ନୂଆଦିଲ୍ଳୀ: ଫ୍ୟାଶନ ଦୁନିଆର ଏକ ଅଗ୍ରଣୀ କମ୍ପାନି ଭାବେ ‘ନାୟକା’ ବେଶ୍‌ ଜଣାଶୁଣା। ଆପଣ ଜାଣନ୍ତି ଯେ ‘ନାୟିକା’ର ପ୍ରତିଷ୍ଠାତ୍ରୀ ଫାଲଗୁନି ନାୟର। ତାଙ୍କ ଝିଅ ଅଦ୍ବିତା ନାୟର ହେଉଛନ୍ତି କମ୍ପାନିର ସିଇଓ। ସେ ‘ନାୟିକା’ର ସହ-ପ୍ରତିଷ୍ଠାତା ମଧ୍ୟ। ‘ନାୟିକା’ ଏବେ ୨୨,୦୦୦ କୋଟି ଟଙ୍କାର ଏକ କମ୍ପାନି ବନିପାରିଛି।

Advertisment

ସବୁବ‌େଳେ  କମ୍ପାନିକୁ ଆଗକୁ ନେବା ଲୋକଟି ପୁରୁଷ ହୋଇ ନଥାଏ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି। ଅଦ୍ବିତା ବ୍ୟବସାୟରେ ଏତେ ସଫଳ ହୋଇଥିଲେ ଯେ ସେ ଟାଟା ଗ୍ରୁପ୍‌ ଓ ଅମ୍ବାନୀ ଗ୍ରୁପ୍‌ର କମ୍ପାନିଗୁଡ଼ିକ ସହ ପ୍ରତିଦ୍ବନ୍ଦ୍ବିତା କରି ଆଗକୁ ବଢ଼ିବାରେ ସମର୍ଥ ହୋଇ ପାରିଛନ୍ତି।

ଅଦ୍ବିତା ନାୟର ୨୦୧୨ ମସିହାରେ ଆମେରିକାର ଏକ ବଡ଼ କମ୍ପାନିରେ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ଯେତେବେଳେ ଫାଲଗୁନି ନାୟର ‘ନାୟିକା’ ଆରମ୍ଭ କରିବାର ନିଷ୍ପତ୍ତି ନେଲେ ତ ଅଦ୍ବିତା ନ୍ୟୁୟର୍କର ତାଙ୍କ ହାଇ ପ୍ରୋଫାଇଲ୍‌ ଚାକିରି ଛାଡ଼ି ଆସି ସହ-ନିର୍ମାତା ଭାବେ ‘ନାୟିକା’ରେ ଯୋଗ ଦେଇଥିଲେ।

ଅଦ୍ୱିତା ନାୟର ମୁମ୍ବାଇର ‘ଧୀରୁଭାଇ ଅମ୍ବାନୀ ସ୍କୁଲ୍‌’ରୁ ପାଠ ପଢ଼ା ସମାପ୍ତ କରିଛନ୍ତି ଏବଂ ‘ୟାଲେ ବିଶ୍ୱବିଦ୍ୟାଳୟ’ରୁ ଆପ୍ଲାଏଡ୍ ମ୍ୟାଥେମେଟିକ୍ସରେ ସ୍ନାତକ (ବିଏ) କରିଛନ୍ତି। ପରେ ସେ ହାଭାର୍ଡ ବିଜନେସ୍ ସ୍କୁଲରେ ଯୋଗ ଦେଇ ଏମବିଏ ପୂରା କରିଛନ୍ତି।

ଏକ ବ୍ୟବସାୟିକ ସାମ୍ରାଜ୍ୟ ଗଢ଼ିବା ପାଇଁ ଅଦ୍ବିତା ତାଙ୍କ ମା’ ଫାଲଗୁନି ନାୟରଙ୍କ ସହ ମିଶି କଠିନ ପରିଶ୍ରମ କରିଛନ୍ତି। ୨୦୧୮ ମସିହାରେ ସେ ‘ନାୟିକା ଫ୍ୟାଶନ୍’ ଲଞ୍ଚ କରିଥିଲେ। ‘ନାୟିକା’ ଏବେ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଜିଓମାର୍ଟ, ରତନ ଟାଟାଙ୍କ ଗ୍ରୁପ୍ କମ୍ପାନୀ ଟାଟା କ୍ଲିକ୍, ମିଣ୍ଟ୍ରା, ଆମାଜନ ଏବଂ ଅନ୍ୟ କେତେକ ଶକ୍ତିଶାଳୀ କମ୍ପାନି ସହିତ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହା ସତ୍ତ୍ୱେ ‘ନାୟିକା ଫ୍ୟାଶନ’ ବଜାରରେ ଏହାର ପ୍ରସାର କରିବାରେ ସଫଳ ହୋଇଛି। ଅଦ୍ୱିତାଙ୍କ ମା’ ଫାଲଗୁନି ନାୟର ହେଉଛନ୍ତି ଭାରତର ସବୁଠାରୁ ଧନୀ ଆତ୍ମନିର୍ଭରଶୀଳ ମହିଳା। ଫୋର୍ବସ-୨୦୨୨ର ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ଫାଲ୍‌ଗୁନି ନାୟର ୪୪ତମ ସ୍ଥାନରେ ରହିଥିଲେ​​।