ମର୍ସିଡିସ୍‌ ଗଣିବ ୨ ଲକ୍ଷ

ନୂଆଦିଲ୍ଲୀ: ଚାରି ବର୍ଷ ତଳେ ଚଣ୍ଡିଗଡ଼ର ପ୍ରିନ୍‌ସ ବଶଂଲ ନାମକ ଜଣେ ଗ୍ରାହକ ମର୍ସିଡିସ୍‌ ବେଞ୍ଜ୍‌ର ଏକ ବିଳାସପୂର୍ଣ୍ଣ କାର୍‌ କିଣିଥିଲେ। ସେହି କାର୍‌ରେ ‌କିଛି ତ୍ରୁଟି ରହିଥିଲା ଯାହାର ସମାଧାନ ହୋଇପାରିନଥିଲା। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି ‘ଜାତୀୟ ଉପଭୋକ୍ତା ଅଭିଯୋଗ ସମାଧାନ ଆୟୋଗ (ଏନ୍‌ସିଡିଆର୍‌ସି)’ କରିଛନ୍ତି। ପ୍ରିନ୍ସଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆୟୋଗ କଂପାନିକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଏହି ମାମଲାରେ ରାଜ୍ୟ ଆୟୋଗ ଦେଇଥିବା ନିର୍ଦେଶକୁ ଜାତୀୟ ଆୟୋଗ ବଜାୟ ରଖିଛନ୍ତି। ପ୍ରିନ୍ସଙ୍କ ଗା‌ଡ଼ି ସମ୍ପର୍କିତ ଅଭିଯୋଗ ପହଞ୍ଚିବା ପରେ ଜାତୀୟ ଆୟୋଗଙ୍କ ତରଫରୁ ପଞ୍ଜାବ ଇଞ୍ଜିନିୟରିଂ କଲେଜର ତିନି ଜଣ ପ୍ରଫେସରଙ୍କ ଜରିଆରେ ଗାଡ଼ିର ଯାଞ୍ଚ କରାଯାଇଥିଲା। ଗାଡ଼ିରେ ଥିବା ସମସ୍ୟାର ସମାଧାନ ହୋଇନାହିଁ ବୋଲି ସେମାନେ ରିପୋର୍ଟ ଦେଇଥିଲେ। ମାମଲାର ଶୁଣାଣି ବେଳେ ଆୟୋଗର ସଭାପତିତ୍ବ କରିଥିବା ସଦସ୍ୟ ଭି କେ ଜୈନ କହିଛନ୍ତି ଯେ, ୩୭ ଲକ୍ଷ ଟଙ୍କା ଦେଇ ଗାଡ଼ି କିଣିଥିବା ମାଲିକ ଆଶା କରିଥିଲେ ଯେ ଗାଡ଼ିଟି ବିନା କୌଣସି ସମସ୍ୟାରେ ଅତି ସହଜରେ ଚାଲିବ। ମାତ୍ର ଏହି ଗାଡ଼ି କ୍ଷେତ୍ରରେ ଆରମ୍ଭରୁ ସମସ୍ୟା ଦେଖାଦେଇଥିଲା ଏବଂ ପରେ ଗୋଟିଏ ପରେ ଗୋଟିଏ ନୂଆ ସମସ୍ୟା ସୃଷ୍ଟି ହୋଇଥିଲା। ଯେତେବେଳେ ଏହି କାର୍‌ ମର୍ସିଡିସ୍‌ ଭଳି କଂପାନିର ସେଠାରେ ଦୁଇ ଲକ୍ଷ ଟଙ୍କାର କ୍ଷତିପୂରଣ ଅଧିକ ନୁହେଁ ବୋଲି ସେ କହିଛନ୍ତି।
ପ୍ରିନ୍ସ ୨୦୧୫ ସେପ୍ଟେମ୍ବର ୧୭ରେ ମର୍ସିଡିସ୍‌ ସିଡିଆଇ ୨୨୦ ମଡେଲ୍‌କୁ ୩୭ ଲକ୍ଷ ଟଙ୍କାରେ କିଣିଥିଲେ। କିଛି ଦିନ ତାହାକୁ ଚଲାଇବା ପରେ ସେଥିରେ ସମସ୍ୟା ଦେଖାଦେଇଥିଲା। ଏହା ପରେ ସେ ଅନେକ ଥର ଗାଡ଼ିକୁ ୱାର୍କସପ୍ ନେଇଥିଲେ ଓ ସେଠାରେ ଗାଡ଼ିର ସନ୍‌ରୁଫ୍‌କୁ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ତଥାପି ଗାଡ଼ିରେ ଥିବା ସମସ୍ୟାର ସମାଧାନ ନହେବାରୁ ଗ୍ରାହକ ଜଣକ ରାଜ୍ୟ ଆୟୋଗ ନିକଟରେ ପ୍ରଥମେ ଅଭିଯୋଗ କରିଥିଲେ। ଏହାର ଶୁଣାଣି କରି ଗ୍ରାହକଙ୍କୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ଆୟୋଗ ନିର୍ଦେଶ ଦେଇଥିଲେ। ସେହି ରାୟକୁ ଏନ୍‌ସିଡିଆର୍‌ସି ବଜାୟ ରଖିଥିଲେ।

ସମ୍ବନ୍ଧିତ ଖବର