ଆହୁରି ଛଟେଇ କରିବ ଫେସବୁକ୍ , ଜୁକରବର୍ଗଙ୍କ ସଂକେତ

ନ୍ୟୁୟର୍କ : ପ୍ରାୟ ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିସାରିଥିବା ସୋସିଆଲ ମିଡିଆ କମ୍ପାନି ମେଟା (ଫେସବୁକ) ଆହୁରି ଛଟେଇ କରିବାକୁ ପ୍ରସ୍ତୁତ ହେଉଛି । କମ୍ପାନିର ସିଇଓ ମାର୍କ ଜୁକରବର୍ଗ ନିକଟରେ ଏକ ଆଭ୍ୟନ୍ତରୀଣ ବୈଠକରେ କମ୍ପାନୀରେ ଅଧିକ ଛଟେଇ ହେବାର ସମ୍ଭାବନା ପ୍ରକାଶ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଜୁକରବର୍ଗ ଚାଟଜିପିଟି ପରି ଏଆଇ ଉପକରଣର ବିକାଶ ବିଷୟରେ ମଧ୍ୟ ଆଲୋଚନା କରିଥିଲେ ଯାହା ଇଞ୍ଜିନିୟର ଏବଂ ଅଣ-ଇଞ୍ଜିନିୟରମାନଙ୍କୁ କୋଡିଂରେ ସାହାଯ୍ୟ କରିବ ।

ଉଲ୍ଲେଖଯୋଗ୍ୟ ଯେ ବିଶ୍ୱ ମାନ୍ଦାବସ୍ଥା ର ଆଲୋଚନା ମଧ୍ୟରେ ବିଶ୍ୱର ବିଭିନ୍ନ ଟେକନଲୋଜୀ କମ୍ପାନୀ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରୁଛନ୍ତି । ମେଟା ଏହାର କର୍ମଚାରୀମାନଙ୍କୁ ପ୍ରାୟ ୫ ପ୍ରତିଶତ ହ୍ରାସ କରିବାକୁ ଯୋଜନା କରିଛି । ମାଇକ୍ରୋସଫ୍ଟ ପ୍ରାୟ ୧୧ ହଜାର ଛଟେଇ କରିଛି, ଯାହା ଇଞ୍ଜିନିୟରିଂ ଏବଂ ମାନବ ସମ୍ବଳ ବିଭାଗକୁ ସର୍ବାଧିକ ପ୍ରଭାବିତ କରିଛି | ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ କମ୍ପାନୀ ଏହାର କ୍ଲାଉଡ୍ ୟୁନିଟ୍ ଆଜୁରର ଅଭିବୃଦ୍ଧି ହାର ବଜାୟ ରଖିବା ପାଇଁ ଚାପରେ ଅଛି । ସେହିପରି ଟ୍ବିଟର, ଆମାଜନ, ଏସଏପି ଆଦି କମ୍ପାନି ମଧ୍ୟ ଛଟେଇ କରିବା ସଂପର୍କରେ ପୂର୍ବରୁ ଘୋଷଣା କରିସାରିଛନ୍ତି । ଫିଲିପ୍ସ କମ୍ପାନି ବି ମୋଟ ୧୦ ହଜାର କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ସେମାନଙ୍କ ମଧ୍ୟରୁ  ୪ ହଜାର ଇତିମଧ୍ୟରେ ଛଟେଇ ହୋଇସାରିଲେଣି ଓ ଅବଶିଷ୍ଟ ୬ ହଜାର ଆସନ୍ତା ୨୦୨୫ ସୁଦ୍ଧା କରାଯିବ ।

ସମ୍ବନ୍ଧିତ ଖବର