ଟ୍ବିଟର ପରେ ମେଟା : ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରିବ

ନୂଆଦିଲ୍ଲୀ : ବିଶ୍ବରେ ମାନ୍ଦାବସ୍ଥାର ପ୍ରଭାବ ଟେକନଲୋଜୀ କମ୍ପାନିମାନଙ୍କ ଉପରେ ପଡ଼ିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ବିଶ୍ବ ପ୍ରମୁଖ ଟେକନଲୋଜୀ କମ୍ପାନିମାନେ ଛଟେଇ କରିବା ଆରମ୍ଭ କରିଛନ୍ତି । ସୋସିଆଲ ମିଡିଆ କମ୍ପାନି ଟ୍ବିଟର ପକ୍ଷରୁ ହଜାର ହଜାର କର୍ମଚାରୀଙ୍କୁ ଛଟେଇ କରାଯିବା ପରେ ଏବେ ମେଟା (ପୂର୍ବର ଫେସବୁକ) ପକ୍ଷରୁ ବଡ଼ ଧରଣର ଛଟେଇ ଯୋଜନା ସଂପର୍କରେ ଘୋଷଣା କରାଯାଇଛି । ଏ ନେଇ କମ୍ପାନିର ପ୍ରତିଷ୍ଠାତା ମାର୍କ ଜୁକରବର୍ଗ ସ୍ପଷ୍ଟଭାବେ ଘୋଷଣା କରିଛନ୍ତି ।

ଏପରିକି ମେଟା ପକ୍ଷରୁ ଯେଉଁ ସଂଖ୍ୟାରେ କର୍ମଚାରୀଙ୍କୁ ଛଟେଇ କରିବାକୁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଟେକନଲୋଜୀ ଶିଳ୍ପରେ ଏକ ବୃହତ୍ତମ ଛଟେଇ ଭାବେ ଦେଖାଯାଉଛି । ଏହି ଯୋଜନା ଅନୁସାରେ ସାରା ବିଶ୍ବରେ ଥିବା ମେଟାର ୧୩ ପ୍ରତିଶତ ବା ୧୧ ହଜାର କର୍ମଚାରୀଙ୍କୁ ଛଟେଇ କରାଯିବ ।

ଗତ ମଙ୍ଗଳବାର ହୋଇଥିବା ଏକ ବୈଠକରେ ଜୁକରବର୍ଗ କହିଥିଲେ ଯେ କମ୍ପାନିରେ କର୍ମଚାରୀ ସଂଖ୍ୟା ଆବଶ୍ୟକତାଠାରୁ ଅଧିକ ରହିଛି । ଏହାଛଡ଼ା କମ୍ପାନି କେତେକ ଭୁଲ ନିଷ୍ପତ୍ତି ନେଇଛି ।

ମେଟାର ମାନବ ସମ୍ବଳ ମୁଖ୍ୟ ଲୋରି ଗୋଲର କହିଛନ୍ତି ଯେ ଯେଉଁ କର୍ମଚାରୀମାନଙ୍କୁ ଛଟେଇ କରାଯିବ ସେମାନଙ୍କୁ ୪ ମାସର ଦରମା ଦିଆଯିବ । ମେଟାରେ ଏବେ ମୋଟ ପ୍ରାୟ ୮୭ ହଜାର କର୍ମଚାରୀ କାମ କରୁଛନ୍ତି ।

ଗତ ସପ୍ତାହରେ ସାରା ବିଶ୍ବରେ ଥିବା ନିଜର କର୍ମଚାରୀମାନଙ୍କୁ ଛଟେଇ କରିଥିଲା ଟ୍ବିଟର । ଭାରତରେ ଟ୍ବିଟରର ୯୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରାଯାଇଥିଲା ।

ସମ୍ବନ୍ଧିତ ଖବର