ତେଲ ୧୦୦ ଟପିଲେ କାମ ଦେବନି ମେସିନ୍

ବେଙ୍ଗାଲୁରୁ: ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ଗ୍ରାହକଙ୍କ ପାଇଁ ଏବେ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦେଶର କେତେକ ସ୍ଥାନରେ ପେଟ୍ରୋଲ ମୂଲ୍ୟ ୯୦ ଟଙ୍କା ଏବଂ ଡିଜେଲ ଦର ୮୦ ଟଙ୍କା ଟପିଗଲାଣି। ଯେଉଁ ହାରରେ ତେଲ ଦର ବଢ଼ୁଛି ଆଉ କିଛି ଦିନ ଭି‌ତରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ୧୦୦ ଟଙ୍କା ଛୁଇଁବା ଆଶଙ୍କା ସୃଷ୍ଟି ହୋଇଛି। ପେଟ୍ରୋଲ ଏବଂ ଡିଜେଲର ଏହି ଦର ବୃଦ୍ଧି ‌ପେଟ୍ରୋଲ ପମ୍ପ ଶିଳ୍ପ ପାଇଁ ଆଗାମୀ ଦିନରେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିବାକୁ ଯାଉଛି। ତେଲ ଦର ୧୦୦ ଟଙ୍କା ଛୁଇଁଲେ ତେଲ ମପା ଯାଉଥିବା ୟୁନିଟ୍ ଗୁଡ଼ିକ ଆଉ କାର୍ଯ୍ୟ କରିବ ନାହିଁ। ଅତୀତରେ ୨୦୦୦ ମସିହାରେ କମ୍ପ୍ୟୁଟର ଶିଳ୍ପରେ ଯେଭଳି ୱାଇ୨କେ ସମସ୍ୟା ମୁଣ୍ଡ‌ ଟେକିଥିଲା ପେଟ୍ରୋଲ ଶିଳ୍ପରେ ମଧ୍ୟ ସେହି ସମସ୍ୟା ଦେଖାଦେବାକୁ ଯାଉଛି। ପେଟ୍ରୋଲ ପମ୍ପରେ ଲାଗିଥିବା ଡିସପେନସିଂ ୟୁନିଟ ଗୁଡ଼ିକ ଯେତେବେଳେ ଡିଜିଟାଇଜ୍ ହେଲା ସେତେବେଳେ ତେଲ ଦର ଲିଟର ପିଛା ୧୦୦ ଟଙ୍କା ଛୁଇଁବ ବା ଟପିଯିବ ବୋଲି ଅନୁମାନ କରାଯାଇ ପାରି ନଥିଲା। କିନ୍ତୁ ଏବେ ଏହି ସମସ୍ୟାକୁ ନେଇ ଉଭୟ ଗ୍ରାହକ ଓ ତେଲ କମ୍ପାନି ଗୁଡ଼ିକ ଚିନ୍ତିତ ହୋଇ ପଡ଼ିଲେଣି। ମେସିନ ଗୁଡ଼ିକୁ ଅପଗ୍ରେଡ୍ କରିବା ଲାଗି ଏଥିପାଇଁ ସମୟ ଲାଗିବ। ତେଣୁ ଉଭୟ ଗ୍ରାହକ ଓ ପେଟ୍ରୋଲ ପମ୍ପ ଗୁଡ଼ିକୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ସର୍ବ ଭାରତୀୟ ପେଟ୍ରୋଲିୟମ ଡିଲର ସଂଘର ଅଧ୍ୟକ୍ଷ ଏମ. ପ୍ରଭାକର ରେଡ୍ଡୀ କହିଛନ୍ତି।

ମେସିନ ଅ‌ପ୍‌ଗ୍ରେଡ କାର୍ଯ୍ୟ ଆରମ୍ଭ ହେଲାଣି
ତେବେ ଏହି ସମସ୍ୟା ବିଷୟରେ କେତେକ ତେଲ କମ୍ପାନି ଚିନ୍ତା ପ୍ରକଟ କରିବା ଆରମ୍ଭ କରିଦେଇଛନ୍ତି। ମେସିନ ଅପଗ୍ରେଡ କରିବା କାର୍ଯ୍ୟ ମଧ୍ୟ ଆରମ୍ଭ କରିଦେଇଛନ୍ତି। ଏକ ତେଲ କମ୍ପାନିର ଜଣେ ଅଧିକାରୀ କହିଛନ୍ତି, ଗତ ସପ୍ତାହରେ ମେସିନ ଅପଗ୍ରେଡ କାର୍ଯ୍ୟ ଗତ ସପ୍ତାହରୁ ଆରମ୍ଭ ହୋଇଛି। କେତେକ ପେଟ୍ରୋଲ ପମ୍ପରେ ମେସିନ ରିକା‌ଲିବ୍ରେସନ କାର୍ଯ୍ୟ ମଧ୍ୟ ଶେଷ ହୋଇ ସାରିଲାଣି ବୋଲି ଅଧିକାରୀ ଜଣକ କହିଛନ୍ତି। ଦେଶରେ ଏବେ ପ୍ରାୟ ୫୯ ହଜାର ପେଟ୍ରୋଲ ପମ୍ପ ରହିଛି। ଗୋଟିଏ ଗୋଟିଏ ପେଟ୍ରୋଲ ପମ୍ପରେ ୨ଟିରୁ ଆରମ୍ଭ କରି ୪୦ଟି ପର୍ଯ୍ୟନ୍ତ ଡିସ‌ପେନସିଂ ୟୁନିଟ୍ ରହିଛି। ତେଣୁ ରିକାଲିବ୍ରେସନ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ କରାଯିବା ଉଚିତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

୯୯.୯୯ ଟଙ୍କା ପର୍ଯ୍ୟନ୍ତ ସେଟ୍ ହୋଇଛି ମିଟର
ବର୍ତମାନ ପେଟ୍ରୋଲ ପମ୍ପ ଗୁଡ଼ିକରେ ଯେଉଁ ଡିସପେନସିଂ ୟୁନିଟ ( ତେଲ ଓ ଟଙ୍କା ଦର୍ଶାଉଥିବା ମିଟର) ଲାଗିଛି ସେଗୁଡ଼ିକ ସର୍ବାଧିକ ୯୯ ଟଙ୍କା ୯୯ ପଇସା ପର୍ଯ୍ୟନ୍ତ କାର୍ଯ୍ୟ କରିବା ଲାଗି ସେଟ୍ ହୋଇଛି। ତେଣୁ ତେଲ ଦର ୧୦୦ ଟଙ୍କା ଛୁଇଁଲେ ଡିସପେନସିଂ ୟୁନିଟ୍ ଗୁଡ଼ିକରେ ମୂଲ୍ୟ ୦ ଟଙ୍କା ୦୦ ପଇସା ଆକାରରେ ପ୍ରଦର୍ଶିତ ହେବ। ଏହାପରେ ପେଟ୍ରୋଲ ପମ୍ପ ଗୁଡ଼ିକୁ ଗ୍ରାହକମାନଙ୍କୁ ବିନ‌‌ା ମିଟର ରିଡିଂରେ ଅତିରିକ୍ତ ୧୦୦ ଟଙ୍କା ଦେବାକୁ ପଡ଼ିବ। ତେଲ ଦର ଦୈନିକ ସଂଶୋଧନ ହେବା ଦିନଠାରୁ ଅଧିକାଂଶ ଡିସପେନସିଂ ୟୁନିଟ ଗୁଡ଼ିକୁ ସ୍ବୟଂକ୍ରିୟ କରାଯାଇଛି। ତେଲ କମ୍ପାନି ଗୁଡ଼ିକ ସେ‌ଣ୍ଟ୍ରାଲ ସର୍ଭରରୁ ପ୍ରତିଦିନର ରେଟ୍ ପଠାଉଛନ୍ତି। ତେବେ ତେଲ ଦର ୧୦୦ ଟଙ୍କା ଛୁଇଁଲେ ଡିସପେନସିଂ ୟୁନିଟ୍ ଗୁଡ଼ିକ ହୁଏତ କାର୍ଯ୍ୟ କରିବ ନାହିଁ କିମ୍ବା ଟଙ୍କା ଘର ପାଇଁ ଉଦ୍ଦିଷ୍ଟ ସ୍ଥାନରେ ୦.୦୦ ଲେଖାଯିବ।

ସମ୍ବନ୍ଧିତ ଖବର