ଟ୍ରେନ୍‌ରେ ମିଳିବ ମସାଜ୍‌ ମଜା, ୧୦୦ରୁ ୩୦୦ ଟଙ୍କା ପର୍ଯ୍ୟନ୍ତ ଦେବାକୁ ହେବ

‌ନୂଆଦିଲ୍ଲୀ: ଭାରତରେ ଟ୍ରେନରେ ପ୍ରଥମ ଥର ପାଇଁ ଯାତ୍ରୀମାନଙ୍କୁ ମସାଜ୍ ସେବା ମିଳିବାକୁ ଯାଉଛି। ଚଳନ୍ତା ଟ୍ରେନରେ ଯାତ୍ରୀମାନଙ୍କୁ ଏହି ସେବା ଯୋଗାଇ ଦିଆଯିବ। ଇନ୍ଦୋରରୁ ଛାଡ଼ୁଥିବା ୩୯ଟି ଟ୍ରେନରେ ଏହି ସୁବିଧା ଉପଲବ୍ଧ ହେବ। ପାଦ ଏବଂ ମୁଣ୍ଡ ମସାଜ୍‌ ପାଇଁ ଯାତ୍ରୀଙ୍କୁ ସର୍ବନିମ୍ନ ୧୦୦ ଟଙ୍କା ଦେବାକୁ ହେବ। ତେବେ ୩ ପ୍ରକାର ମସାଜ୍‌ ଯାତ୍ରୀଙ୍କୁ ପ୍ରଦାନ କରାଯିବ। ସେଗୁଡ଼ିକ ହେଲା ଗୋଲ୍ଡ ବା ସ୍ବର୍ଣ୍ଣ, ଡାଇମଣ୍ଡ ବା ହୀରକ ଏବଂ ପ୍ଲାଟିନମ୍। ସ୍ବର୍ଣ୍ଣ ସେବା ପାଇଁ ୧୦୦ ଟଙ୍କା, ହୀରକ ସେବା ପାଇଁ ୨୦୦ ଟଙ୍କା ଏବଂ ପ୍ଲାଟିନମ ସେବା ପାଇଁ ୩୦୦ ଟଙ୍କା ଯାତ୍ରୀଙ୍କୁ ଦେବାକୁ ହେବ। ୧୫ରୁ ୨୦ ମିନିଟ ପର୍ଯ୍ୟନ୍ତ ଏହି ମସାଜ୍‌ ବିଭିନ୍ନ ପ୍ରକାର ତେଲ ଓ ଅନ୍ୟାନ୍ୟ ସାମଗ୍ରୀରେ କରାଯିବ। ଆସନ୍ତା ୧୫ରୁ ୨୦ ଦିନ ମଧ୍ୟରେ ଏହି ସେବା ଆରମ୍ଭ ହୋଇଯିବ। ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ଯାତ୍ରୀମାନଙ୍କୁ ଉକ୍ତ ସେବା ମିଳିବ। ଇନ୍ଦୋର-ଡେରାଡୁନ ଏକ୍ସପ୍ରେସ, ଇନ୍ଦୋର-ନୂଆଦିଲ୍ଳୀ ଇଣ୍ଟରସିଟି ଏକ୍ସପ୍ରେସ, ଇନ୍ଦୋର-ଅମୃତସର ଭଳି ଟ୍ରେନରେ ଏହି ସେବା ମିଳିବ ବୋଲି ରେଳ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଯାତ୍ରୀଙ୍କ ଆରାମ ପାଇଁ ଏହି ସେବା ଯୋଗାଇ ଦିଆଯିବ।

ଏହି ସେବା ଦ୍ବାରା କେବଳ ରେଳଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ସହାୟକ ହେବ ନାହିଁ ବରଂ ରେଳବାଇର ଅଣ ଟିକଟ ରାଜସ୍ବ ବଢ଼ାଇବାରେ ଏହା ସହାୟକ ହେବ ବୋଲି ଆଶା ରଖାଯାଇଛି। ପ୍ରତ୍ୟେକ ଟ୍ରେନରେ ୩ରୁ ୫ ଜଣ ଲେଖାଏଁ ମସାଜ୍ ସେବା ପ୍ରଦାନକାରୀ ରହିବେ। ରେଳବାଇ ପକ୍ଷରୁ ସେମାନଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ। ରେଳବାଇର ଅଣ ଟିକସ ରାଜସ୍ବ ବୃଦ୍ଧି ପାଇଁ ବିଭିନ୍ନ ଜୋନ ଏବଂ ଡିଭିଜନକୁ ଅଭିନବ ଯୋଜନା ପଠାଇବାକୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ ପଶ୍ଚିମ ରେଳ ଜୋନର ରତ୍‌ଲାମ ଡିଭିଜନ ପକ୍ଷରୁ ଉପରୋକ୍ତ ପ୍ରସ୍ତାବ ଦିଆଯାଇଥିଲା। ପ୍ରଥମ ଥର ପାଇଁ ରେଳବାଇ ପକ୍ଷରୁ ଏଭଳି ସେବା ପାଇଁ ଚୁକ୍ତି ସ୍ବାକ୍ଷର ହୋଇଛି ବୋଲି ରେଳ ବୋର୍ଡର ନିର୍ଦେଶକ (ଗଣମାଧ୍ୟମ ଏବଂ ଯୋଗାଯୋଗ) ରାଜେଶ ବାଜପେୟୀ କହିଛନ୍ତି।

ସମ୍ବନ୍ଧିତ ଖବର