ପିଏନ୍‌ବି ଠକେଇ ଅଭିଯୁକ୍ତ ମେହୁଲ୍‌ ଚୋକ୍‌ସି ନିଖୋଜ, ରାତ୍ରୀଭୋଜନ କରିବାକୁ ଯାଇ ‌ଫେରିନାହାନ୍ତି

କ୍ୟୁବା ପଳାଇଥିବା ସନ୍ଦେହ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନ୍‌ବି)ରେ ହୋଇଥିବା ୧୪ ହଜାର କୋଟି ଟଙ୍କା ଠକେଇର ଅନ୍ୟତମ ଅଭିଯୁକ୍ତ ମେହୁଲ ଚୋକ୍‌ସି ଆଣ୍ଟିଗୁଆରେ ନିଖୋଜ ‌ହୋଇଯାଇଛନ୍ତି। ପରିବାର ଲୋକ ଚୋକ୍‌ସିଙ୍କୁ ଖୋଜୁଛନ୍ତି। ସେ ନିଖୋଜ ହୋଇଥିବା ବିଷୟକୁ ତାଙ୍କ ଆଇନଜୀବୀ ବିଜୟ ଅଗ୍ରୱାଲ୍ ସ୍ପଷ୍ଟ କରିଛନ୍ତି। ସୂଚନା ଅନୁସାରେ, ଆଣ୍ଟିଗୁଆର ଦକ୍ଷିଣ ଭାଗରେ ଥିବା ଏକ ରେସ୍ତୋରାଁରେ ରାତ୍ରୀ ଭୋଜନ କରିବା ଉଦ୍ଦେଶ୍ୟରେ ଚୋକ୍‌ସି ସୋମବାର ସନ୍ଧ୍ୟାରେ ନିଜ ଘରୁ ବାହାରିଥିଲେ। ଏହା ପରଠାରୁ ତାଙ୍କୁ ଆଉ ଦେଖିବାକୁ ମିଳିନି। ପରବର୍ତୀ ସମୟରେ ତାଙ୍କ ଗାଡ଼ି ମିଳିଥିଲା, କିନ୍ତୁ ତାଙ୍କର କୌଣସି ଖୋଜ ଖବର ମିଳିନଥିବା ଜଣାପଡ଼ିଛି।

ଚୋକ୍‌ସି ନିଖୋଜ ହୋଇଥିବା ନେଇ ପୁଲିସରେ ମାମଲା ରୁଜୁ ହୋଇଛି। ତାଙ୍କୁ ଖୋଜିବା ଲାଗି ଉଦ୍ୟମ ହେଉଛି ବୋଲି ପୁଲିସ କମିସନର ଆଟ୍‌ଲି ରୋଡ୍‌ନି କହିଛନ୍ତି। ଏ ସମ୍ପର୍କିତ ରିପୋର୍ଟ ଆଣ୍ଟିଗୁଆ ନିଉଜ୍‌ରୁମ୍ ନାମକ ଏକ ସ୍ଥାନୀୟ ସମ୍ବାଦପତ୍ରରେ ପ୍ରକାଶ ପାଇଛି। ତେବେ ଚୋକ୍‌ସି ନିଖୋଜ ହୋଇଥିବା ନେଇ ସିବିଆଇକୁ କୌଣସି ସୂଚନା ଦିଆଯାଇନାହିଁ। ସେ ପିଏନ୍‌ବିରେ କରିଥିବା ଠକେଇର ତଦନ୍ତ କରୁଛି ସିବିଆଇ। ଚୋକ୍‌ସିଙ୍କ ବିଷୟରେ ସ୍ପଷ୍ଟ ସୂଚନା ଦେବା ଲାଗି ସିବିଆଇ ପକ୍ଷରୁ ଆଣ୍ଟିଗୁଆରେ ଥିବା ଭାରତୀୟ ଦୂତାବାସକୁ ଚିଠି ଲେଖାଯିବ। ଏହି ୬୨ ବର୍ଷୀୟ ହୀରା ବ୍ୟବସାୟୀ ପିଏନ୍‌ବି ଠକେଇର ପର୍ଦାଫାସ ହେବା ପୂର୍ବରୁ ୨୦୧୮ରେ ଭାରତ ଛାଡ଼ି ଦେଇଥି‌ଲେ। ‌ସେ ଆଣ୍ଟିଗୁଆର ନାଗରିକତ୍ବ ଗ୍ରହଣ କରିଛନ୍ତି। ଭାରତ ସରକାର ତାଙ୍କ ବିଷୟରେ ଆଣ୍ଟିଗୁଆ ସରକାରଙ୍କୁ ଅବଗତ କରିବା ପରେ ସେଠାକାର ପ୍ରଧାନମନ୍ତ୍ରୀ ଗାଷ୍ଟନ ବ୍ରାଉନି କହିଛନ୍ତି ‌ଯେ ସବୁ ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ଚୋକ୍‌ସିଙ୍କ ନାଗରିକତାକୁ ପ୍ରତ୍ୟାହାର କରାଯିବ।

କୌଣସି ଆର୍ଥିକ ଅପରାଧୀଙ୍କୁ ଆଣ୍ଟିଗୁଆରେ ଆଶ୍ରୟ ମିଳିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ୨୦୧୮ରେ ଇଣ୍ଟରପୋଲ୍ ତରଫରୁ ଚୋକ୍‌ସିଙ୍କ ବିରୋଧରେ ଏକ ରେଡ୍‌ ନୋଟିସ୍ ଜାରି କରାଯାଇଥିଲା। ଅର୍ଥାତ କୌଣସି ଦେଶରେ ପ୍ରବେଶ କରିବା ବେଳେ ଯଦି ସେ ଧରାପଡ଼ିବେ ତେବେ ଉକ୍ତ ଦେଶ ‌ସେ ବିଷୟରେ ସୂଚନା ଜାରି କରିବ। ତେବେ ଗୁଇନ୍ଦା ସୂତ୍ରରୁ ଖବର ମିଳିଛି ଯେ ଚୋକ୍‌ସି ଆଣ୍ଟିଗୁଆ ଛାଡ଼ି କ୍ୟୁବା ଚାଲିଯାଇଛନ୍ତି। କାରଣ ଆଣ୍ଟିଗୁଆ ଭଳି କ୍ୟୁବା ସହିତ ଭାରତର କୌଣସି ପ୍ରତ୍ୟପର୍ଣ ଚୁକ୍ତି ନାହିଁ। ସେଠାରେ ଯଦି ସେ ଗିରଫ ହେବେ ତାଙ୍କୁ ଭାରତ ଫେରାଇ ଆଣିହେବ ନାହିଁ।

ସମ୍ବନ୍ଧିତ ଖବର