ। ଏଥିପାଇଁ ଚୂଡ଼ାନ୍ତ ହୋଇଥିବା ଡିଲ୍ ବାବତକୁ ସେ ୧୫୫ ମିଲିୟନ୍ ଡଲାର୍ (୧୨୮୮ କୋଟି ଟଙ୍କା) ପ୍ରଦାନ କରିଛନ୍ତି।