ସୁରଟ: ଆପଣ ଆପଣଙ୍କ ଜୀବନରେ ଅନେକ ଧନୀ ବ୍ୟକ୍ତିଙ୍କୁ ଦେଖିଥିବେ। ଆମେ କିନ୍ତୁ ଆଜି କଥା ହେବୁ ସୁରଟର ସବୁଠାରୁ ଧନୀକ ବ୍ୟକ୍ତି ସବ୍ଜୀ ଢୋଲକିଆଙ୍କ ବିଷୟରେ। ସେ ପ୍ରତିବର୍ଷ ଦୀପାବଳିରେ ନିଜ କର୍ମଚାରୀଙ୍କୁ ମହଙ୍ଗା ଉପହାର ଦେଇ ଚର୍ଚ୍ଚାରେ ରହିଥାନ୍ତି। ଏହି ହୀରା ବ୍ୟବସାୟିଙ୍କ ସଂପତ୍ତିର ଆନୁମାନିକ ମୂଲ୍ୟ ପ୍ରାୟ ୧୨୦୦୦ କୋଟି ଟଙ୍କା ବୋଲି ରିପୋର୍ଟ ହୋଇଛି। ତେବେ ସେ ଏତେ ଧନୀ ହୋଇ ମଧ୍ୟ ତାଙ୍କ ନାତି ଜଣେ ସାଧାରଣ କର୍ମଚାରୀ ଭାବେ କାମ କରୁଥିଲେ। ତେବେ ଜାଣିବା କାହିଁକି ?
ଢୋଲକିଆଙ୍କ ନାତି ରୁଭିନ ଢୋଲକିଆ ଆମେରିକାରୁ ନିଜ ପାଠପଢ଼ା ସାରି ଆସିବା ପରେ ଅଭିଜ୍ଞତା ପାଇଁ ତାଙ୍କ ଜେଜେ ତାଙ୍କୁ ବିଭିନ୍ନ କାମ କରିବାକୁ କହିଥିଲେ। ନିଜ ଗୋଡ଼ରେ ନିଜେ ଠିଆ ହେବାକୁ ପ୍ରୋତ୍ସାହିତ କରିଥିଲେ। ଏପରିକି ରୁଭିନ ଢୋଲକିଆଙ୍କୁ ଫୋନ୍ ବ୍ୟବହାର କରିବାକୁ ବି ବାରଣ କରାଯାଇଥିଲା।
ନିଜ ନାତିଙ୍କ ମ୍ୟାନେଜମେଣ୍ଟ୍ ଡିଗ୍ରି ଅପେକ୍ଷା ତାଙ୍କ ଅଭିଜ୍ଞତା ତାଙ୍କୁ ବେଶି ଦରକାରୀ ବୋଲି ଭାବି ସବ୍ଜୀ ଢୋଲକିଆ ରୁଭିନଙ୍କୁ ଚେନ୍ନାଇ ପଠାଇଥିଲେ କାମ କରିବାକୁ। ସେଠାରେରୁଭିନ ମାସିକ ୬୦୦୦ ଟଙ୍କାରେ କାମ କରିଥିଲେ। ପ୍ରଥମେ ସେ ଏକ କପଡ଼ା ଦୋକାନରେ ସେଲ୍ସମ୍ୟାନ୍ ଭାବେ ୯ ଦିନ ପାଇଁ କାମ କରିଥିଲେ। ତାପରେ ସେ ଏକ ଖାଦ୍ୟ ଷ୍ଟଲ୍ ବା ଇଟରିରେ ୮ ଦିନ ପାଇଁ କାମ କରିଥିଲେ। ସେ ଘଣ୍ଟା ଦୋକାନରୁ ନେଇ ଜଣେ ସାଧାରଣ ଶ୍ରମିକ ଭାବେ ବି କାମ କରିଥିଲେ। ତାଙ୍କୁ ଦିନିକିଆ ପାରିଶ୍ରମିକ ଭାବେ ମାତ୍ର ୨୦୦ ଟଙ୍କା ମିଳୁଥିଲା। ଏପରିକି ତାଙ୍କୁ ଟିପ୍ ଆକାରରେ ୨୭ ଟଙ୍କା ବି ମିଳିଛି।
ସବ୍ଜୀ ଢୋଲକିଆ ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ସେ ୧୩ ବର୍ଷ ବୟସରେ ଅଧ୍ୟୟନ ଛାଡିଥିଲେ ଏବଂ ସେ ସୁରଟରେ ମାମୁଙ୍କ ହୀରା ବ୍ୟବସାୟରେ ଯୋଗ ଦେଇଥିଲେ। ପରେ ତାଙ୍କ ଭାଇମାନେ ମଧ୍ୟ ଏହି ବ୍ୟବସାୟରେ ଯୋଗ ଦେଇଥିଲେ। ମିଳିତ ଭାବେ, ସେମାନେ୧୯୮୪ ରେ ନିଜର ହୀରା ବ୍ୟବସାୟ ଆରମ୍ଭ କରିଥିଲେ। ୨୦୧୪ ସୁଦ୍ଧା, ସେମାନଙ୍କର ୬୫୦୦ କର୍ମଚାରୀ ଥିଲେ। ତାଙ୍କୁ ୨୦୨୨ ମସିହାରେ ଭାରତ ସରକାର ପଦ୍ମଶ୍ରୀ ପ୍ରଦାନ କରିଥିଲେ।
ସେ କର୍ମଚାରୀମାନଙ୍କୁ ମହଙ୍ଗା ଉପହାର ଦେଇ ପ୍ରତିବର୍ଷ ଚର୍ଚ୍ଚାରେ ରହନ୍ତି। ସେ ଥରେ ୪୦୦ ଫ୍ଲାଟ ଏବଂ ୧୨୬୦ଟି କାର ତାଙ୍କ ଶ୍ରମିକମାନଙ୍କୁ ଦୀପାବଳି ବୋନସ୍ ଭାବରେ ଉପହାର ଦେଇଥିଲେ।