ବଦଳିବ ମନରେଗାର ଢାଞ୍ଚା

ନୂଆ କମିଟି ଗଠିତ, ଜାନୁଆରିରେ ଆସିବ ରିପୋର୍ଟ

ନୂଆଦିଲ୍ଲୀ : ଗ୍ରାମାଞ୍ଚଳ‌ରେ ବାସ କରୁଥିବା ଗରିବ ଲୋକମାନଙ୍କୁ କାମ ଯୋଗାଇବା ଲାଗି ଆରମ୍ଭ କରାଯାଇଥିବା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗାରେ ସରକାର ପରିବର୍ତ୍ତନ କରିବେ। ସେଥିପାଇଁ ଏକ କମିଟି ଗଠନ କରାଯାଇଛି। ଏହି ସ୍କିମ୍‌ର ଲାଭ ଯେଭଳି ଗରିବ ଲୋକମାନଙ୍କ ପାଖରେ ଅଧିକ ପହଞ୍ଚିପାରିବ ସେଥିପାଇଁ ସେଥିରେ ଆବଶ୍ୟକ ପରିବର୍ତ୍ତନ କରାଯିବ।

ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସବୁଠୁ ବଡ଼ ସ୍କିମ୍ ହେଉଛି ମନରେଗା। ପ୍ରତିବର୍ଷ ଏହି ସ୍କିମ୍ ଭାଗ ବ୍ୟୟବରାଦ କରାଯାଉଛି। କରୋନା ମହାମାରୀ ସମୟରେ ଯେତେବେଳେ ପ୍ରବାସୀ ଶ୍ରମିକମାନେ ନିଜ ଗାଁକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଫେରିଥିଲେ ସେହି ସମୟରେ ଏହି ସ୍କିମ୍‌ ହିଁ ସେମାନଙ୍କ ଆୟକୁ ବଜାୟ ରଖିବାରେ ବିଶେଷ ସହାୟକ ହୋଇଥିଲା। ତେବେ ମ‌ନରେଗାର ପ୍ରକୃତ ଲାଭ ମିଳୁନଥିବା ସରକାର ଭାବୁଛନ୍ତି। କାରଣ ଓଡ଼ିଶା ଓ ବିହାର ଭଳି ଗରିବ ରାଜ୍ୟ ତୁଳନାରେ ତାମିଲନାଡ଼ୁ ଓ ରାଜ୍ୟସ୍ଥାନ ଭଳି ସ୍ବଚ୍ଛଳ ରାଜ୍ୟଗୁଡ଼ିକର ଲୋକମାନେ ଏହା ଦ୍ବାରା ଅଧିକ ଉପକୃତ ହେଉଛନ୍ତି। କିଭଳି ଗରିବ ଲୋକଙ୍କ ପାଖରେ ଏହି ସ୍କିମ୍‌ର ଲାଭ ଅଧିକ ପହଞ୍ଚିବ ସେଥିଲାଗି ସ୍କିମ୍‌ରେ ପରିବର୍ତ୍ତନ କରାଯିବ। ପାଣ୍ଠିକୁ କିଭଳି ପାରଦର୍ଶୀ ଢଙ୍ଗରେ ବ୍ୟବହାର କରାଯିବ ଏବଂ ଦାରିଦ୍ର୍ୟ ଯେଭଳି ଦୂର ହୋଇପାରିବ ସେଥିପାଇଁ ସ୍କିମ୍‌ରେ ପରିବର୍ତ୍ତନ କରିବାକୁ କମିଟି ସୁପାରିସ କରିବେ। ଏହି କମିଟି ଆସନ୍ତା ବର୍ଷ ଜାନୁଆରିରେ ଏହାର ରିପୋର୍ଟ ଦାଖଲ କରିବ। ବିଭିନ୍ନ ରାଜ୍ୟରେ ସ୍କିମ୍‌ର ପ୍ରଦର୍ଶନ କାହିଁକି ଅଲଗା ରହୁଛି ତାହାକୁ କମିଟି ଅନୁଧ୍ୟାନ କରିବ।

୨୦୨୨-୨୩ ଆର୍ଥିକ ବର୍ଷରେ ମନରେଗା ଲାଗି ୭୩,୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୨୦-୨୧ରେ ଏଥିପାଇଁ ୧.୧୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ଆସନ୍ତା ଆର୍ଥିକ ବର୍ଷ (୨୦୨୩-୨୪) ଲାଗି ମନରେଗା ପାଇଁ ପ୍ରାୟ ୨ ଲକ୍ଷ କୋଟି ଟଙ୍କାର ବ୍ୟୟବରାଦ କରିବା ଉପରେ ସରକାର ବିଚାର କରୁଛନ୍ତି। ପନ୍ଦର ବର୍ଷ ପୂର୍ବେ ଉପା ସରକାରଙ୍କ ଅମଳରେ ମନରେଗା ସ୍କିମ୍ ଆରମ୍ଭ କରାଯାଇଥିଲା। ଏଥିରେ ଗରିବ ଲୋକମାନଙ୍କୁ ବର୍ଷକୁ ୧୦୦ ଦିନର କାମ ପ୍ରଦାନ କରିବା ଲାଗି ବ୍ୟବସ୍ଥା କରାଯାଇଛି। ଶ୍ରମିକ ଆବଶ୍ୟକ ହେଉଥିବା କାର୍ଯ୍ୟ ଯଥା ସଡ଼କ, କୁଅ, ପୋଖରି ଆଦି ନିର୍ମା‌ଣ କରିବା ଏବଂ ଗ୍ରାମୀଣ ଭିତ୍ତିଭୁମି ବିକାଶ କରିବାରେ ଏହି ସ୍କିମ୍‌ର ପାଣ୍ଠି ବ୍ୟୟ କରାଯାଉଛି।

ସମ୍ବନ୍ଧିତ ଖବର