ରାଜ୍ୟରେ ୨୭ଟି ମାଇକ୍ରୋଫାଇନାନ୍ସ ସଂସ୍ଥା : ଗ୍ରାହକ ସଂଖ୍ୟା ୩୦ ଲକ୍ଷରୁ ଅଧିକ, କର୍ମଚାରୀ ସଂଖ୍ୟା ୧୦,୬୬୨

ଭୁବନେଶ୍ବର : ରାଜ୍ୟରେ ୩୦ ଲକ୍ଷ ୨୦ ହଜାର ଲୋକ ବା ଗ୍ରାହକଙ୍କ ପାଖରେ ମାଇକ୍ରୋ ଫାଇନାନ୍ସ ସଂସ୍ଥା (ଏମ୍‌ଏଫ୍‌ଆଇ) ପହଞ୍ଚିଛନ୍ତି। ୨୦୧୯ ଡିସେମ୍ବର ସୁଦ୍ଧା ରାଜ୍ୟରେ ୨୭ଟି ଏମ୍‌ଏଫ୍‌ଆଇ ୬୦୦୪ କୋଟି ଟଙ୍କାର ଋଣ ମଞ୍ଜୁର କରିଛନ୍ତି। ହାରାହାରି ଭାବେ ପ୍ରତି ଗ୍ରାହକଙ୍କୁ ସେମାନେ ୩୨,୮୩୧ ଟଙ୍କାର ଋଣ ଦେଇଛନ୍ତି।

ଆଜି ହୋଟେଲ୍‌ ସ୍ବସ୍ତି ପ୍ରିମିୟମ୍‌ରେ ସିଡ୍‌ବି-ପିଜିଆଇଏସ୍‌ ସହଯୋଗରେ ‘ଓଡ଼ିଶା ଷ୍ଟେଟ୍‌ ଆସୋସିଏସନ୍‌ ଫର ଫାଇନାନ୍ସିଆଲ୍ ଇନ୍‌କ୍ଲୁଜନ ଇନଷ୍ଟିଚ୍ୟୁସନ୍ସ (ଓସାଫି) ତରଫରୁ ଆୟୋଜନ କରାଯାଇଥିବା ତୃତୀୟ ରାଜ୍ୟ ସ୍ତରୀୟ ଆର୍ଥିକ ଅନ୍ତର୍ଭୁକ୍ତୀକରଣ କନ୍‌କ୍ଲେଭ୍‌-୨୦୨୦ରେ ଏହି ତଥ୍ୟ ଜାରି କରାଯାଇଛି। ଓସାଫି ଅନୁଯାୟୀ, ୨୦୧୮ ଡିସେମ୍ବରରୁ ୨୦୧୯ ଡିସେମ୍ବର ମଧ୍ୟରେ ରାଜ୍ୟରେ ମାଇକ୍ରୋ ଫାଇନାନ୍ସ ଶିଳ୍ପ ଉଲ୍ଲେଖନୀୟ ବୃଦ୍ଧି ହାସଲ କରିଛି। ଏହି ସମୟରେ ମଞ୍ଜୁର କରାଯାଇଥିବା ମୋଟ୍ ଋଣ ପରିମାଣ ୪୨୮୯ କୋଟି ଟଙ୍କାରୁ ବୃଦ୍ଧି ପାଇ ୬୦୦୪ କୋଟି ଟଙ୍କା ହୋଇଛି। ଏମ୍‌ଏଫ୍‌ଆଇଗୁଡ଼ିକର ଋଣ ଆବଣ୍ଟନ ପରିମାଣ ମଧ୍ୟ ୧୨୪୪ କୋଟି ଟଙ୍କାରୁ ବୃଦ୍ଧି ପାଇ ୧୫୯୮ କୋଟି ଟଙ୍କା ହୋଇଛି। ୨୦୧୮ ଡିସେମ୍ବର ସୁଦ୍ଧା ଏମ୍‌ଏଫ୍‌ଆଇଗୁଡ଼ିକର ମୋଟ୍ କ୍ଲାଏଣ୍ଟ୍‌ ବା ଗ୍ରାହକ ସଂଖ୍ୟା ୨୪.୨ ଲକ୍ଷ ଥିଲା। ବର୍ଷକ ଭିତରେ ସେହି ସଂଖ୍ୟା ୩୦.୩ ଲକ୍ଷକୁ ବୃଦ୍ଧି ପାଇଛି। ସେମାନଙ୍କ ମୋଟ ଶାଖା ସଂଖ୍ୟା ୧୦୩୪ରୁ ବୃଦ୍ଧି ପାଇ ୧୨୬୧ରେ ପହଞ୍ଚିଛି। ରାଜ୍ୟରେ ଏବେ ୨୭ଟି ଏମ୍ଏଫ୍‌ଆଇ କାର୍ଯ୍ୟ କରୁଥିବା ବେଳେ ସେଥି ମଧ୍ୟରେ ୬ଟି ରାଜ୍ୟ ଭିତରୁ ସୃଷ୍ଟି ହୋଇଥିବା ସଂସ୍ଥା ରହିଛି। ଏଫ୍‌ଏମ୍‌ଆଇରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ସଂଖ୍ୟା ୭୯୫୮ରୁ ବୃଦ୍ଧି ପାଇ ୧୦,୬୬୨ରେ ପହଞ୍ଚିଛି। ରାଜ୍ୟରେ ଆବଣ୍ଟନ କରାଯାଇଥିବା ୩୩% ମୁଦ୍ରା ଋଣ ଏମ୍‌ଏଫ୍‌ଆଇଗୁଡ଼ିକ ଆବଣ୍ଟନ କରିଥିବା ଜଣାପଡ଼ିଛି।

ଏହି ଅବସରରେ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ପି କେ ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ଗ୍ରାମାଞ୍ଚଳରେ ବାସ କରୁଥିବା ନିମ୍ନ ଆୟ ବର୍ଗର ଲୋକମାନଙ୍କ ପାଖରେ ବ୍ୟାଙ୍କିଙ୍ଗ ସେବା ପହଞ୍ଚାଇବା ଦିଗରେ କାର୍ଯ୍ୟ କରିବାକୁ ସେ ମାଇକ୍ରୋ ଫାଇନାନ୍ସ ସଂସ୍ଥାଗୁଡ଼ିକୁ ଆହ୍ବାନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଓସାଫିର ସଭାପତି ଦିବ୍ୟଜ୍ୟୋତି ପଟ୍ଟନାୟକ, ଭାରତୀୟ ରିଜର୍ଭ ବ୍ୟାଙ୍କର ଏଜିଏମ୍ ନିର୍ମଳ ଚନ୍ଦ୍ର ପଟ୍ଟନାୟକ, ଓଡ଼ିଶା ଜୀବିକା ମିସନର ରାଜ୍ୟ ପ୍ରବନ୍ଧକ ଦେବାଶିଷ ମହାପାତ୍ର ଓ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କର ଡିଜିଏମ୍ ଅରୁଣ ଅଗ୍ରୱାଲ୍ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୨୦୦ରୁ ଅଧିକ ପ୍ରତିନିଧି ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର