ପୁନେ: ମର୍ସିଡିସ ବେଞ୍ଜ ଇଣ୍ଡିଆ କ୍ରମାଗତଭାବେ ୮ ବର୍ଷ ହେଲା ଭାରତରେ ସବୁଠୁ ଅଧିକ ବିଳାସପୂର୍ଣ୍ଣ କାର ବିକ୍ରି କରିଆସୁଛି। ଏଥିସହିତ ୨୦୨୨ରେ କମ୍ପାନି ବିକ୍ରିରେ ନୂଆ ରେକର୍ଡ ସ୍ଥାପନ କରିଛି। କମ୍ପାନି ୧୫,୮୨୨ଟି ଗାଡ଼ି ବିକ୍ରି କରିଛି, ଯାହାକି ୨୦୨୧ ତୁଳନାରେ ୪୧ ପ୍ରତିଶତ ଅଧିକ। ୨୦୨୨ରେ ସବୁଠୁ ଅଧିକ କାର ବିକ୍ରି କରିଥିବାରୁ ଆମେ ଉତ୍ସାହିତ ବୋଲି ମର୍ସିଡିସ ବେଞ୍ଜ ଇଣ୍ଡିଆର ଏମଡି ତଥା ସିଇଓ ସନ୍ତୋଷ ଆୟାର କହିଛନ୍ତି।
ଏଥିସହିତ କମ୍ପାନି ୨୦୨୩ର ପ୍ରଥମ ଗାଡ଼ି ଉନ୍ମୋଚନ କରିଛି। ମର୍ସିଡିସ ଏଏମଜି ଇ ୫୩ ୪ମେଟିକ୍+ କେବ୍ରିଓଲେଟ୍ ନାମରେ ଉକ୍ତ କାର ଆସିଛି। ୨୦୨୩ ମସିହା ପାଇଁ କମ୍ପାନିର ମୋଟୋ ‘ଡିଜାୟାର ଫର୍ ଦ ଏକ୍ସଟ୍ରାଡିନାୟାର’ ରଖାଯାଇଛି। କମ୍ପାନି ପକ୍ଷରୁ ଉନ୍ମୋଚନ କରାଯାଇଥିବା ନୂଆ ବିଳାସପୂର୍ଣ୍ଣ କାରରେ ୨୯୯୯ ସିସିର ଇଞ୍ଜିନ ରହିଛି। ଉକ୍ତ କାରର ସର୍ବାଧିକ ବେଗ ଘଣ୍ଟାପ୍ରତି ୨୫୦ କିମି ଥିବାବେଳେ ୪.୫ ସେକେଣ୍ଡ ମଧ୍ୟରେ ଏହା ଶୂନରୁ ୧୦୦ କିମି ପର୍ଯ୍ୟନ୍ତ ବେଗକୁ ଯାଇପାରୁଛି। ଭାରତରେ ଉକ୍ତ କାରର ଏକ୍ସସୋ’ରୁମ ମୂଲ୍ୟ ୧ କୋଟି ୩୦ ଲକ୍ଷ ଟଙ୍କା ରହିଛି।