ମେଟ୍ରୋ ଦେବାଳିଆ ହୋଇଯିବ, ମାଗଣା ଯାତ୍ରାକୁ ମେଟ୍ରୋମ୍ୟାନ୍‌ ଶ୍ରୀଧରନଙ୍କ ନା‌ପସନ୍ଦ

ବର୍ଷକୁ ୧୫୬୦ କୋଟି କ୍ଷତି ହେବ

ନୂଆଦିଲ୍ଲୀ: ମେଟ୍ରୋରେ ମହିଳାମାନଙ୍କୁ ମାଗଣା ଯାତ୍ରା କରିବା ପାଇଁ ଦିଲ୍ଲୀ ସରକାର ଯେଉଁ ସ୍କିମ୍ ଘୋଷଣା କରିଛନ୍ତି ତାହାକୁ ଦିଲ୍ଲୀ ମେଟ୍ରୋର ପୂର୍ବତନ ମୁଖ୍ୟ ତଥା ମେଟ୍ରୋମ୍ୟାନ୍‌ ଭାବେ ପରିଚିତ ଇ ଶ୍ରୀଧରନ ବିରୋଧ କରିଛନ୍ତି। ଦିଲ୍ଲୀ ସରକାରଙ୍କ ଏହି ସ୍କିମ୍ ଉପରେ ସହମତ ନହେବାକୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆହ୍ବାନ ଦେଇଛନ୍ତି। ଏକ ଚିଠିରେ ସେ ପ୍ରଧାନମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ, ମାଗଣା ଯାତାୟାତ ବ୍ୟବସ୍ଥା ଆରମ୍ଭ କଲେ ମେଟ୍ରୋ ଦେବାଳିଆ ହୋଇଯିବ। ଯଦି ଦିଲ୍ଲୀ ସରକାର ମହିଳାମାନଙ୍କ ଯାତାୟାତ ପ୍ରତି ଏତେ ଚିନ୍ତିତ ତେବେ ସେମାନଙ୍କ ଯାତ୍ରାରେ ଯେତିକି ଟଙ୍କା ଖର୍ଚ ହେଉଛି ତାହାକୁ ସିଧାସଳଖ ସେମାନଙ୍କ ପାଖରେ ଦିଲ୍ଲୀ ସରକାର ପହଞ୍ଚାଇବାର ବ୍ୟବସ୍ଥା କରନ୍ତୁ ବୋଲି ଶ୍ରୀଧରନ କହିଛନ୍ତି।

୨୦୦୨ରେ ଦିଲ୍ଲୀ ମେଟ୍ରୋର ପ୍ରଥମ ସେକ୍ସନ କାର୍ଯ୍ୟକ୍ଷମ ହେବା ବେଳେ ଶ୍ରୀଧରନ ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍‌ଆର୍‌ସି)ର ମୁଖ୍ୟ ଥିଲେ। ମାଗଣା ଯାତ୍ରାର ସେ ଘୋର ବିରୋଧୀ ଥିଲେ। ସେହି ସମୟରେ ମେଟ୍ରୋ ଉଦ୍‌ଘାଟନ କରିବାକୁ ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ମଧ୍ୟ ଟିକଟ କିଣିବାକୁ ପଡ଼ିଥିଲା। ଉଲ୍ଲେଖଯୋଗ୍ୟ, ମେଟ୍ରୋରେ ଯାତ୍ରା କରିବାକୁ ଏହାର ପରିଚାଳନା ନିର୍ଦେଶକ, ସମସ୍ତ ଷ୍ଟାଫ୍ ଓ ଅଧିକାରୀମାନଙ୍କୁ ମଧ୍ୟ ଟିକଟ କିଣିବାକୁ ପଡ଼ୁଛି। ଦିଲ୍ଲୀ ମେଟ୍ରୋ ହେଉଛି କେନ୍ଦ୍ର ଓ ଦିଲ୍ଲୀ ସରକାରଙ୍କ ମିଳିତ ଉଦ୍ୟମରେ ଆରମ୍ଭ ହୋଇଥିବା ପ୍ରକଳ୍ପ। ଜଣେ ଅଂଶୀଦାର (ଦିଲ୍ଲୀ ସରକାର) ଏକପାଖିଆ ଭାବେ ମାଗଣା ଯାତ୍ରା ନିଷ୍ପତ୍ତି ଗ୍ରହଣ କରିବା ବିଷୟକୁ ଶ୍ରୀଧରନ ନାପସନ୍ଦ କରିଛନ୍ତି।

ବର୍ଷକୁ ୧୫୬୦ କୋଟି କ୍ଷତି ହେବ
ମହିଳାଙ୍କ ପାଇଁ ମାଗଣା ଯାତ୍ରା ସ୍କିମ୍ ଲାଗୁ କଲେ ବର୍ଷକୁ ୧୫୬୦ କୋଟି ଟଙ୍କାର କ୍ଷତି ହେବ ବୋଲି ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍‌ଆର୍‌ସି) କହିଛି। କେବଳ ଫିଡର୍‌ ବସ୍‌ ବାବଦରେ ୧୧ କୋଟି ଟଙ୍କାର କ୍ଷତି ହେବ। ଦିଲ୍ଲୀ ମେଟ୍ରୋର ୧୭୪ଟି ଫିଡର୍‌ ବସ୍ ଚଳାଚଳ କରୁଛି। ଖୁବ୍‌ଶୀଘ୍ର ଆଉ ୯୫୦ଟି ବସ୍ ସାମିଲ କରିବାକୁ ନିଗମ ଯୋଜନା ରଖିଛି। ଦିଲ୍ଲୀ ମେଟ୍ରୋର ଭଡ଼ାକୁ ଏକ କମିଟି ନିର୍ଧାରଣ କରିଥାଏ। ତେଣୁ କୌଣସି ଏକ ନିର୍ଦିଷ୍ଟ ବର୍ଗ ପାଇଁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରିବା କିମ୍ବା ସବ୍‌ସିଡି ଯୋଗାଇ ଦେବା ପାଇଁ ଦିଲ୍ଲୀ ସରକାରଙ୍କ କ୍ଷମତା ଅଛି ନା ନାହିଁ ତାହା ଜାଣିବା ପାଇଁ ଦିଲ୍ଲୀ ମେଟ୍ରୋ କର୍ତୃପକ୍ଷ ଆଇନ ବିଶାରଦଙ୍କ ସହ ବିଚାରବିମର୍ଶ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର