ନୂଆଦିଲ୍ଲୀ: ‌ପିଏନ୍‌ବି ମହାଘୋଟାଲାର ଅନ୍ୟତମ ଅଭିଯୁକ୍ତ ମେହୁଲ୍‌ ଚୋକ୍‌ସି ବେଲ୍‌ଜିୟମର ଅନ୍ତ୍ବର୍ପ ସହରରେ ରହୁଛନ୍ତି। ତାଙ୍କ ସହିତ ପତ୍ନୀ ତଥା ବେଲଜିୟମର ନାଗରିକ ପ୍ରୀତି ଚୋକ୍‌ସି ମଧ୍ୟ ରହୁଛନ୍ତି ବୋଲି ଆସୋସିଏଟ୍‌ସ ଟାଇମ୍ସ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି। ମେହୁଲଙ୍କୁ ପ୍ରତ୍ୟର୍ପଣ ପାଇଁ ଭାରତୀୟ କର୍ତ୍ତୃପକ୍ଷ ତାଙ୍କ ବେଲଜିୟମ ପ୍ରତିପକ୍ଷଙ୍କ ସହ ଯୋଗାଯୋଗ କରିଛନ୍ତି। 

Advertisment

ପିଏନ୍‌ବିକୁ ପ୍ରାୟ ୧୪ ହଜାର କୋଟି ଟଙ୍କା ଠକିଥିବା ଅଭିଯୋଗରେ ମେହୁଲ୍‌ ଉଭୟ ସିବିଆଇ ଓ ଇଡିର ୱାଣ୍ଟେଡ୍‌ ତାଲିକାରେ ରହିଛନ୍ତି। ପୂର୍ବରୁ ସେ କାରବୀୟ ଦେଶ ଆଣ୍ଟିଗୁଆ ଓ ବାରବୁଡାରେ ରହୁଥିବା ନେଇ ଅନୁମାନ କରାଯାଉଥିଲା। ମେହୁଲ ଯଦିଓ ଆଣ୍ଟିଗୁଆ ଓ ବାରବୁଡ଼ାର ନାଗରିକତା ନେଇଛନ୍ତି ତଥାପି ସେ ଚିକିତ୍ସା ପାଇଁ ବେଲଜିୟମ ଯାଇଛନ୍ତି ବୋଲି ଏହାର ବିଦେଶ ମନ୍ତ୍ରୀ ଇପି ସିଟ୍ ଗ୍ରିନି ଗତ ୧୯ ତାରିଖରେ ସୂଚନା ଦେଇଥିଲେ। ‘ଏଫ୍‌ ରେସିଡେନ୍ସି କାର୍ଡ’ରେ ୬୫ ବଷୀୟ ‌ମେହୁଲ ବେଲଜିୟମରେ ରହୁଛନ୍ତି। ୨୦୨୩ ନଭେମ୍ବର ୧୫ରେ ସେ ତାଙ୍କ ବେଲଜିୟମ ନାଗରିକ ପତ୍ନୀଙ୍କ ସହାୟତାରେ ଏହି କାର୍ଡ ହାତେଇଥିଲେ। ମେହୁଲ ଜାଲ୍‌ କାଗଜପତ୍ର ଜରିଆରେ ବେଲଜିୟମର ନାଗରିକତା ହାତେଇବା ପାଇଁ ଉଦ୍ୟମ କରିଥିବା କୁହାଯାଉଛି। 

ମେହୁଲ ଭାରତୀୟ ନାଗରିକତା ଛାଡ଼ିନାହାନ୍ତି। କିନ୍ତୁ ଯଦି ବେଲଜିୟମରେ ଅସ୍ଥାୟୀ ଭାବେ ରହୁଥିବା ମେହୁଲ ସ୍ଥାୟୀ ନାଗରିକତା ପାଇଯାଆନ୍ତି ତାହେଲେ ସେ ୟୁରୋପ ସାରା ଯାତ୍ରା କରିବାର ସୁଯୋଗ ପାଇଯିବେ। ଏହାହେଲେ ତାଙ୍କୁ ଭାରତ ପ୍ରତ୍ୟର୍ପଣ କରିବା କଷ୍ଟକର ହୋଇପଡ଼ିବ। ତେବେ ଏହା ମଧ୍ୟ କୁହାଯାଉଛି ଯେ ଏକ କ୍ୟାନସର ହସ୍ପିଟାଲରେ ଚିକିତ୍ସା ପାଇଁ ମେହୁଲ ସ୍ବିଜରଲାଣ୍ଡ୍‌ ଯାଇପାରନ୍ତି। ପିଏନ୍‌ବି ମହାଘୋଟାଲାର ଅନ୍ୟତମ ଅଭିଯୁକ୍ତ ତଥା ମେହୁଲଙ୍କ ଭଣଜା ନିରବ ମୋଦୀ ଏବେ ଲଣ୍ଡନରେ ଜେଲ୍‌ରେ ଅଛନ୍ତି। ତାଙ୍କୁ ମଧ୍ୟ ଏପର୍ଯ୍ୟନ୍ତ ଭାରତ ଅଣାଯାଇ ପାରିନାହିଁ।