ମନରେଗା ବଜେଟ୍‌ ହ୍ରାସ: ମୁହଁ ଖୋଲିଲେ ନିର୍ମଳା ‘ଉପା ସରକାରଙ୍କ ତ୍ରୁଟି ଦୋହରାଇବୁ ନାହିଁ’

ନୂଆଦିଲ୍ଲୀ: କୃଷି ଓ ଗ୍ରାମୀଣ ବିକାଶର କୌଣସି ଯୋଜନାରେ ଆବଣ୍ଟିତ ରାଶି କମ୍ କରାଯାଇନାହିଁ ବୋଲି ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ସେ କହିଲେ, ଯଦି ଦରକାର ପଡ଼ିବ ତେବେ ଯୋଜନା ଓ ସ୍କିମ୍‌ଗୁଡ଼ିକର ବ୍ୟୟବରାଦ ବଢ଼ାଇବାକୁ ସରକାର ପ୍ରସ୍ତୁତ ଅଛନ୍ତି। ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା)ର ବ୍ୟୟବରାଦକୁ ବଜେଟ୍‌ରେ ହ୍ରାସ କରାଯାଇଥିବା ସମ୍ପର୍କରେ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ମନରେଗା ହେଉ କିମ୍ବା ପ୍ରଧାନମନ୍ତ୍ରୀ କିସାନ ଯୋଜନା, କୌଣସି ପ୍ରମୁଖ ଯୋଜନାର ବଜେଟ୍‌କୁ କମ୍ କରାଯାଇନାହିଁ। ଅନେକ ଯୋଜନା ପାଇଁ ଅଧିକ ଟଙ୍କା ଦିଆଯାଇଛି ବୋଲି ସେ କହିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ମନରେଗା ନିମନ୍ତେ ୬୧,୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ୨୦୧୯-୨୦ ପାଇଁ ଏହି ଯୋଜନାର ବ୍ୟୟବରାଦ ବୃଦ୍ଧି ପାଇ ୭୧ ହଜାର କୋଟି ଟଙ୍କାରେ ପହଞ୍ଚିଗଲାଣି। ଏ ସମ୍ପର୍କରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ଏହି ଯୋଜନାଗୁଡ଼ିକ ଚାହିଦା ଉପରେ ପର୍ଯ୍ୟବେସିତ। ଏଥିରେ ବ୍ୟୟବରାଦ ହ୍ରାସ କିମ୍ବା ବୃଦ୍ଧି କରିବାର ପ୍ରଶ୍ନ ଉଠୁନି। ଯେତିକି ଟଙ୍କା ମଗାଯିବ ‌ସେତିକି ଦିଆଯିବ ବୋଲି ନିର୍ମଳା କହିଛନ୍ତି। ମନରେଗା ଯୋଜନା ପାଇଁ ୨୦୧୯-୨୦ରେ ୬୦ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଥିଲା। କିନ୍ତୁ ଏହି ରାଶି ପରିମାଣ ଏବେ ୭୧ ହଜାର କୋଟି ଟଙ୍କାରୁ ଅଧିକ ହୋଇଗଲାଣି। ଗାଁରେ ମନରେଗା କାମ ପାଇଁ ଚାହିଦା ବଢ଼ୁଛି କି? ବୋଲି ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ଯେ, ଯଦି ସେଭଳି ହୋଇଥିବ ତେବେ ତାହାର ଅନୁଧ୍ୟାନ କରାଯିବା ଦରକାର। ଏହି ପ୍ରସଙ୍ଗ ଉପରେ ଆମେ ଧ୍ୟାନ ଦେବୁ।

ପିଏମ୍‌-କିସାନ ଯୋଜନା ପାଇଁ ୨୦୧୯-୨୦ରେ ୭୫ ହଜାର କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିଲା। ଆସନ୍ତା ଆର୍ଥିକ ବର୍ଷ ପାଇଁ ମଧ୍ୟ ସେତିକି ଟଙ୍କା ଆବଣ୍ଟନ କରାଯାଇଛି। ଏହି ଯୋଜନା ସମ୍ପର୍କରେ କରାଯାଇଥିବା ଏକ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ କହିଛନ୍ତି, ପିଏମ୍-କିସାନ ହେଉ ଅଥବା ସ୍ବାସ୍ଥ୍ୟ, ଶିକ୍ଷା, କୌଶଳ ବିକାଶ, ଆବାସ କିମ୍ବା ପାନୀୟ ଜଳ କୌଣସି ପ୍ରମୁଖ ଯୋଜନାରେ ଆବଣ୍ଟନ କମ୍ କରାଯାଇନାହିଁ। ଚଳିତ ବର୍ଷ ବଜେଟ୍‌ରେ କୃଷି ଓ ଗ୍ରାମୀଣ ବିକାଶ ‌ମନ୍ତ୍ରଣାଳୟ ପାଇଁ ୨ ଲକ୍ଷ ୮୩ ହଜାର କୋଟି ଟଙ୍କା ଆବଣ୍ଟନ କରାଯାଇଛି। ସବୁ ଘରକୁ ପାଇପ୍‌ ଜଳ ପ୍ରଦାନ କରିବା ଲାଗି ଜଳ ଜୀବନ ମିସନ ପାଇଁ ୧୧,୫୦୦ କୋଟି ଟଙ୍କା ଦିଆଯାଇଛି। ସ୍ବଚ୍ଛ ଭାରତ ମିସନ ଲାଗି ୧୨,୩୦୦ କୋଟି ଟଙ୍କା, ଶିକ୍ଷା କ୍ଷେତ୍ର ଲାଗି ୯୯,୩୦୦ କୋଟି ଟଙ୍କା ଓ କୌଶଳ ବିକାଶ ଲାଗି ୩୦୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ବୋଲି ସେ କହିଛନ୍ତି।

‘ଉପା ସରକାରଙ୍କ ତ୍ରୁଟି ଦୋହରାଇବୁ ନାହିଁ’
ନୂଆଦିଲ୍ଲୀ: ଅର୍ଥନୀତିକୁ ଉପରକୁ ଉଠାଇବା ବା ମାନ୍ଦାବସ୍ଥାରେ ସୁଧାର ଆଣିବା ଲାଗି ଉପା ସରକାର ବିପୁଳ ଟଙ୍କା ଉଡ଼ାଇବା ଭଳି ଯେଉଁ ତ୍ରୁଟି କରିଥିଲେ ତାହା ଆମେ କରିବୁ ନାହିଁ। ସେପ୍ରକାର ତ୍ରୁଟିକୁ ଆମେ ଦୋହରାଇବାକୁ ନାହିଁ। ଭାରତୀୟ ଶିଳ୍ପ ଏବଂ ବାଣିଜ୍ୟ ମହାସଂଘ (ଫିକି) ପକ୍ଷରୁ ଆୟୋଜିତ ଏକ ବଜେଟ୍ ପରବର୍ତ୍ତୀ ଆଲୋଚନାରେ ଯୋଗଦେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ମନ୍ତବ୍ୟ ଦେଇଛନ୍ତି। ଅର୍ଥନୀତିରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ସୁଧାରିବା ପାଇଁ ସରକାର ବଜେଟରେ ଅଧିକ ଅର୍ଥ ଖର୍ଚ୍ଚର ବ୍ୟବସ୍ଥା କାହିଁକି କରିଲେ ନାହିଁ ସମ୍ପର୍କିତ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଅର୍ଥମନ୍ତ୍ରୀ ଏପ୍ରକାର ମନ୍ତବ୍ୟ ଦେଇଛନ୍ତି। ପୂର୍ବରୁ ଅଧିକ ଅର୍ଥ ଖର୍ଚ୍ଚ କରାଯାଇ ଅର୍ଥନୀତିକୁ ଯେଉଁସ୍ତରକୁ ନିଆଯିବାର ଆଶା ରହିଥିଲା ଏବଂ ଅର୍ଥନୀତି ଯେଉଁସ୍ତରକୁ ଯାଇଥିଲା ତାହା ଆମ ସମସ୍ତଙ୍କ ମନରେ ସତେଜ ରହିଛି। ୨୦୦୯-୧୦ରେ ବିତ୍ତୀୟ ନିଅଣ୍ଟ ଜିଡିପିର ୬.୬ ପ୍ରତିଶତରେ ପହଞ୍ଚିଥିଲା। ୨୦୦୮ର ବିଶ୍ବ ଅର୍ଥନୈତିକ ମାନ୍ଦାବସ୍ଥା ପରେ ସରକାର ଘୋଷଣା କରିଥିବା ଆର୍ଥିକ ପ୍ରୋତ୍ସାହନମୂଳକ ପ୍ୟାକେଜ ଯୋଗୁ ଏପ୍ରକାର ସ୍ଥିତି ଉପୁଜିଥିଲା। ଉପା ସରକାରଙ୍କୁ ଆକ୍ଷେପ କରି ସେ କହିଥିଲେ, ପୂର୍ବ ସରକାରଙ୍କ ଅମଳରେ ବିତ୍ତୀୟ ନିଅଣ୍ଟ ନେଇ ମିଥ୍ୟା ତଥ୍ୟ ଦିଆଯାଇଥିଲା। ଆମେ ସେଭଳି ମିଥ୍ୟା ତଥ୍ୟ ପ୍ରସ୍ତୁତ କରିବୁ ନାହିଁ । ନୂଆ ଲକ୍ଷ୍ୟ ଧାର୍ଯ୍ୟ କରିବାରେ ସରକାର ସମ୍ପୂର୍ଣ୍ଣ ସ୍ବଚ୍ଛ ଅଛନ୍ତି ବୋଲି ସେ କହିଥିଲେ। ଗତ ଶନିବାର ଉପସ୍ଥାପିତ ହୋଇଥିବା ବଜେଟ୍‌ରେ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟକୁ ସଂଶୋଧନ କରି ୩.୮ ପ୍ରତିଶତରେ ରଖିଛନ୍ତି। ଆସନ୍ତା ଆର୍ଥିକ ବର୍ଷ ପାଇଁ ଏହା ୩.୫ ପ୍ରତିଶତ ରହିବ ବୋଲି କୁହାଯାଇଛି। ଅର୍ଥନୀତିକୁ ଆଗକୁ ନେବା ପାଇଁ ଶିଳ୍ପ ପ୍ରତିଷ୍ଠାନ ଗୁଡ଼ିକ ନିବେଶ କରିବାକୁ ଆଗେଇ ଆସିବା ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଅର୍ଥମନ୍ତ୍ରୀ ଏହା ମଧ୍ୟ କହିଛନ୍ତି, ପୁଞ୍ଜି ପ୍ରତ୍ୟାହାର ବାବଦରେ ସରକାର ଯେଉଁ ଅର୍ଥ ସଂଗ୍ରହ କରିବେ ତାହାକୁ ସାଧାରଣ ସମ୍ପତ୍ତି ସୃଷ୍ଟି କରିବାରେ ବି‌ନିଯୋଗ କରାଯିବ।

ସମ୍ବନ୍ଧିତ ଖବର