ବ୍ୟବସାୟୀ ଅଧିକ ଖାଇବା ତେଲ ରଖିପାରିବେନି

ଷ୍ଟକ୍ ସୀମା ଧାର୍ଯ୍ୟ କଲେ ସରକାର

ନୂଆଦିଲ୍ଲୀ, ୧୦/୧୦: ଦେଶରେ ଖାଇବା ତେଲ ଦାମ୍ ହ୍ରାସ କରିବା ଲାଗି କେନ୍ଦ୍ର ସରକାର ଏହାର ଷ୍ଟକ ସୀମା ନିର୍ଧାରଣ କରିଛନ୍ତି। ବ୍ୟବସାୟୀମାନେ ନିଜ ପାଖରେ ଖାଇବା ତେଲର କେତେ ଷ୍ଟକ ରଖିବେ ତାହା ସରକାର ଜଣାଇବେ। ଆସନ୍ତା ବର୍ଷ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଏହି କଟକଣା ଜାରି ରହିବ। କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ନିଜ ଆବଶ୍ୟକତା ଓ ଉପଲବ୍ଧ ଥିବା ଷ୍ଟକ୍‌ ବିଚାରକୁ ନେଇ ରାଜ୍ୟଗୁଡ଼ିକ ଖାଇବା ତେଲର ଷ୍ଟକ୍ ସୀମା ଧାର୍ଯ୍ୟ କରିପାରିବେ। ବ୍ୟବସାୟୀମାନେ ନିର୍ଧାରିତ ଷ୍ଟକ ସୀମା ଠାରୁ ଅଧିକ ଖାଇବା ତେଲ ନିଜ ପାଖରେ ରଖିପାରିବେ ନାହିଁ। ଷ୍ଟକ ସୀମା କଟକଣା କେତେକ ନିର୍ଦିଷ୍ଟ ପ୍ରକାରର ଆମଦାନିକାରୀ କିମ୍ବା ରପ୍ତାନିକାରୀଙ୍କ ଉପରେ ଲାଗୁ କରାଯିବ ନାହିଁ। ଯେଉଁମାନଙ୍କ ପାଖରେ ବୈଦଶିକ ବାଣିଜ୍ୟ ମହାନିର୍ଦେଶାଳୟ (ଡିଜିଏଫ୍‌ଟି)ଙ୍କ ଇମ୍ପୋର୍ଟର-ଏକ୍ସପୋର୍ଟର୍‌ କୋଡ୍ ନମ୍ବର ରହିଛି ସେମାନଙ୍କ ଉପରେ କଟକଣା ଲାଗିବ ନାହିଁ।

କିନ୍ତୁ କେତେ ଖାଇବା ତେଲ ଆମଦାନି କିମ୍ବା ରପ୍ତାନି ପାଇଁ ରହିଛି ସେହି ତଥ୍ୟ ସେମାନଙ୍କୁ ଦେବାକୁ ପଡ଼ିବ। ଖାଇବା ତେଲ ଦାମ୍ ଉପରେ ନିୟନ୍ତ୍ରଣ ହାସଲ କରିବା ଲାଗି ସୋରିଷ ତେଲର ଫ୍ୟୁଚର୍‌ ଟ୍ରେଡିଂକୁ ମଧ୍ୟ ରଦ୍ଦ କରାଯାଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆନ୍ତର୍ଜାତିକ ବଜାରରେ ଖାଇବା ତେଲ ଦାମ୍ ବଢ଼ୁଥିବାରୁ ଦେଶର ଗ୍ରାହକମାନଙ୍କ ଲାଗି ତାହା ମହଙ୍ଗା ହେବାରେ ଲାଗିଛି। ମାତ୍ର ଏହି ସ୍ଥିତିର ମୁକାବିଲା କରିବା ଲାଗି ସରକାର ବ୍ୟାପକ ରଣନୀତି ପ୍ରସ୍ତୁତ କରିଛନ୍ତି। ଆମଦାନି ଶୁଳ୍କୁ କୋହଳ କରାଯାଇଛି। ଖାଇବା ତେଲ ବ୍ୟବସାୟ ସହ ଜଡ଼ିତ ଥିବା ସମସ୍ତ ଅଂଶୀଦାର ଯଥା ବ୍ୟବସାୟୀ, ଆମଦାନିକାରୀ, ରପ୍ତାନିକାରୀ, ମିଲର୍‌, ଏକ୍ସଟ୍ରାକ୍ଟର, ରିଫାଇନାରି ଆଦି ପାଖରେ କେତେ ଷ୍ଟକ୍ ମହଜୁଦ ରହିଛି ତାହାର ତଥ୍ୟ ଜାରି କରିବାକୁ ନିର୍ଦେଶ ଦିଆଯାଇଛି। ଏଥିପାଇଁ ଏକ ସ୍ବତନ୍ତ୍ର ପୋର୍ଟାଲ୍ ବିକଶିତ କରାଯାଇଛି, ଯେଉଁଥିରେ ସେମାନେ ନିୟମିତ ଭାବେ ନିଜ ପାଖରେ ଥିବା ଷ୍ଟକ୍ ସମ୍ପର୍କରେ ସୂଚନା ଦେଉଛନ୍ତି।

ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ସୋୟା ତୈଳର କେଜି ପିଛା ଦାମ୍ ୧୫୪ ଟଙ୍କା ୯୫ ପଇସା ରହିଛି ଯାହା ଗତବର୍ଷ ତୁଳନାରେ ୪୬.୧୫% ଅଧିକ। ସେହିପରି ସୋରିଷ ତେଲ ଦାମ୍ ୪୩% ବୃଦ୍ଧି ପାଇ କେଜି ପିଛା ୧୮୪ ଟଙ୍କା ୮୩ ପଇସା ହୋଇଛି। ବନସ୍ପତି ଦାମ୍ ୪୩% ବୃଦ୍ଧି ପାଇ ୧୩୬ ଟଙ୍କା ୭୪ ପଇସା ହୋଇଛି। ସନଫ୍ଲାୱାର ଅଏଲ୍‌ର ଦାମ୍ ୩୮.୪୮ ପ୍ରତିଶତ ବୃଦ୍ଧି ପାଇ ୧୭୦ ଟଙ୍କା ୯ ପଇସା ଥିବା ବେଳେ ପାମ୍ ଅଏଲ୍‌ର କେଜି ପିଛା ଦାମ୍ ୩୮ ପ୍ରତିଶତ ବୃଦ୍ଧି ପାଇ ୧୩୨ ଟଙ୍କା ୬ ପଇସା ରହିଛି।

ସମ୍ବନ୍ଧିତ ଖବର