ଭାରତରେ ଦ୍ବିତୀୟ କାରଖାନା କରିବ ଏମ୍‌ଜି ମୋଟର, ୪୮୦୦ କୋଟିର ନିବେଶ ଯୋଜନା

ନୂଆଦିଲ୍ଲୀ: ଏମ୍‌ଜି ମୋଟର ଭାରତରେ ୪୮୦୦ କୋଟି ଟଙ୍କା ନିବେଶରେ ଦ୍ବିତୀୟ କାର ନିର୍ମାଣ ୟୁନିଟ ସ୍ଥାପନ ଯୋଜନା ରଖିଛି। ଏଥିପାଇଁ କମ୍ପାନି ଏକାଧିକ ରାଜ୍ୟ ସହ କଥାବାର୍ତ୍ତା ଚଳାଇଛି। ବର୍ତ୍ତମାନ ଗୁଜରାଟର ହଲୋଲଠାରେ କମ୍ପାନିର ଗୋଟିଏ କାରଖାନା ରହିଛି। ଉକ୍ତ କାରଖାନାର ବାର୍ଷିକ କାର ଉତ୍ପାଦନ କ୍ଷମତାକୁ କମ୍ପାନି ୨୦୨୩ ସୁଦ୍ଧା ୧.୨୫ ଲକ୍ଷ ୟୁନିଟକୁ ବଢ଼ାଇବ। ତେବେ ଦ୍ବିତୀୟ କାରଖାନାରେ କମ୍ପାନି ବାର୍ଷିକ ୧.୭୫ ଲକ୍ଷ ୟୁନିଟ କାର ଉତ୍ପାଦନ ଯୋଜନା ରଖିଛି। ଏହାଫଳରେ ଆସନ୍ତା ଦୁଇବର୍ଷ ମଧ୍ୟରେ ଭାରତରେ କମ୍ପାନିର ବାର୍ଷିକ କାରଖାନା ଉତ୍ପାଦନ କ୍ଷମତା ୩ ଲକ୍ଷ ୟୁନିଟକୁ ବୃଦ୍ଧି ପାଇବ। ତେବେ ଦ୍ବିତୀୟ କାରଖାନାଟି ମଧ୍ୟ ଗୁଜରାଟର ହଲୋଲଠାରେ ସ୍ଥାପନ ହୋଇପାରେ। ଗୁଜରାଟ ସରକାରଙ୍କ ସହିତ କମ୍ପାନି କିଛି ଅଧିକ ଜମି ପାଇବା ପାଇଁ ଆଲୋଚନା ଚଳାଇଛି।

ଗୁଜରାଟ ଛଡ଼ା ଅନ୍ୟ କେତେକ ରାଜ୍ୟ ସରକାରଙ୍କ ସହିତ ମଧ୍ୟ ଆଲୋଚନା ଚାଲିଛି ବୋଲି ‌ଏମ୍‌ଜି ମୋଟର ଇଣ୍ଡିଆର ସଭାପତି ତଥା ଏମ୍‌ଡି ରାଜୀବ ଚାବା କହିଛନ୍ତି। କମ୍ପାନି ବ୍ରାଉନଫିଲ୍‌ଡ କାରଖାନା‌ରେ ମଧ୍ୟ ଦ୍ବିତୀୟ କାରଖାନା ସ୍ଥାପନ କରିପାରେ। ‌ତେବେ ଜୁନ ସୁଦ୍ଧା ଏସବୁ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି। ଜୁନ୍‌ରେ କାରଖାନା କେଉଁଠି ହେବ ତାହା ଚୂଡ଼ାନ୍ତ ହୋଇଗଲେ ଦୁଇବର୍ଷ ମଧ୍ୟରେ କାର୍ଯ୍ୟ ଶେଷ ହୋଇଯିବ। ହଲୋଲସ୍ଥିତ ପ୍ରଥମ ପ୍ଲାଣ୍ଟର ଉତ୍ପାଦନ କ୍ଷମତା ବର୍ତ୍ତମାନ ୭୦ ହଜାର ୟୁନିଟ୍ ରହିଛି। ଏହାର ସଂପ୍ରସାରଣ ପାଇଁ କମ୍ପାନି ୨୫୦୦ କୋଟି ଟଙ୍କା ନିବେଶ କରିବ ବୋଲି ଗତବର୍ଷ ଘୋଷଣା କରିଥିଲା। ହଲୋଲ ପ୍ଲାଣ୍ଟରୁ କମ୍ପାନି ହେକ୍ଟର, ଗ୍ଲୋଷ୍ଟର, ଆଷ୍ଟର ଏବଂ ଜେଡ୍‌ଏସ୍‌ ଇଭି ଯାନ ଉତ୍ପାଦନ କରୁଛି। ଆସନ୍ତାବର୍ଷ କମ୍ପାନି କମ୍ପାକ୍ଟ ଇଭି ବଜାରକୁ ଆଣିବ, ଯାହାର ମୂଲ୍ୟ ୧୦ ଲକ୍ଷରୁ ୧୫ ଲକ୍ଷ ଟଙ୍କା ମଧ୍ୟରେ ରହିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର