ମର୍ସିଡିସ୍‌ ଖୋଲିଲା ନୂଆ ସୋ’ରୁମ୍

ଭୁବନେଶ୍ବର: ନଖରା ନିକଟସ୍ଥ କଟକ-ଭୁବନେଶ୍ବର ଜାତୀୟ ରାଜପଥ ପାର୍ଶ୍ବରେ ମର୍ସିଡିସ୍‌-ବେଞ୍ଜ ଇଣ୍ଡିଆ ଏହାର ନୂତନ ‌ସୋ’ରୁମ୍ ଖୋଲିଛି। ଡିଲର୍‌ ସହଯୋଗୀ ଟି ଆଣ୍ଡ୍‌ ଟି ମୋଟର୍ସ ଦ୍ବାରା ଖୋଲାଯାଇଥିବା ଏହି ସୋ’ରୁମ୍ ହେଉଛି ରାଜ୍ୟରେ କଂପାନିର ପ୍ରଥମ। ବିକ୍ରି, ସର୍ଭିସ୍ ଓ ସ୍ପେୟାର ପାର୍ଟସ୍‌ ସୁବିଧା ଥିବା ଏହି ସୋ’ରୁମ୍‌କୁ ୪୦ ହଜାର ବର୍ଗଫୁଟରେ ସ୍ଥାପନ କରାଯାଇଛି ଯେଉଁ ଠାରେ ଏକ ସମୟରେ କଂପାନିର ସମସ୍ତ ୬୫ଟି ମଡେଲ୍‌କୁ ପ୍ରଦର୍ଶିତ କରାଯାଇପାରିବ। ଏହାକୁ କଂପାନିର ଏମ୍‌ଡି ଓ ସିଇଓ ମାର୍ଟିନ ସ୍କୱେ ଓ ଟି ଆଣ୍ଡ୍‌ ଟି ମୋଟର୍ସର ଏମ୍‌ଡି ବିଦୂର ତଲୱାର ଓ କାର୍ଯ୍ୟନିର୍ବାହୀ ନିର୍ଦେଶକ ରୋହନ ତଲୱାର ଉଦ୍‌ଘାଟନ କରିଛନ୍ତି। ସାଢ଼େ ଆଠ କୋଟି ଟଙ୍କା ବିନିଯୋଗରେ ନୂତନ ସୋ’ରୁମ୍‌କୁ ଛଅ ମାସ ଭିତରେ ସ୍ଥାପନ କରାଯାଇଛି। ଏଥିରେ ୬ କାର୍‌ ଡିସ୍‌ପ୍ଲେ, ୮ ସର୍ଭିସ୍‌ ବେ ଓ ୩୦ ‌ପେସାଦାର ତାଲିମପ୍ରାପ୍ତ ଷ୍ଟାଫ୍‌ ରହିଛନ୍ତି। ଏହି ସୋ’ରୁମ୍ ଭୁବନେଶ୍ବର ଓ କଟକ ବ୍ୟତୀତ ରାଉରକେଲା, ସମ୍ବଲପୁର ଓ ଆଖାପାଖ ଅଞ୍ଚଳର ଗ୍ରାହକଙ୍କ ଆବଶ୍ୟକତାକୁ ପୂରଣ କରିବ।

ସମ୍ବନ୍ଧିତ ଖବର