୨୦୨୪ ସୁଦ୍ଧା ସଂପୂର୍ଣ୍ଣ ହେବ ଏୟାର ଇଣ୍ଡିଆ- ଭିସ୍ତାରା ମିଶ୍ରଣ

ମିଶ୍ରଣ ପାଇଁ ଟାଟା, ସିଂଗାପୁର ଏୟାରଲାଇନ୍ସ ରାଜି

ମୁମ୍ବାଇ : ଏୟାର ଇଣ୍ଡିଆ ଓ ଭିସ୍ତାରା ମଧ୍ୟରେ ମିଶ୍ରଣ ପାଇଁ ରାଜି ହୋଇଛନ୍ତି ଟାଟା ସନ୍ସ ଓ ସିଂଗାପୁର ଏୟାରଲାଇନ୍ସ । ମାର୍ଚ୍ଚ ୨୦୨୪ ସୁଦ୍ଧା ଏହି ମିଶ୍ରଣ ସଂପୂର୍ଣ୍ଣ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି ।

ମିଶ୍ରଣ ପରେ ସୃଷ୍ଟ ବୃହତ କମ୍ପାନିରେ ସିଂଗାପୁର ଏୟାରଲାଇନ୍ସ ୨୦୫୯ କୋଟି ଟଙ୍କା ନିବେଶ କରିବ । ଫଳରେ ଏୟାର ଇଣ୍ଡିଆରେ ସିଂଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଅଂଶଧନ ରହିବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭିସ୍ତାରା ହେଉଛି ସିଂଗାପୁର ଏୟାରଲାଇନ୍ସ ଓ ଟାଟା ଗ୍ରୁପର ଏକ ଯୌଥ ଉଦ୍ୟମ । ଏହି ବିମାନ କମ୍ପାନିରେ ଟାଟା ଗ୍ରୁପର ୫୧ ପ୍ରତିଶତ ଅଂଶଧନ ଓ ସିଂଗାପୁର ଏୟାରଲାଇନ୍ସର ୪୯ ପ୍ରତିଶତ ଅଂଶଧନ ରହିଛି । ଆବଶ୍ୟକ ବୈଧାନିକ ଓ ସରକାରୀ ମଂଜୁରୀ ମିଳିଲେ ଏହି ମିଶ୍ରଣ ୨୦୨୪ ମାର୍ଚ୍ଚ ସୁଦ୍ଧା ସଂପୂର୍ଣ୍ଣ ହେବ ।

କେବଳ ଏତିକି ନୁହେଁ, ଏୟାର ଇଣ୍ଡିଆରେ ଏୟାର ଏସିଆ ଇଣ୍ଡିଆର ମିଶ୍ରଣ ପାଇଁ ଯୋଜନା କରୁଛି ଟାଟା ଗ୍ରୁପ । ସେହପରି ଏୟାର ଏସିଆ-ଇଣ୍ଡିଆ ହେଉଛି ମାଲେସିଆର ଏୟାର ଏସିଆ ଓ ଟାଟା ଗ୍ରୁପ ମଧ୍ୟରେ ଏକ ଯୌଥ ଉଦ୍ୟମ । ଏସବୁ ମିଶ୍ରଣ ପରେ ଏୟାର ଇଣ୍ଡିଆ ଏକ ବୃହତ ବିମାନ ସେବା କମ୍ପାନିରେ ପରିଣତ ହେବ ।

ଗତ ବର୍ଷ ହୋଇଥିବା ନିଲାମରେ ଟାଟା ଗ୍ରୁପ ୧୮ ହଜାର କୋଟି ବିନିମୟରେ ଏୟାର ଇଣ୍ଡିଆର ଅଧିଗ୍ରହଣ କରିଥିଲା ।

 

 

ସମ୍ବନ୍ଧିତ ଖବର